ଭୁବନେଶ୍ୱର, ୧୪।୮: ବାଂଲାଦେଶୀମାନଙ୍କ ଭିତରେ ବହୁଦିନ ଧରି ତିକ୍ତତା ଲାଗିରହିଛି । କିଛି ଉପଦ୍ରବୀ ଏହି ଅବସ୍ଥାରେ ଇନ୍ଧନ ଦେବା ଭଳି କରୁଥିବାରୁ ତାହା ତେଜିବାରେ ଲାଗିଛି । ମାତ୍ର ସମସ୍ତଙ୍କ ମନ ଭିତରେ ଶାନ୍ତି ଓ ସହୃଦୟତା ପାଇଁ ରହିଛି ଉନ୍ମୁଖ ଭାବ । ସଦ୍ୟ ଉତ୍ପନ୍ନ ସ୍ଥିତିରେ ଭାରତ ସେ ଦେଶ ସରକାରଙ୍କ ସହିତ ନିରବଚ୍ଛିନ୍ନ ଯୋଗାଯୋଗରେ ରହି ହିନ୍ଦୁମାନଙ୍କ ଉପରେ ହେଉଥିବା ଅକଥନୀୟ ଆକ୍ରମଣର ଯେପରି ତୁରନ୍ତ ଅବସାନ ଘଟେ ସେ ଦିଗରେ ପ୍ରୟାସୀ ହେବା କାମ୍ୟ ।
ଦୀର୍ଘ ସମୟ ଧରି ବାଂଲାଦେଶର ପ୍ରଧାନମନ୍ତ୍ରୀ ରହିଥିବା ଶେଖ୍ ହାସିନା ୱାଜେଦ୍ କ୍ଷମତାଚ୍ୟୁତ ହେବାପରେ ଦେଶରେ ଉତ୍ତାଳ ସ୍ଥିତି ସୃଷ୍ଟି ହୋଇଛି । ବାଂଲାଦେଶୀମାନଙ୍କ ଉପରେ ଆକ୍ରମଣ ଓ ହିଂସା ଚରମ ରୂପ ଧାରଣ କରିଛି । ନୂଆ କରି ଦେଶ ଶାସନ ଦଣ୍ଡ ଧରିଥିବା ମହମ୍ମଦ ୟୁନୁସ୍ ଓ ତାଙ୍କ ସରକାର ଅବସ୍ଥା ନିୟନ୍ତ୍ରଣ କରିବା ସକାଶେ ଯତ୍ପରୋନାସ୍ତି ପ୍ରୟାସ ଚଳାଇଛନ୍ତି । ନୋବେଲ ପୁରସ୍କାର ବିଜେତା ୟୁନୁସ୍ କିଭଳି ସ୍ଥିତି ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ହେବେ, ତାହା ଦେଖାଯିବାର କଥା । ବିପରୀତ ପକ୍ଷରେ ଅଶାନ୍ତି ଦମନ ସକାଶେ ହେଉଥିବା ଉଦ୍ୟମ ସତ୍ତେ୍ୱ ତ୍ରିପୁରା ଓ ଆସାମ ଭିତରେ ବାଂଲାଦେଶୀଙ୍କ ଅନୁପ୍ରବେଶ ସ୍ଥିତିକୁ ଅଧିକ ଜଟିଳ କରିଦେଇଛି । ୟୁନୁସ୍ ବାଂଲାଦେଶୀମାନଙ୍କୁ ଭାଇ ଭାବରେ ସମ୍ବୋଧନ କରିବା ସହ ଶାନ୍ତି ପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି । ହାସିନା ୱାଜେଦ୍ ଦେଶାନ୍ତରୀ ହେବାପରେ ଭାରତ ସହ ତାଙ୍କ ଦେଶର ସମ୍ପର୍କ କିଭଳି ହେବ, ତାହା ବହୁ ମୂଲ୍ୟ ପ୍ରଶ୍ନ ହୋଇ ଛିଡ଼ା ହୋଇଛି ।
