ନୂଆଦିଲ୍ଲୀ,୨୦/୦୧(ପ୍ରସ୍ତୁତି) ବିମଳ କୁମାର ରାଉଳ: ପୂର୍ବରୁ ପାକିସ୍ତାନ ସହ ସଂପର୍କ ଭଲ ନଥିଲା, ଏବେ ବାଂଲାଦେଶ ସହ ତିକ୍ତତା ବଢ଼ି ବଢ଼ି ଚାଲିଛି । ଜଣେ ପରେ ଜଣେ ପଡୋଶୀ ରାଷ୍ଟ୍ରଙ୍କ ସହ ଭାରତର କ୍ରୀଡ଼ା ସଂପର୍କ ବିଗିଡ଼ିବାରେ ଲାଗିଛି । ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳିବା ନେଇ ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ଦଳ ଭାରତ ଗସ୍ତରେ ଆସିବ ନାହିଁ ବୋଲି ମନା କରି ଦେଇଛି । ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅହମ୍ମଦାବାଦରେ ଆୟୋଜିତ ହେବ । ପୁଣି ୨୦୩୬ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ ଅଧିକାର ହାସଲ କରିବା ନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ଏଭଳି ସମୟରେ ପଡୋଶୀ ରାଷ୍ଟ୍ରଙ୍କ ସହ କ୍ରୀଡ଼ା କ୍ଷେତ୍ରରେ ସୁସଂପର୍କ ରକ୍ଷା ଦିଗରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।
ବାଂଲାଦେଶ ସହ ବିଗୁଡୁଛି କ୍ରୀଡା ସମ୍ପର୍କ- ଶେଖ ହାସିନାଙ୍କ ସରକାରର ପତନ ପରେ ବାଂଲାଦେଶରେ ଯେମିତି ଅରାଜକତା ଦେଖା ଦେଇଛି । ଯଦିଓ ମହମ୍ମଦ ୟୁନୁସ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ରହିଛନ୍ତି, କିନ୍ତୁ ସେ ଦାୟିତ୍ୱ ନେବା ଠାରୁ ଭାରତ ପ୍ରତି ବାଂଲାଦେଶ ସରକାରଙ୍କ ପୂର୍ବ ଆଭିମୁଖ୍ୟ ବଦଳି ଯାଇଛି । ଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କୁ ଆକ୍ରମଣ ଓ ହତ୍ୟା ନିୟମିତ ଘଟଣା ପାଲଟି ଯାଇଛି । ଯାହାକୁ ନେଇ ଭାରତରେ ବିରୋଧର ସ୍ୱର ଉଠିବା ପରେ ବିସିସିଆଇ ଶେଷରେ ବାଧ୍ୟ ହୋଇ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲରୁ ବିଦା କରିଥିଲା । ଆଉ ଏହାପରେ ଭାରତବାଂଲାଦେଶ କ୍ରୀଡ଼ା ରାଜନୀତି ଅଧିକ ତୀବ୍ର ହୋଇଛି । ଫେବ୍ରୁଆରୀ ୭ରୁ ଭାରତ ଓ ଶ୍ରୀଲଙ୍କାରେ ଆୟୋଜିତ ହେବ ଟି-ଟ୍ୱେଣ୍ଟି ବିଶ୍ୱକପ୍ । ରେହମାନଙ୍କୁ ଆଇପିଏଲରୁ ବାଦ ଦିଆଯିବା ପରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଭାରତରେ ବିଶ୍ୱକପ୍ ଖେଳିବ ନାହିଁ ବୋଲି ଘୋଷଣା କରିଥିଲା ।
