ଷ୍ଟକ୍ହୋଲ୍ମ, ୧୫/୧୧ : ବିଶ୍ୱ ଆଥଲେଟିକ୍ସ (ଡବ୍ଲ୍ୟୁଏ) ପକ୍ଷରୁ ଶ୍ରେଷ୍ଠ ପୁରୁଷ ଆଥଲେଟ୍ ପୁରସ୍କାର ପାଇଁ ଚୂଡ଼ାନ୍ତ ୫ଜଣିଆ ତାଲିକା ଘୋଷଣା ହୋଇଛି । ଏହି ତାଲିକାର ଅଲିମ୍ପିକ୍ ଏବଂ ବିଶ୍ୱ ଚାମ୍ପିଅନ୍ ଭାରତର ଜାଭେଲିନ ତାରକା ନୀରଜ ଚୋପ୍ରା ସ୍ଥାନ ପାଇଛନ୍ତି । ଅନ୍ତର୍ଜାତୀୟ ଆଥଲେଟିକ୍ ବିଶେଷଜ୍ଞ ପ୍ୟାନେଲ ପକ୍ଷରୁ ପୂର୍ବରୁ ଏହି ପୁରସ୍କାର ପାଇଁ ୧୧ ଜଣିଆ ତାଲିକା ମନୋନୀତ କରାଯାଇଥିଲା । ଏହାପରେ ଭୋଟିଂ ଜରିଆରେ ୫ଜଣିଆ ତାଲିକା ଚୂଡ଼ାନ୍ତ କରାଯାଇଛି ।
ଆସନ୍ତା ଡିସେମ୍ବର ୧୧ ତାରିଖରେ ଡବ୍ଲ୍ୟୁଏ ପ୍ଲାଟ୍ଫର୍ମରେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ । ଶ୍ରେଷ୍ଠ ଆଥଲେଟ୍ ପୁରସ୍କାର ତାଲିକାରେ ନୀରଜଙ୍କ ସମେତ ଆମେରିକାର ସଟ୍ପୁଟ୍ ତାରକା ରିୟାନ କ୍ରାଉଜର, ୧୦୦ମି. ଏବଂ ୨୦୦ମି. ଚାମ୍ପିଅନ୍ ନୋଆ ଲାଇଲ୍ସ, ସ୍ୱିଡେନର ପୋଲ୍ ଭଲ୍ଟ ଷ୍ଟାର୍ ମୋଣ୍ଡୋ ଡୁପ୍ଲାଣ୍ଟିସ୍ ଏବଂ କେନିଆର ମାରଥନ ତାରକା କେଲଭିନ୍ କିପଟମ୍ ପ୍ରମୁଖ ସାମିଲ୍ ରହିଛନ୍ତି । ନୀରଜ ଚଳିତ ବର୍ଷ ବିଶ୍ୱ ଚାମ୍ପିଅନ୍ ହେବା ସହ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସଟ୍ପୁଟରେ କ୍ରାଉଜର ବିଶ୍ୱ ଚାମ୍ପିଅନ୍ ହୋଇଥିବାବେଳେ ତାଙ୍କ ନାମରେ ବିଶ୍ୱ ରେକର୍ଡ଼ ରହିଛି । ଲାଇସ୍ ବିଶ୍ୱ ଚାମ୍ପିଅନସିପ୍ରେ ୧୦୦ମି., ୨୦୦ମି. ଦୌଡ଼ରେ ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇଥିବାବେଳେ ୨୦୦ମିଟର ଦୌଡ଼ରେ କ୍ରମାନ୍ୱୟରେ ୬ଟି ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଛନ୍ତି । ଡୁପ୍ଲାଣ୍ଟିସ୍ଙ୍କ ନାମରେ ପୋଲ୍ଟ ଭଲ୍ଟ ବିଶ୍ୱ ରେକର୍ଡ଼ ରହିଛି । ସେ ବିଶ୍ୱ ଚାମ୍ପିଅନସିପ୍ ଏବଂ ଡାଏମଣ୍ଡ୍ ଲିଗ୍ ଚାମ୍ପିଅନ୍ ହୋଇଥିଲେ ।