ଦିନକୁ ଦିନ ବାଂଲାଦେଶରେ ସଂଖ୍ୟାଲଘୁ ନାଗରିକ, ଏବଂ ବିଶେଷ କରି ହିନ୍ଦୁ ଲୋକଙ୍କ ଉପରେ ଅକଥନୀୟ ଆକ୍ରମଣ ହେଉଥିବାର ଖବର ପ୍ରସାରିତ ହେବାରେ ଲାଗିଛି । ଏହାକୁ ସେ ଦେଶର କାମଚଳା ସରକାରଙ୍କ ମୁଖ୍ୟ ଡକ୍ଟର ମହମ୍ମଦ ୟୁନୁସ୍ ମଧ୍ୟ ସ୍ୱୀକାର କରିଛନ୍ତି ଏବଂ ସେଥିପାଇଁ ସେ ହିନ୍ଦୁମାନଙ୍କ ନିକଟରେ କ୍ଷମାପ୍ରାର୍ଥୀ ହୋଇଛନ୍ତି । ମଙ୍ଗଳବାର ଦିନ ଡକ୍ଟର ୟୁନୁନ୍ ହିନ୍ଦୁ ଛାତ୍ର ନେତୃବର୍ଗଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି । କିନ୍ତୁ ଦେଶର ଶାସନଭାର ଗ୍ରହଣ କରିବା ପରେ ତାଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି ଶାନ୍ତି ଫେରାଇ ଆଣିବା ସହିତ ପ୍ରତ୍ୟେକ ନାଗରିକଙ୍କ ଧନଜୀବନ ପ୍ରତି ସୁରକ୍ଷା ପ୍ରଦାନ କରିବା । ଏହା ତାଙ୍କ ସ୍ଥିତିକୁ ଯେତିକି ମଜଭୁତ କରିବ ଜନସାଧାରଣଙ୍କର ତାଙ୍କ ଉପରେ ସେତିକି ଆସ୍ଥା ବୃଦ୍ଧି ପାଇବ । ଅରାଜକତା ଯେତିକି ବୃଦ୍ଧି ପାଇବ ଧନଜୀବନ ସେତିକି ହାନି ହେବ ଏବଂ ପରିସ୍ଥିତି ସେତିକି ଅଣଆୟତ୍ତ ହୋଇପଡ଼ିବ । ବାଂଲାଦେଶ ପରିସ୍ଥିତି ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି ଏବଂ ଯଥାଶୀଘ୍ର ସେ ଦେଶ ସରକାରଙ୍କ ସହିତ ଯୋଗାଯୋଗ ସ୍ଥାପନ କରି ହିନ୍ଦୁମାନଙ୍କ ସୁରକ୍ଷା ନିମନ୍ତେ କୂଟନୈତିକ ଚାପ ପ୍ରୟୋଗ କରିବାର ସମୟ ଉପସ୍ଥିତ ହୋଇଛି ।
ପୂର୍ବତନ ପୂର୍ବ-ପାକିସ୍ତାନ (ପରେ ବାଂଲାଦେଶ ଭାବେ ନାମିତ) ଓ ପଶ୍ଚିମବଙ୍ଗ ଭିତରେ ଦୁଇ ଭଉଣୀ ଭଳି । ପାକିସ୍ତାନ ବିଭାଜନର ନେତୃତ୍ୱ ବଙ୍ଗବନ୍ଧୁ ମୁଜିବୁର ରହମାନ ନେଇଥିଲେ ଏବଂ ସେଥିପାଇଁ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀ ସମସ୍ତ ସମର୍ଥନ ଯୋଗାଇଥିଲେ । ଭାରତକୁ ପୂର୍ବ-ବଙ୍ଗରୁ ଆସିଥିବା ଶରଣାର୍ଥୀମାନଙ୍କର ବୋଝ ବହୁଦିନ ଧରି ସମ୍ଭାଳିବାକୁ ପଡ଼ିଥିଲା । ଉଭୟ ବାଂଲାଦେଶ ଓ ପଶ୍ଚିମବଙ୍ଗରେ ସମ୍ପ୍ରତି ଉତ୍ପନ୍ନ ଜଟିଳତା ଦୂର ସକାଶେ ଭାରତ ସରକାରଙ୍କର ହସ୍ତକ୍ଷେପ ଅଧିକ ଜରୁରି ମନେହୁଏ । ତାତ୍କାଳିକ ବିବାଦର