ମୁସ୍ତାଫିଜୁରଙ୍କୁ ବିଦା କଲା କେକେଆର- ଆଇପିଏଲରୁ ବାଂଲାଦେଶୀ ଖେଳାଳିଙ୍କୁ ବିଦା କରିବା ନେଇ ସୋସିଆଲ ମିଡିଆରେ ଦାବି ଉଠିବା ପରେ ବିସିସିଆଇ ଶେଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ମୁସ୍ତାଫିଜୁରଙ୍କୁ ବିଦା କରି ତାଙ୍କ ସ୍ଥାନରେ ନୂଆ ଖେଳାଳିଙ୍କୁ ସାମିଲ କରିବା ନେଇ ବୋର୍ଡ ପକ୍ଷରୁ କୋଲକାତା ନାଇଟ୍ ରାଇଡର୍ସକୁ କୁହାଯାଇଥିଲା । ନାଇଟ୍ ରାଇଡର୍ସ ନିର୍ଦ୍ଦେଶ ପାଇବା ମାତ୍ରେ ମୁସ୍ତାଫିଜୁରଙ୍କୁ ତୁରନ୍ତ ଦଳରୁ ବିଦା କରି ଦେଇଥିଲା ।
ବାଂଲାଦେଶର ଚରମ ନିଷ୍ପତ୍ତି- ଗତ ୪ ତାରିଖରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)ର ଜରୁରିକାଳୀନ ବୈଠକ ବସିଥିଲା । ବୈଠକ ପରେ ପ୍ରେସ ବିଜ୍ଞପ୍ତି ଜାରି କରି ବିସିବି ପକ୍ଷରୁ କୁହାଯାଇଥିଲା ଯେ, ‘ଆମ ସରକାରଙ୍କ ପରାମର୍ଶ କ୍ରମେ ଖେଳାଳିଙ୍କ ସୁରକ୍ଷା ଓ ମର୍ଯ୍ୟାଦାକୁ ଦୃଷ୍ଟି ଦେଇ ବାଂଲାଦେଶ କ୍ରିକେଟ୍ ଦଳ ବର୍ତ୍ତମାନ ସମୟରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଖେଳିବା ପାଇଁ ଭାରତ ଗସ୍ତ କରିବ ନାହିଁ । ବିଶ୍ୱକପ୍ର ମ୍ୟାଚ ଗୁଡ଼ିକ ଭାରତ ପରିବର୍ତ୍ତେ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବା ନେଇ ଆଇସିସିକୁ ଅନୁରୋଧ କରାଯାଇଛି ।’
ଆଇସିସିର ଅଗ୍ରାହ୍ୟ- ମ୍ୟାଚ ସ୍ଥାନାନ୍ତର ସଂପର୍କରେ ବାଂଲାଦେଶର ଅନୁରୋଧକୁ ନେଇ ଆଇସିସିର ବୈଠକ ଗତ ୬ ତାରିଖରେ ବସିଥିଲା । ଆଇସିସି ଅଫିସିଆଲ ଏବଂ ବାଂଲାଦେଶ କ୍ରିକେଟ୍ ବୋର୍ଡର (ବିସିବି) ଅଧିକାରୀମାନେ ଏଥିରେ ଯୋଡ଼ି ହୋଇଥିଲେ । ବିସିବି ସହ ଆଲୋଚନା ପରେ ଆଇସିସିର ଅଧିକାରୀମାନେ ବାଂଲାଦେଶ ଖେଳାଳିଙ୍କ ପ୍ରତି ଭାରତରେ କୌଣସି ବିପଦ ଥିବାର ହୃଦବୋଧ କରିନଥିଲେ । ବିସିବି ମଧ୍ୟ ପ୍ରମାଣ ଦେବାରେ ଅସମର୍ଥ ହୋଇଥିଲା । ତେଣୁ ବିସିବିର ଅନୁରୋଧ ଅଗ୍ରାହ୍ୟ ହୋଇଯାଇଥିଲା । ଭାରତରେ ବାଂଲାଦେଶ ଖେଳାଳିଙ୍କ ପ୍ରତି କୌଣସି ବିପଦ ନଥିବା ଆଇସିସି ହୃଦବୋଧ କରିଛି ।
