ନୂଆଦିଲ୍ଲୀ,୧୫/ ୦୧: ନ୍ୟୁଜିଲାଣ୍ଡରେ ଶୋଚନୀୟ ପରାଜୟର ଶିକାର ହୋଇଥିବା ପାକିସ୍ତାନ ଟିମ୍ ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ଅଣ୍ଟା ଭିଡିଲାଣି। ଦିକ୍ଷଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ପାକିସ୍ତାନ ଦଳରେ କରିଛି ବଡ଼ ଧରଣର ଅଦଳବଦଳ। ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ପାକିସ୍ତାନ ଦଳରୁ ୬ ଜଣ ଖେଳାଳିଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି।
ପାକିସ୍ତାନ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା ମହମ୍ମଦ ଓ୍ବାସିମ୍ ଶୁକ୍ରବାର ଦିନ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ୨୦ ଜଣିଆ ଟିମ୍ ଘୋଷଣା କରିଛନ୍ତି। ଘରୋଇ ସିଜିନରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ମଧ୍ୟ ଟିମରେ ସ୍ଥାନ ମିଳିଛି। ଟିମ୍ରେ୯ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଏହି ଟିମ୍କୁ କମା ଯାଇ ୧୬ ଜଣରେ ସୀମିତ ରଖାଯିବ । ସୂଚନାଥାଉକି ଦକ୍ଷିଣ ଆଫ୍ରିକା ଦଳ ଶନିବାର ଦିନ କରାଚୀରେ ପହଁଞ୍ଚିବ।
ଦକ୍ଷିଣ ଆଫ୍ରିକା-ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଜାନୁଆରୀ ୨୬ ତାରିଖରେ ଖେଳାଯିବ। ସଉଦ ଶାକୀଲ, କାମରାନ୍ ଗୁଲାମ, ଅଲରାଉଣ୍ଡର ଆଗା ସଲମାନ୍, ବାମହାତୀ ସ୍ପିନର ନୌମାନ ଅଲୀ , ଅଫ୍ ସ୍ପିନର ସାଜିଦ ଖାନ୍, ଦ୍ରୁତ ବୋଲର ହସନ ଅଲୀ ଓ ତାବିଶ ଖାନ୍ ପ୍ରଥମ ଥର ପାଇଁ ପାକିସ୍ତାନ ଟିମରେ ସ୍ଥାନ ପାଇଛନ୍ତି। ଚୟନକର୍ତ୍ତା ଯୁବ ବ୍ୟାଟସମ୍ୟାନ୍ ଅବ୍ଦୁଲ ଶାଫୀକଙ୍କୁ ମଧ୍ୟ ଟେଷ୍ଟ ଟିମରେ ସାମିଲ କରିଛନ୍ତି।
୩୬ ବର୍ଷିୟ ତାବିଶ ଖାନ୍ ୨୦୦୨ ମସିହାରେ ଫାଷ୍ଟ କ୍ଲାସ୍ କ୍ରିକେଟରେ ଡେବ୍ୟୁ କରିଥିଲେ। ଦ୍ରୁତ ବୋଲର ତାବିଶ ଖାନ୍ ୧୩୭ଟି ଫାଷ୍ଟ କ୍ଲାସ୍ ମ୍ୟାଚ ଖେଳି ୫୯୮ଟି ଓ୍ବିକେଟ ନେଇଛନ୍ତି। ଚଳିତ ସିଜିନରେ ସେ ୩୦ ଓ୍ବିକେଟ ମଧ୍ୟ ନେଇ ସାରିଛନ୍ତି। ତାବିଶ ୫୮ଟି ଲିଷ୍ଟ ଏ ମ୍ୟାଚ୍ ଖେଳି ୭୩ଟି ଓ୍ବିକେଟ ନେଇଥିବା ବେଳେ ୪୩ଟି ଟ-୨୦ ମ୍ୟାଚ୍ ଖେଳି ୪୨ଟି ଓ୍ବିକେଟନ୍ ନେଇଛନ୍ତି।