ଏମ୍ସରେ ଅତ୍ୟାଧୁନିକ ବର୍ଣ୍ଣ ୟୁନିଟ୍ର ଭିତ୍ତିପ୍ରସ୍ତର

ଭୁବନେଶ୍ୱର,୧୨ ।୩(ବ୍ୟୁରୋ): ଏମ୍ସରେ ଖୋଲିବ ଅତ୍ୟାଧୁନିକ ଜଳାପୋଡ଼ା (ବର୍ଣ୍ଣ) ୟୁନିଟ୍ । ଖାଲି ଓଡ଼ିଶା ନୁହେଁ, ପୂରା ପୂର୍ବ ଭାରତର ସବୁଠୁ ଅତ୍ୟାଧୁନିକ ହେବ ଏହି ୟୁନିଟ୍ । ଏହି ଅତ୍ୟାଧୁନିକ ୟୁନିଟ୍ ପାଇଁ ଆଜି ଭିତ୍ତିପ୍ରସ୍ତର ପଡ଼ିଛି । ଏମ୍ସର ନିର୍ଦ୍ଦେଶକ ପ୍ରଫେସର ଗିତାଞ୍ଜଳୀ ବାତ୍ମାନବାନେ ଆଜି ଏହାର ଶୁଭ ଦେଇଛନ୍ତି ।
ଅତ୍ୟାଧୁନିକ ୟୁନିଟ୍ର ନିର୍ମାଣ ଦାୟିତ୍ୱ ଏନ୍ଟିପିସି (ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ୍) ନେଇଛି । ଏନ୍ଟିପିସି ନିଜର କର୍ପୋରେଟ ସାମଜିକ ଦାୟିତ୍ୱବୋଧ ପାଣ୍ଠି (ସିଏସ୍ଆର)ରୁ ଏହି ଟଙ୍କା ଦେବ । ଏ ନେଇ ପୂର୍ବରୁ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର ହୋଇସାରିଛି । ବର୍ନ ୟୁନିଟ୍ ପାଇଁ ୧୪ କୋଟି ୮୭ ଲକ୍ଷ ଟଙ୍କା ଖର୍ଚ୍ଚ କରିବ ଏନ୍ଟିପିସି । ୟୁନିଟ୍ରେ ୫୦ ଟି ବେଡ୍ ରହିବ । ଯେଉଁଥିରେ ୬ ଟି ଆଇସିୟୁର ବେଡ୍ ମଧ୍ୟ ରହିବ । ଏଥିରେ ସ୍ୱତନ୍ତ୍ର ଓଟି (ଅପରେସନ ଥିଏଟର) ରହିବ । ଏହାବାଦ୍ ହ୍ୱିରପୁଲର ଜେଟ୍ ବାଥିଂ ସିଷ୍ଟମ ମଧ୍ୟ ରହିବ । ୟୁନିଟ୍ରେ ୨୪ ଘଣ୍ଟିଆ ସେବା ମିଳିବାକୁ ଥିବା ବେଳେ ଚର୍ମ ସଂରକ୍ଷଣ କରିବାକୁ ସ୍କିନ୍ (ଚର୍ମ) ବ୍ୟାଙ୍କ ତିଆରି ହେବ । ଯେଉଁଠି ଲୋକମାନେ ଚର୍ମଦାନ କରି ପାରିବେ । ଏହି ଚର୍ମକୁ ଅନ୍ୟ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯାଇପାରିବ । ତେବେ ୟୁନିଟ୍ ପାଇଁ କେବଳ ବିଲ୍ଡିଂ ଯୋଗାଇ ଦେବ ଏମ୍ସ । ୟୁନିଟ୍ ପ୍ଲାଷ୍ଟିକ ସର୍ଜରୀ ବିଭାଗ ଅଧୀନରେ କାମ କରିବ । ରୋଗୀ ଚିକିତ୍ସାର ସମସ୍ତ ଦାୟିତ୍ୱ ପ୍ଲାଷ୍ଟିକ ସର୍ଜରୀ ବିଭାଗ ବହନ କରିବ ।
ନୂଆ ୟୁନିଟ୍ ଖୋଲିଲେ ପୂର୍ବ ଭାରତର ସବୁଠୁ ଅତ୍ୟାଧୁନିକ ସର୍ବୋକୃଷ୍ଟ କେନ୍ଦ୍ର ଭାବେ ଖ୍ୟାତି ଆଣିବ ବୋଲି ନିର୍ଦ୍ଦେଶକ ପ୍ରଫେସର ବାତମାନବାନେ ଆଶାବ୍ୟକ୍ତ କରିଛନ୍ତି । ଉପରାଷ୍ଟ୍ରପତି ଗତ ବର୍ଷ ଅଗଷ୍ଟ ୧୬ ତାରିଖରେ ଆସିଥିବା ବେଳେ ୟୁନିଟ୍ ପାଇଁ ଶିଳାନ୍ୟାସ କରିଥିଲେ । ଆଜିର ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ଏମ୍ସର ଅଧୀକ୍ଷକ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି, ବର୍ଣ୍ଣ ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗର ସଞ୍ଜୟ ଗିରି, ଏନ୍ଟିପିସିର ଜିଏମ୍ (ଓଏସ୍)ବି ବି ତ୍ରିପାଠୀ ଏଥିରେ ସାମିଲ ହୋଇଥିଲେ ।