ବାୟୁ ପ୍ରଦୂଷଣ ରୋକିବାକୁ ସ୍ୱତନ୍ତ୍ର ପ୍ଲାନ୍; ୬ ସହରରେ କାର୍ଯ୍ୟକାରୀ ହେବ ଏହି ଯୋଜନା

ଭୁବନେଶ୍ୱର,୪ା୬(ବ୍ୟୁରେ): ଓଡ଼ିଶାରେ ୬ ସହରର ପବନ ବିଷ ପାଲଟିଛି । ପ୍ରଦୂଷଣ ସବୁ ପାରାମିଟର ଲଙ୍ଘି ଯାଇଛି । ଗତି ଯୁଆଡ଼କୁ ଯାଉଛି, ଆଗକୁ ଜୀବନ ଦୁର୍ବିସହ ହୋଇପଡ଼ିବ । ଏମିତି ରିପୋର୍ଟ ପହଞ୍ଚିବା ପରେ ତତ୍ପର ହୋଇଛନ୍ତି ସରକାର । ଏନେଇ ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ସ୍ୱଚ୍ଛ ପବନ ଆକ୍ସନ ପ୍ଲାନ୍ । ବିଶ୍ୱ ପରିବେଶ ଦିବସର ଦିନକ ପୂର୍ବରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ଏହାକୁ ସାର୍ବଜନୀନ କରିଛନ୍ତି ।
ଭୁବନେଶ୍ୱର, କଟକ ସମେତ ଅନୁଗୁଳ, ତାଳଚେର, ବାଲେଶ୍ୱର ଓ ରାଉରକେଲା ସହର ପ୍ରଦୂଷଣ ଭୟାନକ ହୋଇଛି । ପ୍ରଦୂଷଣ ମାତ୍ର ସୀମା ଟପିଯାଇଛି । ଅତ୍ୟଧିକ ଯାନବାହନ ଚଳାଚଳ, ଶିଳ୍ପ ଓ ଗଛ କଟା ସ୍ଥିତିକୁ ଅଧିକ ଗମ୍ଭୀର କରିଛି । ଏଥିରୁ ମୁକ୍ତି ପାଇବା ପାଇଁ ସରକାର ଏ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି । ଏଠାରେ ଅନୁଷ୍ଠିତ ‘ବାୟୁ ଗୁଣବତ୍ତା ପରିଚାଳନା: ସ୍ୱଚ୍ଛ ବାୟୁ ପାଇଁ ଋଣନୀତି ପ୍ରସ୍ତୁତି’ ଶୀର୍ଷକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟ ସଚିବ ଆକ୍ସନ ପ୍ଲାନ୍ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି । ସେ କହିଛନ୍ତି, ବାୟୁ ପ୍ରଦୂଷଣ ରୋକିବାକୁ ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରାଯିବ । ନିର୍ଦ୍ଧାରିତ ଅବଧି ସରିଯାଇଥିବା ଗାଡ଼ି ଚଳାଚଳ ଉପରେ ରୋକ ଲାଗିବ । ବାୟୁ ପ୍ରଦୂଷଣ ସୃଷ୍ଟିକାରୀ ଶିଳ୍ପ ଉପରେ ଲଗାମ ଲଗାଯିବ । ଘରୋଇ ଗାଡ଼ିର ବହୁଳ ବ୍ୟବହାର ବଦଳରେ ପବ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବହାର ପାଇଁ ଜୋର୍ ଦିଆଯିବ ।
ରିପୋର୍ଟ ଅନୁସାରେ, ତାଳଚେର ସହରର ପବନରେ ସର୍ବାଧିକ ୪୫% ଧୂଳିକଣା ରହୁଥିବା ବେଳେ ଅନୁଗୁଳରେ ୩୯% ରହିଛି । ଅପରପକ୍ଷରେ କଟକରେ ଏହା ୨୮% ରହିଛି । ରାଉରକେଲା ବାୟୁରେ ଧୂଳିକଣା ପରିମାଣ ୪୧% ଓ ଭୁବନେଶ୍ୱରରେ ୩୬% ରହିଛି । ରାଜ୍ୟ ସରକାରଙ୍କ ସ୍ୱଚ୍ଛ ପବନ ଆକ୍ସନ ପ୍ଲାନରେ ଏସବୁ ସହରର ବାୟୁରେ ଧୂଳିକଣା ପରିମାଣ ରୋକିବାକୁ କାର୍ଯ୍ୟପନ୍ଥା ନିଆଯିବ ।
ଆକ୍ସନ ପ୍ଲାନ୍ ଅନୁସାରେ, ଅନୁଗୁଳରେ ୧୦ ମାଇକ୍ରନ୍ ଧୂଳିକଣା ଥିବା ବାୟୁସ୍ତରକୁ ୩୯% ହ୍ରାସ ପାଇଁ ଯୋଜନା କରାଯାଇଥିବା ବେଳେ ବାଲେଶ୍ୱରରେ ୨୮%, ଭୁବନେଶ୍ୱରରେ ୩୬%, କଟକରେ ୨୭%, ରାଉରକେଲାରେ ୪୧% ଓ ତାଳଚେରରେ ୪୫% କମାଇବାକୁ ଲକ୍ଷ୍ୟ ରଖାଯାଇଛି । ସୂଚନା ଥାଉକି, ବାୟୁ ପ୍ରଦୂଷଣ ମାପିବା ପାଇଁ ଚାରିଟି ମାନଦଣ୍ଡ ରହିଛି । ସେଗୁଡ଼ିକ ହେଲା ପିଏମ୍ ୧୦, ପିଏମ୍୨.୫, ଏସଓ୨ ଓ ଏନ୍ଓଏନ୍ । ବାୟୁ ପ୍ରଦୂଷଣର ମାନ ୬୦ ମାଇକ୍ରୋ ଗ୍ରାମ ଭିତରେ ରହିଲେ ପ୍ରