ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହଲିଉଡ୍‌ରେ ଏଆଇ ଆତଙ୍କ: ପ୍ରଭାବିତ ହେବ ୫ ଲକ୍ଷ ୫୦ ହଜାର ଫିଲ୍ମ, ଚାଲିଯିବ ୧ ଲକ୍ଷ ଚାକିରି

ନୂଆଦିଲ୍ଲୀ ୧୦/୦୪: ହଲିଉଡ୍‌କୁ ଏଆଇ ଚିନ୍ତା । ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର ବ୍ୟାପକ ପ୍ରୟୋଗ ଯୋଗୁ ବିଶ୍ୱର ସବୁଠୁ ବଡ଼ ସିନେ ଉଦ୍ୟୋଗ ହଲିଉଡ୍‌ରେ ୧ ଲକ୍ଷରୁ ଅଧିକ ଲୋକଙ୍କ ଚାକିରି ଯିବ । ଏହି ଭୟରେ ହଜାର ହଜାର ଆନିମେସନ୍‌ କର୍ମଚାରୀ, ଭିଜୁଆଲ ଇଫେକ୍ଟସ କର୍ମୀଙ୍କୁ ପ୍ରତିନିଧିତ୍ୱ କରୁଥିବା ହଲିଉଡ୍‌ ସଂଘଗୁଡ଼ିକ ଏବେ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ଏଆଇ ବ୍ୟବହାର ଉପରେ ନିୟମ ଲାଗୁ କରିବା ଲାଗି ଦାବି କରୁଛନ୍ତି । ଏଆଇ ଟୁଲ୍‌ ଜରିଆରେ ଛବି ତିଆରି ସହଜ ହୋଇଛି । ସରଳ ଲିଖିତ ସଙ୍କେତରୁ ଭିଡିଓ ଓ ୩ଡି ମଡେଲ ପ୍ରସ୍ତୁତ ହେଉଛି । ଏହା ଯୋଗୁ ୨୦୨୬ ସୁଦ୍ଧା ହଲିଉଡ୍‌ର ୫ ଲକ୍ଷ ୫୦ ହଜାର ଫିଲ୍ମ, ଟିଭି ଓ ଆନିମେସନ୍‌ର ୧ ଲକ୍ଷରୁ ଅଧିକ ଚାକିରି ପ୍ରଭାବିତ ହେବ ବୋଲି ସଂଘ ଆକଳନ କରିଛି । 

ହଲିଉଡ୍‌ ଶ୍ରମିକ ସଂଘ ଦ୍ୱାରା ପରିଚାଳିତ ଏକ ଅଧ୍ୟୟନରୁ ଜଣାପଡ଼ିଛି, ମନୋରଞ୍ଜନ ଉଦ୍ୟୋଗରେ ଏଆଇର ପ୍ରବେଶ ପରେ ଶତକଡ଼ା ୭୫ ଭାଗ ଚଳଚ୍ଚିତ୍ର ପ୍ରଯୋଜକ କର୍ମଚାରୀଙ୍କୁ ବହିଷ୍କାର କରିଛନ୍ତି, ସେମାନଙ୍କ ସଂଖ୍ୟା ହ୍ରାସ କରିବା କିମ୍ବା ସାନ୍ତ୍ୱନାମୂଳକ ଚାକିରିରେ ରଖିଛନ୍ତି । ଡ୍ରିମ୍‌ୱର୍କସର ସହ- ପ୍ରତିଷ୍ଠାତା ତଥା ପୂର୍ବତନ ଡିଜ୍‌ନୀ ସିଇଓ ଜେଫରି କାଜେନବର୍ଗଙ୍କ ଭଳି ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ମନ୍ତବ୍ୟ ପରେ ଏଆଇ ଟ୍ରେଣ୍ଡ୍‌ ଉପରେ ଅଧିକ ଆଲୋକପାତ କରାଯାଉଛି । ଜେଫରି ନିକଟରେ କହିଥିଲେ, ଏକ ବିଶ୍ୱସ୍ତରୀୟ ଆନିମେଟେଡ୍‌ ଫିଲ୍ମ ନିର୍ମାଣରେ ଆବଶ୍ୟକ ସମୟ ଓ କର୍ମଚାରୀଙ୍କ ସଂଖ୍ୟାରେ ଏଆଇ ଗୁରୁତ୍ୱପୂର୍ଣ୍ଣ ହ୍ରାସ କରିପାରେ । 