ଦୂରଗାମୀ ସମାଧାନ ପାଇଁ ଆମ ଦେଶର ପ୍ରୟାସ ରହିବ । ଉଭୟ ବଙ୍ଗଳା ପାଇଁ ଏଭଳି ଯନ୍ତ୍ରଣାଦାୟକ ସ୍ଥିତି ଲାଗି ରହିବା କୌଣସି ଭାବରେ ଶୁଭଙ୍କର ନୁହେଁ । ସାମୟିକ ତଥା ତାତ୍କାଳିକ ସମସ୍ୟା ଏମିତିରେ ରହିବ । କିନ୍ତୁ ଭାରତ ଓ ସମଗ୍ର ଦକ୍ଷିଣ-ଏସିଆ ଏଭଳି ସ୍ଥିତିରେ ମିଳିତ ଦାୟିତ୍ୱ ନିର୍ବାହ କରିବାକୁ ପଛାଇ ନପାରନ୍ତି । ଦକ୍ଷିଣ-ଏସୀୟ ଦେଶଗୁଡ଼ିକ ଭିତରେ ବହୁକାଳ ପର୍ଯ୍ୟନ୍ତ ଏକତା ରହିଥିଲା । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଜି-୨୦ ଦେଶମାନଙ୍କର ସମ୍ମିଳନୀ କରି ବସୁଧୈବ କୁଟୁମ୍ବକମ୍ ବାର୍ତ୍ତା ଦେଇ ଏକତା ସୂତ୍ରରେ ବାନ୍ଧିବାର ପ୍ରୟାସ କରିଥିଲେ । ଭାରତ, ବାଂଲାଦେଶ, ମାଳଦ୍ୱୀପ, ଶ୍ରୀଲଙ୍କା, ଭୁଟାନ ଭଳି ଦେଶ ଦକ୍ଷିଣ-ଏସିଆ କ୍ଷେତ୍ରରେ ପରସ୍ପର ପରିପୂରକ ସତ୍ତା ଭାବରେ ବିବେଚିତ ହୋଇଥାନ୍ତି । ଉପସ୍ଥିତ ଜଟିଳତାର ଅବସାନ ପାଇଁ ମିଳିତ ଆଭିମୁଖ୍ୟ ପୋଷଣ କରାଯିବାର ଆବଶ୍ୟକତା ରହିଛି ।
ବାଂଲାଦେଶୀମାନଙ୍କ ଭିତରେ ବହୁଦିନ ଧରି ତିକ୍ତତା ଲାଗିରହିଛି । କିଛି ଉପଦ୍ରବୀ ଏହି ଅବସ୍ଥାରେ ଇନ୍ଧନ ଦେବା ଭଳି କରୁଥିବାରୁ ତାହା ତେଜିବାରେ ଲାଗିଛି । ମାତ୍ର ସମସ୍ତଙ୍କ ମନ ଭିତରେ ଶାନ୍ତି ଓ ସହୃଦୟତା ପାଇଁ ରହିଛି ଉନ୍ମୁଖ ଭାବ । ସୁତରାଂ, ଭାରତର ଏ ଦିଗରେ ଇତିବାଚକ ହସ୍ତକ୍ଷେପ ପାଇଁ ରହିଛି ଅପାର ସୁଯୋଗ । ଆମ ଦେଶରେ ବହୁ ବାଂଲାଦେଶୀ ପୂର୍ବଦିନରୁ ବସବାସ କରିଆସୁଛନ୍ତି । ସେମାନଙ୍କ ଜମିପଟ୍ଟା ଇତ୍ୟାଦି ନେଇ ସମସ୍ୟା ଲାଗିରହିଥିବା ବେଳେ ଗଳାବାଟ ଦେଇ ସେମାନେ ଅନୁପ୍ରବେଶ କରି ଶରଣାର୍ଥୀ ସମସ୍ୟାକୁ ଅଧିକ ଗୋଳିଆ କରିଦେବାର ଆଶଙ୍କା ରହିଛି । ସୁତରାଂ, ପୂରା ପ୍ରକରଣର ଅନୁଶୀଳନପୂର୍ବକ ସମାଧାନର ରାସ୍ତା ବାହାର କରାଯିବା ଆବଶ୍ୟକ ବୋଲି ଟୀକାକାର ମତ ରଖୁଛନ୍ତି । ଏଭଳି ସ୍ଥିତିରେ ଯଥାଶୀଘ୍ର ପୂର୍ଣ୍ଣଚ୍ଛେଦ ପଡ଼ୁ ।