ନୂଆଦିଲ୍ଲୀ,୦୧/୧୦: ମୁହିଁପୁଟାଣି ଛାଡିଗଲା । ନାଟକ କରୁଥିଲେ ଏବେ ଫ୍ୟୁଜ୍ ହୋଇଗଲେ । କ୍ରିକେଟରେ ପରେ ଏବେ ହାଇଡ୍ରାମା କରି ବି ହାରିଲେ । ଏସିଆ କପ୍ ଟ୍ରଫି ବିବାଦ ନୂଆ ମୋଡ ନେଇଛି । ଶେଷରେ ଭାରତ ଆଗରେ ନଇଁଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ମୋହସିନ ନକ୍‌ଭି । ଭାରତକୁ କ୍ଷମା ମାଗିଛନ୍ତି ଏସିସି ଅଧ୍ୟକ୍ଷ ମୋହସିନ । 'ପ୍ଲିଜ କ୍ଷମା କରିଦିଅ' ବୋଲି ସେ କହିଛନ୍ତି ।

ନକ୍‌ଭି ଏସିସି ବୈଠକରେ କହିଥିଲେ, "ଯାହା ଘଟିଲା ତାହା ହେବା ଉଚିତ୍ ନୁହେଁ, କିନ୍ତୁ ଏବେ ଆମକୁ ଏକ ନୂଆ ପଦକ୍ଷେପ ନେବାକୁ ପଡିବ । ସୂର୍ଯ୍ୟକୁମାର ଯାଦବ ନିଜେ ଆସି ଟ୍ରଫି ନେବା ଉଚିତ୍। " ମଙ୍ଗଳବାର ACC ବୈଠକ ଅନୁଷ୍ଠିତ ହୋଇଥିଲା । BCCI ଏସିଆ କପ୍ ଟ୍ରଫି ପ୍ରସଙ୍ଗ ଉଠାଇଥିଲା, ଯାହା ନକଭିଙ୍କୁ କ୍ଷମା ମାଗିବାକୁ ବାଧ୍ୟ କରିଥିଲା । ଫାଇନାଲରେ ପାକିସ୍ତାନର ପରାଜୟ ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲେ । ନକଭି କିଛି ସମୟ ଅପେକ୍ଷା କରିଥିଲେ, କିନ୍ତୁ ଭାରତୀୟ ଖେଳାଳି ରାଜି ହେବାକୁ ମନା କରିଦେଇଥିଲେ । ତା'ପରେ ନକଭି ଟ୍ରଫି ଏବଂ ପଦକକୁ ସାଙ୍ଗରେ ନେଇ ଚାଲିଗଲେ ।

​​​​​​​ACC ବୈଠକରେ ମୋହସିନ ନକଭିଙ୍କୁ କୋଣଠେସା- ଏସିଆ କପ୍ ୨୦୨୫ ଟ୍ରଫିକୁ ନେଇ ବିବାଦ ମଧ୍ୟରେ, ସେପ୍ଟେମ୍ବର ୩୦ରେ ACC ବୈଠକ ବସିଥିଲା । BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏବଂ ଅନ୍ୟ ଜଣେ ପ୍ରତିନିଧି ଆଶିଷ ଶେଲାର ବୈଠକରେ ଯୋଗ ଦେଇଥିଲେ । ଟ୍ରଫି ବିବାଦ ଆଲୋଚନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହି ସମୟରେ ACC ମୁଖ୍ୟ ମୋହସିନ ନକଭିଙ୍କୁ ପ୍ରଶ୍ନ କରି ଆଶିଷ ଶେଲାର ପଚାରିଲେ, "ଆପଣ ନେପାଳକୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଜୟ ପାଇଁ ଅଭିନନ୍ଦନ କାହିଁକି ଦେଲେ, କିନ୍ତୁ ଭାରତକୁ ଏସିଆ କପ୍ ଜିତିବା ପାଇଁ ଅଭିନନ୍ଦନ କାହିଁକି ଦେଲେ ନାହିଁ ? "

ଟ୍ରଫି ବିବାଦ- ଏସିଆ କପ୍ ଫାଇନାଲରେ ଭାରତ ପାକିସ୍ତାନକୁ ୫ ୱିକେଟରେ ହରାଇ ନବମ ଥର ଚମ୍ପିଆନ ହୋଇଥିଲା । ଟିମ୍ ଇଣ୍ଡିଆ ଟାଇଟଲ ଜିତିବା ପରେ, ନକଭି ପ୍ରାୟ ଏକ ଘଣ୍ଟା ଧରି କାର୍ଟୁନ ପରି ପଡ଼ିଆରେ ଟ୍ରଫି ପ୍ରଦାନ କରିବାକୁ ଛିଡା ହୋଇଥିଲେ। ତଥାପି, ଭାରତୀୟ ଖେଳାଳିମାନେ ତାଙ୍କଠାରୁ ଟ୍ରଫି ଗ୍ରହଣ କରି ନଥିଲେ। ଏହି କାରଣରୁ ସେ ସାକ୍ଷାତ ସମୟରେ ଭାରତୀୟ ଦଳକୁ ପ୍ରଶଂସା କରିବାରୁ ନିବୃତ୍ତ ରହିଥିଲେ। ବିନା ଟ୍ରଫିରେ ଭାରତ ବିଜୟ ସେଲିବ୍ରେସନ କରିଥିଲା । ଏହାପରେ  ମୋହସିନ ଟ୍ରଫି ଓ ମେଡାଲ ନେଇ ହୋଟେଲକୁ ଚାଲିଯାଇଥିବା ଅଭିଯୋଗ କରିଥିଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ମୋହସିନ ନକଭି ବର୍ତ୍ତମାନ ଏସୀୟ କ୍ରିକେଟ ପରିଷଦର ସଭାପତି ଅଛନ୍ତି । ସେ ପାକିସ୍ତାନ କ୍ରିକେଟ ବୋର୍ଡର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରନ୍ତି। ସେ ବର୍ତ୍ତମାନର ପାକିସ୍ତାନ ସରକାରରେ ଗୃହ ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ପଦବୀ ମଧ୍ୟ ଗ୍ରହଣ କରିଛନ୍ତି ।