କ୍ୱାଲାଲୁମ୍ପୁର,୨୧/୧୨: ୧୯ବର୍ଷରୁ କମ୍‌ ମହିଳା ଏସିଆ କପ୍‌ ଟି-ଟ୍ୱେଣ୍ଟିରେ ଫାଇନାଲ୍‌ ଲାଇନ୍‌ ଚୂଡ଼ାନ୍ତ  । ଆସନ୍ତା ୨୨ ତାରିଖରେ  ଭାରତ ଓ ବାଂଲାଦେଶ ମଧ୍ୟରେ ଟାଇଟଲ୍‌  ପାଇଁ ଲଢ଼େଇ ହେବ ।

ଶୁକ୍ରବାର ସୁପର-୪ ରାଉଣ୍ଡର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ୪ ୱିକେଟ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ଏଥିସହ ଦଳ ସର୍ବାଧିକ  ୭ ପଏଣ୍ଟ (+୩.୨୬୬ ରନ୍‌ରେଟ୍‌)  ସହ ଶୀର୍ଷ ସ୍ଥାନରେ ରହି ଫାଇନାଲ୍‌ରେ ପ୍ରବେଶ କରିଥିଲା । ଅନ୍ୟ ଏକ ମ୍ୟାଚ୍‌ରେ  ବାଂଲାଦେଶ ୯ ୱିକେଟ୍‌ରେ ନେପାଳକୁ  ହରାଇଥିଲା । ଦଳ ମୋଟ ୬ପଏଣ୍ଟ ସହ  ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଥିଲା । 

ଶୁକ୍ରବାର ଭାରତଠୁ ବ୍ୟାଟିଂ ଆମନ୍ତ୍ରଣ ପାଇ  ଶ୍ରୀଲଙ୍କା ୯ ୱିକେଟ୍‌ ହରାଇ ୯୮ ରନ୍‌ ସଂଗ୍ରହ  କରିଥିଲା । ଅଧିନାୟିକା ମାନୁଦି ନାନାୟକାରା ୩୩ (୧ଚୌକା, ୨ଛକା), ସୁମୁଡୁ  ନିଶାନସାଳା ୨୧ରନ୍‌ କରିଥିବାବେଳେ  ଅନ୍ୟ କୌଣସି ବ୍ୟାଟର ୨ଅଙ୍କ ଛୁଇଁ  ପାରିନଥିଲେ । ଭାରତ ପକ୍ଷରୁ ଆୟୂଷି  ୪ଟି, ପାରୁଣିକା ସିସୋଦିଆ ୨ଟି ଏବଂ ସବନମ୍‌ ସକିଲ ଓ ଦ୍ରିତି କେଶରୀ ପ୍ରତ୍ୟେକ  ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ । 

୯୯ରନ୍‌ର ବିଜୟ ଲକ୍ଷ୍ୟ ନେଇ  ଭାରତ ବ୍ୟାଟିଂ ଆରମ୍ଭ କରି ପ୍ରାରମ୍ଭିକ  ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।  ୫ରନ୍‌ ମଧ୍ୟରେ ଦଳ ୨ଟି ୱିକେଟ୍‌  ହରାଇଥିଲା । ଇଶ୍ୱରୀ ଆୱାସାରେ  (୦) ଓ ସାନିକା ଚଲକେ (୪) ସହଳ  ଆଉଟ୍‌ ହୋଇଥିଲେ । ଅନ୍ୟ ଓପନର ଜ.  କମଳିନୀ ଓ ଗଙ୍ଗୋଦି ତ୍ରିଶା ଦୃଢ଼ ବ୍ୟାଟିଂ  କରି ସ୍କୋରକୁ ୬୮ରେ ପହଞ୍ଚାଇ ଥିଲେ ।  ତ୍ରିଶା ୨ଚୌକା ଓ ୩ଛକା ବଳରେ ୩୨ରନ୍‌  କରି ଆଉଟ୍‌ ହୋଇଥିଲେ । ପରେ ପରେ  କମିଳନୀ ୨୮ (୩ଚୌକା, ୧ଛକା),  ନିକି ପ୍ରସାଦ ୩ ଓ ଭାବିକା ଆହିରେ  ୭ରନ୍‌ କରି ପାଭିଲିୟନ ଫେରିଥିଲେ । ମାତ୍ର ମିଥିଳା ବିନୋଦ ଅପରାଜିତ  ୧୭ରନ୍‌ ଯୋଗ କରିବା ଫଳରେ ଭାରତ  ୩୧ଟି ବଲ୍‌ ବାକି ଥାଇ ୬ ୱିକେଟ୍‌ ବିନିମୟରେ ବିଜୟ ହାସଲ କରିଥିଲା ।  ଭାରତୀୟ ସ୍ପିନର ଆୟୂଷି ପ୍ଲେୟାର ଅଫ୍‌  ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।