ବାଂଲାଦେଶ ଜିଦ୍ରେ ଅଟଳ- ସୁରକ୍ଷା କାରଣ ଦର୍ଶାଇ ବାଂଲାଦେଶ ଭାରତରେ ବିଶ୍ୱକପ୍ ମ୍ୟାଚ୍ ଖେଳିବ ନାହିଁ ବୋଲି ଜିଦ୍ରେ ଅଟଳ ରହିଛି । ଗତ ୧୩ ତାରିଖରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଓ ଆଇସିସି ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ବିସିବି କିନ୍ତୁ ତା’ ପୂର୍ବ ଦାବିରେ ଅଟଳ ରହିଥିଲା । ସୁରକ୍ଷା କାରଣରୁ ଆମେ ଭାରତ ଗସ୍ତରେ ଯିବୁ ନାହିଁ । ତେଣୁ ବିଶ୍ୱକପ୍ରେ ଆମ ଦଳ ଖେଳିବାକୁ ଥିବା ମ୍ୟାଚ ଗୁଡ଼ିକ ଭାରତ ବାହାରେ ଆୟୋଜନ କରିବା ପାଇଁ ଆଇସିସିକୁ ବିସିବି ପକ୍ଷରୁ ଅନୁରୋଧ କରାଯାଇଥିଲା । ବିସିବିର ଅନୁରୋଧକୁ ଆଇସିସି ଗ୍ରହଣ କରିଛି । କିନ୍ତୁ ଟୁର୍ଣ୍ଣାମେଣ୍ଟର ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାରୁ ଏବେ ସୂଚୀରେ ପରିବର୍ତ୍ତନ କରିବା କଷ୍ଟକର । ଉଭୟ ପକ୍ଷ ଏ ବିଷୟକୁ ନେଇ ଆଲୋଚନା ଜାରି ରଖିବାକୁ ରାଜି ହୋଇଛନ୍ତି । ତେଣୁ ଖୁବ ଶୀଘ୍ର କିଛି ନିଷ୍କର୍ଷ ବାହାରିବ ବୋଲି କୁହାଯାଉଛି ।
.ସାଂସଦ ଥରୁରଙ୍କ ସମାଲୋଚନା- ବାଂଲାଦେଶର ଏଭଳି ନିଷ୍ପତ୍ତି ପରେ କଂଗ୍ରେସ ସାଂସଦ ଶଶୀ ଥରୁର ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ କଡ଼ା ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ, ‘ଏହା ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ । ଆମେ ନିଜ ଉପରକୁ ଏହି ଲଜ୍ଜା ଟାଣି ଆଣିଛୁ ।’ ଏହି ମନ୍ତବ୍ୟକୁ ନେଇ ତାଙ୍କୁ ସମାଲୋଚନା କରାଯାଇଥିଲା । ପୂର୍ବତନ କ୍ରିକେଟର କୀର୍ତ୍ତି ଆଜାଦ ଏବଂ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ପ୍ରମୁଖ ବିସିସିଆଇର କାର୍ଯ୍ୟକୁ ନାପସନ୍ଦ କରିଥିଲେ ।
.‘ଦାସତ୍ୱର ଦିନ ଚାଲି ଯାଇଛି’ ବାଂଲାଦେଶର ଯୁବ ଓ କ୍ରୀଡ଼ା ପରାମର୍ଶଦାତା ଅସିଫ ନଜରୁଲ ଭାରତକୁ କଟୁ ସମାଲୋଚନା କରିଥିଲେ । ସେ କହିଥିଲେ, ଆମ ଦେଶ କୌଣସି ଅପମାନକୁ ସହ୍ୟ କରିବନି । ଦାସତ୍ୱର ଦିନ ଚାଲି ଯାଇଛି ।’ ବିସିବି ସଭାପତି ଅମିନୁଲ ଇସଲାମ ବୁଲବୁଲ କହିଥିଲେ, ‘ଖେଳାଳିଙ୍କ ମର୍ଯ୍ୟାଦା ଓ ସୁରକ୍ଷା ଆମର ପ୍ରାଥମିକତା ।’ ଆଇପିଏଲର ମିନି ନିଲାମୀରେ ମୁସ୍ତାଫିଜୁରଙ୍କୁ କୋଲକାତା ୯ କୋଟି ୨୦ ଲକ୍ଷ ଟଙ୍କାରେ କିଣିଥିଲା । ତାଙ୍କର ମୂଳ ଦର ୨ କୋଟି ଟଙ୍କା ରହିଥିଲା ।