ଏଆଇ ଉପକରଣଗୁଡ଼ିକର ଆଗମନ ବଡ଼ ପ୍ରଯୋଜନା ସଂସ୍ଥାଗୁଡ଼ିକ ପାଇଁ ଲାଭକର ହୋଇଛି । ବିଭିନ୍ନ ଭୂମିକା ନିମନ୍ତେ ବ୍ୟକ୍ତିଙ୍କ ବଦଳରେ ଏଆଇକୁ ସ୍ଥାନୀତ କରିବାର ସେମାନଙ୍କ ବିଚାରକୁ ଏଆଇ ପ୍ରୋତ୍ସାହିତ କରିଛି । ଶ୍ରମିକ ସମୁଦାୟର ଅଧ୍ୟୟନ ଅନୁସାରେ, ହଲିଉଡ୍‌ ଇଣ୍ଡଷ୍ଟ୍ରିର ପ୍ରାୟ ଏକ ତୃତୀୟାଂଶ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁମାନ କରିଛନ୍ତି ଯେ ୨୦୨୬ ପ୍ରାରମ୍ଭରେ ୩ଡି ମଡେଲରଙ୍କୁ ସ୍ଥାନଚ୍ୟୁତ କରିବ ଏଆଇ । ଅନ୍ୟପକ୍ଷେ, ଏକ ଚତୁର୍ଥାଂଶ ଗ୍ରାଫିକ୍‌ ଡିଜାଇନର ଏଆଇ ଯୋଗୁ ପ୍ରଭାବିତ ହେବେ । ପ୍ରାୟ ୧୫ ପ୍ରତିଶତ କାହାଣୀ ଲିଖନ କ୍ଷେତ୍ରରେ ନିଯୁକ୍ତ କର୍ମଚାରୀ, ଇଲସ୍‌ଷ୍ଟ୍ରେଟର, ଆନିମେଟର, ସର୍‌ଫେସ ଓ ମ୍ୟାଟେରିଆଲ ଆର୍ଟିଷ୍ଟ୍‌ଙ୍କ ଚାକିରି ଏଆଇ ଯୋଗୁ ବିପଦରେ ପଡ଼ିବ । ସର୍ଭେରେ ସାମିଲ ଆନିମେସନ୍‌ ଗିଲ୍‌ଡ ଓ ଭିଜୁଆଲ ଇଫେକ୍ଟସ ସଂଘ ସହ ହଲିଉଡ୍‌ର ନାମୀ ପ୍ରଯୋଜନା ସଂସ୍ଥାଗୁଡ଼ିକ ମଧ୍ୟରେ ଗତ ବର୍ଷ ଏକ ଚୁକ୍ତି ହୋଇଥିଲା । କର୍ମଚାରୀଙ୍କ ଦରମା ବୃଦ୍ଧି ଭଳି ବିଭିନ୍ନ ଚୁକ୍ତି ସମେତ କେତେବେଳେ ଓ କେମିତି ଏଆଇ ଉତ୍ପାଦଗୁଡ଼ିକୁ ସିନେ ଉଦ୍ୟୋଗରେ ପ୍ରୟୋଗ କରାଯିବ, ତା’ ଉପରେ ନିୟନ୍ତ୍ରଣ ଲାଗୁ କରିବା ଶ୍ରମିକ ସଂଘର ପ୍ରମୁଖ ଉଦ୍ଦେଶ୍ୟ ଥିଲା । ଇଚ୍ଛା ବିରୁଦ୍ଧରେ କର୍ମକ୍ଷେତ୍ରରେ ଏଆଇ ଉପକରଣ ପ୍ରୟୋଗ କରିବାକୁ ବାଧ୍ୟ ହେବାରୁ କର୍ମଚାରୀଙ୍କୁ ସୁରକ୍ଷା ଦେବା ସଂଘର ମୁଖ୍ୟ ଲକ୍ଷ୍ୟ ଥିଲା । 

ତେବେ, ମନୋରଞ୍ଜନ ଉଦ୍ୟୋଗରେ ଏଆଇ ଉପକରଣଗୁଡ଼ିକର ବୃଦ୍ଧି ଖାସ୍‌କରି ଉଦୀୟମାନ ଓ ସ୍ୱାଧୀନ ସିନେ ନିର୍ମାତାଙ୍କ ପାଇଁ ଲାଭକର ହୋଇଛି । ସିନେ ପ୍ରୋଜେକ୍ଟଗୁଡ଼ିକର ବିକାଶରେ ଏଆଇକୁ ଏମାନେ ସହାୟକ ଭାବେ ଦେଖୁଛନ୍ତି । ସୃଜନାତ୍ମକ ପ୍ରକ୍ରିୟାକୁ ସାର୍ବଜନୀନ କରିବାରେ ଏଆଇର ଗୁରୁତ୍ୱ ରହିଛି ବୋଲି ସେମାନଙ୍କ ଧାରଣା । ହଲିଉଡ୍‌ ଶ୍ରମିକ ସଂଘ ମଧ୍ୟ ସ୍ୱୀକାର କରେ ଯେ ଏଆଇ ଉପକରଣଗୁଡ଼କ ବାରମ୍ବାର ହେଉଥିବା କାର୍ଯ୍ୟକୁ କର୍ମଚାରୀଙ୍କ ବିନା ସମ୍ପାଦିତ କରି ଇଣ୍ଡଷ୍ଟ୍ରିକୁ ଫାଇଦା ଦେଇପାରେ । କିନ୍ତୁ ଶସ୍ତା ଏଆଇ ଉପକରଣ ଜରିଆରେ କର୍ମଚାରୀଙ୍କ ଚାକିରି ଯିବାର ଆଶଙ୍କାକୁ ନେଇ ଏହା ଚିନ୍ତା ପ୍ରକଟ କରିଛି । 

ଏ ନେଇ ଆଇନଗତ ଆହ୍ୱାନ ମଧ୍ୟ ମୁଣ୍ଡ ଟେକିଛି । ବିନା ଅନୁମତିରେ ଏଆଇ ବୌଦ୍ଧିକ ତାଲିମ ଦେଇ ଆମେରିକା କପିରାଇଟ୍‌ ଆଇନର ଉଲ୍ଲଂଘନ କରିଛି । ଏ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ନିଯୁକ୍ତି ସୁରକ୍ଷା ଲାଗି କପିରାଇଟ୍‌ ନିୟମକୁ କଡ଼ାକଡ଼ି କରିବାକୁ ଅମ୍ବ୍ରେଲା ୟୁନିୟନ୍‌ ଫର୍‌ ଆନିମେସନ୍‌ ଆଣ୍ଡ ଭିଏଫ୍‌ଏକ୍ସ ଦାବି କରିଛି । ସୃଜନାତ୍ମକ ପ୍ରକ୍ରିୟାରେ ଏଆଇର ଭୂମିକା ଓ ଚାକିରି ଉପରେ ଏହାର ପ୍ରଭାବକୁ ନେଇ ଚାଲିଥିବା ଯୁଦ୍ଧର ଏହା ଆରମ୍ଭ ମାତ୍ର । ଏହାର ଫଳ ଯାହା ହେବ, ସମାନ ଆହ୍ୱାନର ସମ୍ମୁଖୀନ ହେଉଥିବା ଅନ୍ୟ ଉଦ୍ୟୋଗଗୁଡ଼ିକ ପାଇଁ ତାହା ମାର୍ଗଦର୍ଶକ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.