ନୂଆଦିଲ୍ଲୀ ୦୮/୦୯: ବୈଜ୍ଞାନିକମାନେ ଏକ ମହାକାଶୀୟ ପ୍ରଣାଳୀ ଆବିଷ୍କାର କରିଛନ୍ତି, ଯାହା ଉତ୍ତପ୍ତ ବୃହସ୍ପତି ଏବଂ ଗ୍ରହ ଓ ନକ୍ଷତ୍ରମାନଙ୍କର ବିକାଶ ସମ୍ପର୍କରେ ଅଦ୍ଭୁତପୂର୍ବ ତଥ୍ୟ ପ୍ରଦାନ କରିପାରିବ । ଉତ୍ତପ୍ତ ବୃହସ୍ପତି ହେଉଛନ୍ତି ବାହ୍ୟଗ୍ରହ ଶ୍ରେଣୀର । ଆମ ସୌରମଣ୍ଡଳର ଅନ୍ୟତମ ଗ୍ରହ ବୃହସ୍ପତି ସହ ଏହି ପିଣ୍ଡଗୁଡ଼ିକର ସାମଞ୍ଜସ୍ୟ ରହିଛି । କିନ୍ତୁ ନିଜ ନିଜ ନକ୍ଷତ୍ରର ଅତ୍ୟନ୍ତ ନିକଟତର ହେବା ଯୋଗୁ ସେମାନଙ୍କ ପୃଷ୍ଠ ତାପମାତ୍ରା ଅତ୍ୟଧିକ । ନିଜ ନିକଟସ୍ଥ ନକ୍ଷତ୍ରଗୁଡ଼ିକର ଉଜ୍ଜ୍ୱଳତା ଯୋଗୁ ଏହି ବାହ୍ୟଗ୍ରହଗୁଡ଼ିକୁ ଅଧ୍ୟୟନ କରିବା ନକ୍ଷତ୍ରବିଜ୍ଞାନୀଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜିଂ ହୋଇଥାଏ । ଅଧ୍ୟୟନର ତଥ୍ୟ ନେଚର୍ ଆଷ୍ଟ୍ରୋନୋମି ପତ୍ରିକାରେ ପ୍ରକାଶ ପାଇଛି ।
ଏହି ଆବିଷ୍କାର ଗ୍ରହୀୟ ବାୟୁମଣ୍ଡଳରେ ଚରମ ଅତିବାଇଗଣି ବିକିରଣର ପ୍ରଭାବ ଅଧ୍ୟୟନ କରିବାର ଅନନ୍ୟ ସୁଯୋଗ ପ୍ରଦାନ କରିଛି, ଯାହା ବିଭିନ୍ନ ନକ୍ଷତ୍ରବିଜ୍ଞାନ ପରିବେଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଉଭୟ ନକ୍ଷତ୍ର ଓ ଗ୍ରହଗୁଡ଼ିକର ବିକାଶରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ । ଚିଲୀରେ ୟୁରୋପୀୟ ସଦର୍ନ ଅବ୍ଜର୍ଭେଟୋରିର ଭେରି ଲାର୍ଜ ଟେଲିସ୍କୋପ୍ର ତଥ୍ୟରୁ ସଦ୍ୟ ମହାକାଶୀୟ ପ୍ରଣାଳୀ ଚିହ୍ନଟ ହୋଇଛି । ପୃଥିବୀଠାରୁ ହାରାହାରି ୧,୪୦୦ ଆଲୋକ ବର୍ଷ ଦୂରରେ ଏହା ଅବସ୍ଥିତ ଏହି ପ୍ରଣାଳୀ ଦୁଇଟି ମହାକାଶୀୟ ପିଣ୍ଡର ସମଷ୍ଟିରେ ଗଠିତ । ଏହି ପ୍ରଣାଳୀରେ ଉତ୍ତପ୍ତ ବୃହସ୍ପତି ଭଳି ନକ୍ଷତ୍ରକୁ ପରିକ୍ରମା କରୁଥିବା ବସ୍ତୁ ରହିଛି ଯାହା ଅପେକ୍ଷାକୃତ ଉତ୍ତପ୍ତ । ୱିଜ୍ମାନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ଅନୁସନ୍ଧାନକାରୀ ଡା. ନାମା ହାଲ୍ଲାକୌନ ଏ ବିଷୟରେ ସ୍ପଷ୍ଟ କରି କହିଛନ୍ତି, ଆମେ ଏକ ନକ୍ଷତ୍ରକୁ ପରିକ୍ରମା କରୁଥିବା ଉତ୍ତପ୍ତ ବୃହସ୍ପତି ଭଳି ଗ୍ରହ ଚିହ୍ନଟ କରିଛୁ ଯାହା ଅଦ୍ୟାବଧି ଆବିଷ୍କୃତ ସବୁଠୁ ଉତ୍ତପ୍ତ ବାହ୍ୟଗ୍ରହ । ସୂର୍ଯ୍ୟ ପୃଷ୍ଠଠାରୁ ଏହା ପ୍ରାୟ ୨,୦୦୦ ଡିଗ୍ରୀ ଅଧିକ ଉତ୍ତପ୍ତ ।
ଅନ୍ୟ ଉତ୍ତପ୍ତ ବୃହସ୍ପତିଠାରୁ ଭିନ୍ନ ଏହି ପିଣ୍ଡର ଅଧ୍ୟୟନ କରାଯାଇ ପାରିବ, କାରଣ ଏହା ନିଜ ସଂଚାଳକ ନକ୍ଷତ୍ରଠାରୁ ବିଶାଳ ଯାହା ନିୟମିତ ନକ୍ଷତ୍ର ତୁଳନାରେ ୧୦ ହଜାର ଗୁଣ ଦୁର୍ବଳ । ଏହି ଦ୍ୱେତମଣ୍ଡଳରେ ଦୁଇଟି କ୍ଷୁଦ୍ର ଗ୍ରହ ରହିଛି । ଗୋଟିଏ ଧଳା କ୍ଷୁଦ୍ର ଗ୍ରହ, ଯାହା ସୂର୍ଯ୍ୟ ଭଳି ଏକ ନକ୍ଷତ୍ରର ପରମାଣୁ ଇନ୍ଧନ ହ୍ରାସ ପାଇବା ପରର ଅବଶିଷ୍ଟାଂଶ । ଅନ୍ୟଟି ହେଉଛି ଧୂସର କ୍ଷୁଦ୍ର ଗ୍ରହ, ଯାହା ବୃହସ୍ପତି ଭଳି ବିଶାଳ ଗ୍ୟାସୀୟ ପିଣ୍ଡ ଓ ଏକ କ୍ଷୁଦ୍ର ନକ୍ଷତ୍ରର ମଧ୍ୟରେ ଘନତ୍ୱଯୁକ୍ତ ବସ୍ତୁ । ଧୂସର କ୍ଷୁଦ୍ର ଗ୍ରହକୁ ସାଧାରଣତଃ ବିଫଳ ନକ୍ଷତ୍ର ରୂପେ ବିବେଚନା କରାଯାଏ । ନିଜ ତାରକୀୟ ସାଥୀଙ୍କର ମାଧ୍ୟାକର୍ଷଣ ବଳକୁ ସହ୍ୟ କରିବାରେ ଏମାନେ ଅଧିକ ସଘନ ।
ଏହି ପ୍ରଣାଳୀରେ ଧୂସର କ୍ଷୁଦ୍ର ଗ୍ରହ ‘ଟାଇଡାଲ ଲକିଂ’ ନାମରେ ପରିଚିତ ଘଟଣାର ପ୍ରଦର୍ଶନ କରୁଛି, ଯେଉଁଠି ଗ୍ରହର ଗୋଟିଏ ପାଶ୍ୱର୍ ସ୍ଥାୟୀ ରୂପେ ନକ୍ଷତ୍ରକୁ ମୁହଁ କରିଥାଏ । ଫଳରେ ତା’ର ଦୁଇ ଗୋଲାର୍ଦ୍ଧ ମଧ୍ୟରେ ଚରମ ତାପମାତ୍ରା ପରିବର୍ତ୍ତନ ଥାଏ । ଦିନ ଥିବା ପାଶ୍ୱର୍ର ତାପମାତ୍ରା ୭,୦୦୦ ଓ ୯,୦୦୦ ସେଲ୍ସିୟସ୍ରେ ପହଞ୍ଚିଯାଏ, ଯାହା ଯେକୌଣସି ପରିଚିତ ବିଶାଳ ଗ୍ରହଠାରୁ ଅତ୍ୟନ୍ତ ଉତ୍ତପ୍ତ । ରାତି ଥିବା ପାଶ୍ୱର୍ର ତାପମାତ୍ରା ପ୍ରାୟ ୧,୦୦୦ ଓ ୨,୭୦୦ ସେଲ୍ସିୟସ୍ ହୋଇଯାଏ।