ଗତ ବର୍ଷ ଏପ୍ରିଲ ମାସରେ ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପ୍ରଥମ ଥର ସେପ୍ଟେମ୍ବର ୧୪ ତାରିଖରେ ଏସିଆ କପ୍ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହୋଇଥିଲେ । କିନ୍ତୁ ଏହି ମ୍ୟାଚକୁ ନେଇ ପ୍ରଶଂସକ ଆଦୌ ଉତ୍ସାହିତ ନଥିଲେ । ୟୁଏଇରେ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଭାରତୀୟ ପ୍ରଶଂସକଙ୍କ ଉପସ୍ଥିତି ମଧ୍ୟ ନିରୁତ୍ସାହଜନକ ରହିଥିଲା । ଭାରତୀୟ ଖେଳାଳି କେବଳ ଖେଳ ଉପରେ ହିଁ ଧ୍ୟାନ ଦେଇଥିଲେ । ଫଳରେ ଟସ୍ ପଡ଼ିବା ସମୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକ୍ ଅଧିନାୟକ ସଲମାନ ଆଘାଙ୍କ ସହ କରମର୍ଦ୍ଦନ କରିବାକୁ ମନା କରିଦେଇଥିଲେ । ସେମିତି ମ୍ୟାଚ୍ ଶେଷ ହେବା ପରେ ଉଭୟ ଦଳର ଖେଳାଳି, କୋଚ ଏବଂ ସହଯୋଗୀ ଷ୍ଟାଫ୍ମାନେ ପଡ଼ିଆରେ କରମର୍ଦ୍ଦନ କରିଥାନ୍ତି । ମାତ୍ର ସୂର୍ଯ୍ୟକୁମାର ବିଶାଳ ଛକା ମାରି ଦଳକୁ ଜିତାଇବା ପରେ ସାଥୀ ଖେଳାଳିଙ୍କ ସହ କର ମିଳାଇ ସିଧା ଡ୍ରେସିଂ ରୁମକୁ ପଳାଇଥିଲେ । ପାକ୍ ମୁଖ୍ୟ କୋଚ୍ ମାଇକ ହେସନ କରମର୍ଦ୍ଦନ ପାଇଁ ଭାରତୀୟ ଡ୍ରେସିଂ ରୁମ ଆଡ଼କୁ ଆସିଥିଲେ ବି କୌଣସି ଖେଳାଳି ବାହାରି ନଥିଲେ ।
.ଏସିଆ କପ୍ରେ ଭାରତ-ପାକ୍ କରମର୍ଦ୍ଦନ ବିବାଦ
ଆମେ ଖେଳିବାକୁ ଆସିଛୁ...ମ୍ୟାଚ୍ ଶେଷ ହେବା ପରେ ଅଧିନାୟକ ସୂର୍ଯ୍ୟକୁମାର ଭାରତୀୟ ଖେଳାଳି କାହିଁକି ପାକ୍ ଖେଳାଳିଙ୍କ ସହକରମର୍ଦ୍ଦନ କଲେ ନାହିଁ ସେ ବିଷୟରେ ସ୍ପଷ୍ଟୀକରଣ ରଖିଥିଲେ । ସେ କହିଥିଲେ, ‘ଆମେ ଏଠାକୁ କେବଳଖେଳିବାକୁ ଆସିଛୁ, ବନ୍ଧୁତା ପାଇଁ ନୁହେଁ । ଆମେ ଖେଳରେ ଉଚିତ ଜବାବ ଦେଇଛୁ । କେନ୍ଦ୍ର ସରକାର ଓବିସିସିଆଇ ସହ ଯୋଡ଼ି ହୋଇ ରହିଛୁ । ସେମାନଙ୍କ ସହ କରମର୍ଦ୍ଦନ ନକରିବାର ନିଷ୍ପତ୍ତି ଦଳର ଥିଲା ।’
ପାକିସ୍ତାନର ବିରୋଧ- ପାକିସ୍ତାନ ଏହାକୁ ନେଇ ଉତକ୍ଷିପ୍ତ ହୋଇଯାଇଥିଲା । ମ୍ୟାଚ୍ ରେଫରୀ ଆଣ୍ଡି ପାଇକ୍ରଫ୍ଟ ପାକିସ୍ତାନ ଅଧିନାୟକ ସଲମାନ ଆଘାଙ୍କୁ କରମର୍ଦ୍ଦନ ନକରିବା ପାଇଁ କହିଥିଲେ ବୋଲି ପିସିବି ଅଭିଯୋଗ କରି ଆଇସିସିକୁ ପତ୍ର ଲେଖିଥିଲା । ଯଥା ଶୀଘ୍ର ଏସିଆ କପ୍ରୁ ରେଫରୀ ପାଇକ୍ରଫ୍ଟଙ୍କୁ ବିଦା କରାନଗଲେ ଆମେ ଟୁର୍ଣ୍ଣାମେଣ୍ଟରୁ ଓହରି ଯିବୁ ବୋଲି ପିସିବି