ଭୁବନେଶ୍ଵର, ୨୧/୧୧ : ସାଲୁଗା ପ୍ରଧାନ ହେଲେ ବିଧାନସଭା ନୂଆ ଉପବାଚସ୍ପତି। ସେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି। ଜି.ଉଦୟଗିରି ବିଧାୟକ ହେଲେ ସାଲୁଗା ପ୍ରଧାନ। ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଉପବାଚସ୍ପତି ପଦ ଖାଲି ପଡ଼ିଥିଲା।
କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ନାମ ଉପବାଚସ୍ପତି ପଦ ପାଇଁ ବିଜେଡି ପକ୍ଷରୁ ଘୋଷଣା କରାଯାଇଥିଲା । ବରିଷ୍ଠ ବିଜେଡି ବିଧାୟକ ଓ ମନ୍ତ୍ରୀମାନଙ୍କ ଗହଣରେ ଯାଇ ଶ୍ରୀ ପ୍ରଧାନ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଥିଲେ। ନାମାଙ୍କନପତ୍ର ଦାଖଲ ପୂର୍ବରୁ ବିଜେଡି ସୁପ୍ରିମୋଙ୍କୁ ଭେଟିଥିଲେ ସାଲୁଗା । ସେ କହିଥିଲେ ମୁଖ୍ୟମନ୍ତ୍ରୀ ମୋ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଯେଉଁ ଗୁରୁ ଦାୟିତ୍ୱ ଦେଇଛନ୍ତି ତାହା ମୁଁ ସୁଚାରୁରୂପେ ତୁଲାଇବି । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ସେ ଖୁସିଥିବା କହିଛନ୍ତି ।
ସାଲୁଗା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଟାକରାମାହାରେ ୧୯୫୯ ମସିହା ଅକ୍ଟୋବର ୨୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ୧୯୭୮ରେ ଦାରିଙ୍ଗବାଡ଼ି ବ୍ଲକ କୁଇ ସମାଜ ସମ୍ପାଦକ, ୧୯୯୪ରେ ଜନତା ଦଳର ଦାରିଙ୍ଗବାଡ଼ି ବ୍ଲକ ସଭାପତି ହୋଇଥିଲେ । ୧୯୯୭ରେ ସମିତି ସଭ୍ୟ ନିର୍ବାଚିତ ହେବା ସହ ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷ ହୋଇଥିଲେ । ୨୦୦୦ ନିର୍ବାଚନରେ ବିଜୁ ଜନତା ଦଳ ତାଙ୍କୁ ଦଳୀୟ ପ୍ରାର୍ଥୀ ମନୋନୀତ କରିବାରୁ ସେ ଅଧ୍ୟକ୍ଷ ପଦବି ଛାଡ଼ି ନିର୍ବାଚନ ଲଢିଥିଲେ । ଚାରି ଥର କ୍ରମାଗତ ବିଧାୟକ ଥିବା ସହ କଂଗ୍ରେସର ଭୂତପୂର୍ବ ମନ୍ତ୍ରୀ ନାଗାର୍ଜୁନ ପ୍ରଧାନଙ୍କୁ ହରାଇ ଜି.ଉଦୟଗିରିର ପ୍ରଥମ ବିଜେଡି ବିଧାୟକ ହୋଇଥିଲେ । କିଛି ଦିନ ତଳେ ତାଙ୍କୁ ଜିଲ୍ଲା ବିଜେଡି ସଭାପତି ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି । ୩୮ ବର୍ଷ ପରେ ଅବିଭକ୍ତ ଫୁଲବାଣୀ ଜିଲ୍ଲାରୁ ସାଲୁଗାଙ୍କୁ ଉପବାଚସ୍ପତି ପଦ ମିଳିଛି । ପୂର୍ବରୁ ଅବିଭକ୍ତ ଫୁଲବାଣୀ ଜିଲ୍ଲାରୁ ତତ୍କାଳୀନ ବୌଦ୍ଧ ବିଧାୟକ ତଥା କଂଗ୍ରେସ ନେତା ହିମାଂଶୁ ଶେଖର ପାଢ଼ୀ ବିଧାନସଭା ଉପବାଚସ୍ପତି ହେବାର ସୌଭାଗ୍ୟ ଅର୍ଜନ କରିଥିଲେ।