ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ତେଜିଲା ଛତ୍ରପୁର ବିଜେଡି ଗୋଷ୍ଠୀକନ୍ଦଳ: ବିଧାୟକଙ୍କ ସମର୍ଥକ ସାମିଲ, ମୁନା ଦାସଙ୍କୁ ପ୍ରାର୍ଥୀ ଦାବି ଉଠିଲା

ଛତ୍ରପୁର,୦୬/୧୧: ତାମ୍ପରା ହ୍ରଦ ନିକଟରେ ରବିବାର ଆୟୋଜିତ ହୋଇଛି ଛତ୍ରପୁର ନିର୍ବାଚନମଣ୍ଡଳୀ ସ୍ତରୀୟ ବନ୍ଧୁମିଳନ । ବିଜେଡି ନେତା ଓ କର୍ମୀଙ୍କୁ ନେଇ ଏହାର ଆୟୋଜନ କରିଥିଲେ ଛତ୍ରପୁର ବ୍ଲକ୍‌ ଅଧ୍ୟକ୍ଷା କିରଣୀ ଦାସଙ୍କ ସ୍ୱାମୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମୁନା ଦାସ । ଉଲ୍ଲେଖନୀୟ କଥା ଥିଲା ଯେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ବିରୋଧୀ ଭାବେ ଜଣାଶୁଣା ମୁନା ଦାସଙ୍କ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବିଧାୟକଙ୍କ ଖାସ୍‌ ସମର୍ଥକ ରୂପେ ଜଣାଶୁଣା କିଛି ନେତା । ଅପରପକ୍ଷରେ ବ୍ଲକ୍‌ ଅଧ୍ୟକ୍ଷା ନିର୍ବାଚନ ସମୟରେ କିରଣୀଙ୍କୁ ସମର୍ଥନ କରୁଥିବା ବ୍ଲକ୍‌ ଉପାଧ୍ୟକ୍ଷା ଏସ୍‌.ଶାରଦା ରେଡ୍ଡିଙ୍କ ସମେତ ଗୋଟିଏ ବଡ଼ ଗୋଷ୍ଠୀ ଏହି ବନ୍ଧୁ ମିଳନରୁ ଦୂରେଇ ରହିବା ମଧ୍ୟ ଚର୍ଚ୍ଚିତ ହୋଇଛି । ଏହାକୁ ନେଇ ଛତ୍ରପୁର ରାଜନୀତି ଉଷ୍ମ ହୋଇଛି । 

କେ.ଏଲେୟାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବନ୍ଧୁମିଳନ କାର୍ଯ୍ୟକ୍ରମରେ ମୁନା ଦାସଙ୍କୁ ଛତ୍ରପୁର ନିର୍ବାଚନମଣ୍ଡଳୀରୁ ଦଳୀୟ ବିଧାୟକ ପ୍ରାର୍ଥୀ କରାଯିବା ନେଇ ଦାବି ହୋଇଛି । ସେ ଦଳରେ ଦୀର୍ଘ ଦିନ ଧରି ରହି ଆସିଥିବା ସାଙ୍ଗକୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କ ସ୍ତ୍ରୀ ବ୍ଲକ୍‌ ଅଧ୍ୟକ୍ଷା ଅଛନ୍ତି । ଏଣୁ ତାଙ୍କୁ ଦଳ ଟିକେଟ ଦେବାର ଯଥାର୍ଥତା ରହିଥିବା ଆଲୋଚନା ହୋଇ ପ୍ରସ୍ତାବ ଗୃହୀତ ହୋଇଥିଲା । 

ଯଦିଓ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ନେତା ଓ କର୍ମୀ ଯୋଗ ଦେଇଥିଲେ ତେବେ ଉଲ୍ଲେଖନୀୟ ଏୟା ଥିଲା ଯେ- ବିଧାୟକଙ୍କ ଖାସ୍‌ ସମର୍ଥକ କୁହାଯାଉଥବା ଗଞ୍ଜାମ ଏନ୍‌ଏସି ଯୁବ ନେତା ତଥା ବିଧାୟକଙ୍କ ପୂର୍ବତନ ପ୍ରତିନିଧି ସୁଧୀର ପାଢ଼ୀ, ରାକେଶ ରଞ୍ଜନ ଦାସ, ପୋଟଲାମପୁର ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ ଏଥିରେ ଯୋଗ ଦେଇଥିଲେ । ସେମାନଙ୍କ ଉପସ୍ଥିତିରେ ବିଧାୟକ ବିରୋଧୀ ଗୋଷ୍ଠୀ ମୁନା ଦାସଙ୍କୁ ବିଧାୟକ ପ୍ରାର୍ଥୀ କରାଯିବାକୁ ଦାବି ଉଠିଥିଲା । ଛତ୍ରପୁରରୁ ବିଧାୟକ ସୁବାସ ଟିକଟ ପାଇ ନପାରନ୍ତି ବୋଲି କାଳେ ତାଙ୍କ ସମର୍ଥକ ନିଜ ଶିବିର ବଦଳାଇଛନ୍ତି କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ବିଧାୟକ ପ୍ରାର୍ଥୀ ଆଲୋଚନାକୁ ଉପରୋକ୍ତ ତିନି ଜଣ ସହଜରେ ଗ୍ରହଣ କରିବା ଚର୍ଚ୍ଚାକୁ ଖୋରାକ୍‌ ଯୋଗାଇଛି । ବ୍ଲକ ଅଧ୍ୟକ୍ଷଙ୍କ ସ୍ୱାମୀ ବିଧାୟକଙ୍କ ସମର୍ଥକଙ୍କୁ ତାଙ୍କ କ୍ୟାମ୍ପ୍‌ରେ ସାମିଲ କରିବା ସୁବାସଙ୍କ ପାଇଁ ଅଡୁଆ ହେବ ବୋଲି ଆଲୋଚନା ହେଉଛି । 

ବନ୍ଧୁ ମିଳନରେ ବ୍ଲକ୍‌ ଅଧ୍ୟକ୍ଷା କିରଣୀ ଦାସ, ସୁନ୍ଦରପୁର ସରପଞ୍ଚ ଗଗନ ବେହେରା, ଛତ୍ରପୁର ବ୍ଲକ୍‌ ବିଜେଡି ପୂର୍ବତନ ସଭାପତି ସ୍ୱପ୍ନେଶ୍ୱର ନାହାକ, ବିସିସି ବ୍ୟାଙ୍କ୍‌ ନିର୍ଦ୍ଦେଶକ ଦୁର୍ଯ୍ୟୋଧନ ରେଡ୍ଡି, ବିପୁଳିଙ୍ଗି ପୂର୍ବତନ ସରପଞ୍ଚ ନରସିଂହ ରେଡ୍ଡି, ରାମ ପରିଡା, ନରେନ୍ଦ୍ରପୁର ସମିତି ସଭ୍ୟା ପ୍ରତିନିଧି ଅଲି ସେନାପତି, ସରୋଜ ଦାସ, ପିତୁ ରେଡ୍ଡି, ସମିତି ସଭ୍ୟ ବିକାଶ ବେହେରା, ପୋଡ଼ାପଦର ସରପଞ୍ଚ ସୁଜାତା ଦାସ, ସୁଦାମ ପଲେଇ, ରାମଚନ୍ଦ୍ର ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Copyright © 2022 - Summa Real Media Private Limited. All Rights Reserved.