ଓ ଏସିଆ କ୍ରିକେଟ୍ ପରିଷଦ (ଏସିସି) ଅଧ୍ୟକ୍ଷ ମୋସିନ ନକଭି ଦାବି କରିଥିଲେ । ପାକିସ୍ତାନ ଯଦିଓ ଟୁର୍ଣ୍ଣାମେଣ୍ଟରୁ ଓହରି ନଥିଲା । କିନ୍ତୁ କାର୍ଯ୍ୟାନୁଷ୍ଠାନ ପାଇଁ ଜୋରଦାର ଦାବି କରିଥିଲା । ଟୁର୍ଣ୍ଣାମେଣ୍ଟ ଶେଷ ହେବାର କିଛି ଦିନ ପରେ ଏହି ଘଟଣାକୁ ନେଇ ଆଇସିସି ଉଭୟ ଦଳର ଖେଳାଳିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।
ଆଇସିସି ଚାମ୍ପିଆନ୍ସ ଟ୍ରଫି
ଷ୍ଟାଡିୟମରେ ଉଡ଼ିଲାନ ତ୍ରିରଙ୍ଗା- ପାକିସ୍ତାନର ୩ ଷ୍ଟାଡିୟମ କରାଚି, ଲାହୋର ଏବଂ ରାୱଲପିଣ୍ଡିରେ ଗତବର୍ଷ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହୋଇଥିଲା । ଗତ ବର୍ଷ ଫେବ୍ରୁଆରୀ୧୯ ତାରିଖରେ ଆୟୋଜକ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କରାଚିଷ୍ଟାଡିୟମରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯାଇଥିଲା । ପ୍ରତ୍ୟେକ ଷ୍ଟାଡିୟମରେଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ସମସ୍ତ ଦେଶର ପତାକା ଲଗା ଯାଇଥିଲା ।କିନ୍ତୁ ଭାରତୀୟ ପତାକା ଲଗାଯାଇ ନଥିଲା । ଏନେଇ ସୋସିଆଲ ମିଡିଆରେପ୍ରଶଂସକ ଘୋର ନିନ୍ଦା କରିଥିଲେ । ଏହାପରେ ପିସିବି (ପାକିସ୍ତାନକ୍ରିକେଟ୍ ବୋର୍ଡ) ନିରବତା ଭଙ୍ଗ କରି ଏହାର କାରଣ ଦର୍ଶାଇଥିଲା । ପିସିବି ପକ୍ଷରୁ କୁହାଯାଇଥିଲା ଯେ, ଭାରତୀୟ ଦଳ ପାକିସ୍ତାନ ଆସି ମ୍ୟାଚଖେଳିବ ନାହିଁ । ତେଣୁ ଭାରତର ପତାକାକୁ ଆମେ ଷ୍ଟାଡିୟମରେ ଲଗାଇନାହୁଁ ।’ ସୁରକ୍ଷା କାରଣରୁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରି ନଥିଲା । ସମସ୍ତ ମ୍ୟାଚ୍ ୟୁଏଇରେ ଖେଳିଥିଲା । ଶେଷରେ ମାର୍ଚ୍ଚ ୯ ତାରିଖରେଭାରତ ୪ ୱିକେଟ୍ରେ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିଅନ ହୋଇଥିଲା ।
ପାକିସ୍ତାନ ପାଖରେ ଏସିଆ କପ୍ ଟ୍ରଫି- ଏସିଆ କପ୍ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହୋଇଥିଲେ । ଶେଷରେ ଭାରତ ଚାମ୍ପିଅନ ହୋଇଥିଲା । ପୁରସ୍କାର ବିତରଣ ଉତ୍ସବରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ଏସିଆ କ୍ରିକେଟ୍ ପରିଷଦ (ଏସିସି) ଅଧ୍ୟକ୍ଷ ମୋସିନ ନକଭି ଚାମ୍ପିଅନ ଦଳକୁ ଟ୍ରଫି ପ୍ରଦାନ କରିବା କଥା । କିନ୍ତୁ ନକଭିଙ୍କ ଠାରୁ ଭାରତ ଟ୍ରଫି ଗ୍ରହଣ କରିବ ନାହିଁ ବୋଲି ମନା କରି ଦେଇଥିଲା । ଅନ୍ୟ ଅତିଥିମାନେ ଅନ୍ୟ ପୁରସ୍କାର ସବୁ ପ୍ରଦାନ କରିଥିଲେ । କିନ୍ତୁ ଚାମ୍ପିଅନ ଟ୍ରଫି ଭାରତ ଗ୍ରହଣ କରିବାକୁ ଯାଇନଥିଲା । ଶେଷରେ ନକଭି ଟ୍ରଫି ନିଜ ସହ ହୋଟେଲ ରୁମକୁ ନେଇ ଯାଇଥିଲେ । ଏବେବି ପାକିସ୍ତାନ ପାଖରେ ଚାମ୍ପିଅନ ଟ୍ରଫି ରହିଛି । ପରବର୍ତ୍ତୀ ସମୟରେ ଭାରତକୁ ଅପମାନିତ କଲା ଭଳି ନକଭି ଟ୍ରଫି ଗ୍ରହଣ କରିବା ନେଇ ଏକାଧିକ ପ୍ରସ୍ତାବ ଦେଇଛନ୍ତି । ବିସିସିଆଇ ଏହାକୁ ଭ୍ରୁକ୍ଷେପ କରି ନାହିଁ । ମାତ୍ର ଏହି ଘଟଣାକୁ ନେଇ ଆଇସିସି ବୈଠକରେ ଉପସ୍ଥାପନ କରିବ ବୋଲି ବୋର୍ଡ କହିଥିଲା ।
ଭାରତ ଗସ୍ତରେ ଆସୁନି ପାକିସ୍ତାନ- ଆଇସିସି ଚାମ୍ପିଅନ୍ସ ଟ୍ରଫି ସମୟରେ ବିସିସିଆଇ ଓ ପିସିବି (ପାକିସ୍ତାନ କ୍ରିକେଟ୍ ବୋର୍ଡ) ମଧ୍ୟରେ ବିବାଦ ପରେ ଉଭୟ ଦଳ ଏକ ସହମତିରେ ପହଞ୍ଚିଥିଲେ । ଆଇସିସି ମଧ୍ୟସ୍ଥତା କରିଥିଲା । ପୂର୍ବରୁ ଆଇସିସି ଇଭେଣ୍ଟରେ ପାକିସ୍ତାନ ଦଳ ଭାରତ ଗସ୍ତରେ ଆସି ଖେଳୁଥିଲା । କେବଳ କ୍ରିକେଟ ନୁହଁ, ହକି ଏବଂ ଅନ୍ୟାନ୍ୟ କ୍ରୀଡ଼ାରେ ପାକ୍ ଖେଳାଳି ଭାରତରେ ଆସି ପ୍ରତିଯୋଗିତାରେ ଭାଗ ନେଉଥିଲା । କିନ୍ତୁ ନୂଆ ବୁଝାମଣା ଅନୁସାରେ, କ୍ରିକେଟରେ ପାକିସ୍ତାନ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କଲେ ଭାରତ ଯିବନି କିମ୍ବା ଭାରତ ଆୟୋଜନ କଲେ ପାକିସ୍ତାନ ଆସିବ ନାହିଁ । ଉଭୟ ନିରପେକ୍ଷ ଭେନ୍ୟୁରେ ଖେଳିବେ । ତେଣୁ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ପାକିସ୍ତାନ ତା’ର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବାର ସୂଚୀ ଘୋଷଣା ହୋଇଛି । ଦୀର୍ଘ ବର୍ଷ ଧରି ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜ ଖେଳାଯାଉ ନାହିଁ ।
ଜୁନିୟର ହକି ବିଶ୍ୱକପ୍ରୁ ଓହରିଲା ପାକ୍- ଚେନ୍ନାଇ ଓ ମତୁରାଇରେ ନଭେମ୍ବର ୨୮ରୁ ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ଜୁନିୟର ପୁରୁଷ ହକି ବିଶ୍ୱକପ୍ । ସୁରକ୍ଷା କାରଣ ଦର୍ଶାଇ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଥିଲା । ନିରପେକ୍ଷ ଭେନ୍ୟୁରେ ମ୍ୟାଚ ଖେଳାଯିବା ପାଇଁ ଏଫ୍ଆଇଏଚ୍ (ଅନ୍ତର୍ଜାତୀୟ ହକି ସଂଘ)କୁ ପ୍ରସ୍ତାବ ଦେଇଥିଲା । କିନ୍ତୁ ଏ ପ୍ରସ୍ତାବକୁ ଏଫ୍ଆଇଏଚ୍ ଗ୍ରହଣ କରିନଥିଲା । ସେମିତି ତାପୂର୍ବରୁ ବିହାରରେ ଆୟୋଜିତ ଏସିଆ କପ୍ରେ ମଧ୍ୟ ପାକିସ୍ତାନ ଭାଗ ନେଇ ନଥିଲା ।
ବାଂଲାଦେଶ କ୍ଷତି ସହିବ- ଭାରତ ସହ ସୁସଂପର୍କ ନଥିବାରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ସ୍ଥିତି ଅତି ଦୟନୀୟ ରହିଛି । ଠିକ୍ ସେମିତି ଭାରତ ସହ ବାଂଲାଦେଶର ସ୍ଥିତି ବିଗିଡ଼ିବା ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ପାଇଁ ସଙ୍କଟ ଆଣି ଦେଇଛି । ନଜମୁଲ ଇସଲାମ ଏହି କଥା କହିବାରୁ ବିସିବି ତାଙ୍କୁ ଅର୍ଥାିକ କମିଟର ଅଧ୍ୟକ୍ଷ ପଦରୁ ବିଦା କରି ଦେଇଛି । ପ୍ରକୃତରେ ବିସିବି ପ୍ରତି ବିସିସିଆଇର ବିଭିନ୍ନ ଦିଗରୁ ସମର୍ଥନ ରହିଥିଲା । ବାଂଲାଦେଶ ଏହି ସୁସଂପର୍କ ପାଇଁ ବହୁ ଆର୍ଥିକ ଲାଭ ପାଇ ଆସୁଥିଲା ।
ସତର୍କତା ଜରୁରୀ- କ୍ରୀଡ଼ାକୁ ରାଜନୀତିରେ ନଛନ୍ଦି କ୍ରୀଡ଼ା ବାଟରେ ଛାଡ଼ି ଦିଆଯିବା ଉଚିତ । ଜଣେ ପରେ ଜଣେ ପଡୋଶୀ ସହ ଭାରତର ସଂପର୍କ ବିଗିଡ଼ିବାରେ ଲାଗିଛି । ଆଗକୁ ଭାରତ ୨୦୩୦ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବ । ପୁଣି ୨୦୩୬ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ ଅଧିକାର ହାସଲ କରିବା ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ଦେଶରେ ବଡ଼ ବଡ଼ କ୍ରୀଡ଼ା (ଅଲିମ୍ପିକ୍ସ, ବିଶ୍ୱ ଚାମ୍ପିଅନସିପ, ଏସୀୟ କ୍ରୀଡ଼ା) ଆୟୋଜିତ ହେଲେ କ୍ରୀଡ଼ା ପର୍ଯ୍ୟଟନ ବୃଦ୍ଧି ପାଇବ । ଯାହା ଦେଶର ଅଭିବୃଦ୍ଧିରେ ସହାୟକ ହେବ । କିନ୍ତୁ ପଡୋଶୀଙ୍କ ସହ ଏଭଳି ସଂପର୍କ ଦିନକୁ ଦିନ ବିଗିଡ଼ି ଚାଲିଲେ ହୁଏତ ଆମକୁ ବଡ଼ କ୍ରୀଡ଼ା ମହାକୁମ୍ଭ ଆୟୋଜନ ଅଧିକାର ପାଇବାରେ କଷ୍ଟକର ହୋଇ ପଡ଼ିବ । ଅନ୍ୟ ଦେଶ ଗୁଡ଼ିକ ଏହି କାରଣରୁ ବିରୋଧର ସ୍ୱର ଉତ୍ତୋଳନ କରିପାରନ୍ତି । ତେଣୁ ତା’ପୂର୍ବରୁ ଭାରତକୁ ସତର୍କତା ଅବଲମ୍ବନ କରିବା ଅତି ଆବଶ୍ୟକ ବୋଲି କ୍ରୀଡ଼ା ବିଶେଷଜ୍ଞମାନେ ମତ ଦେଉଛନ୍ତି ।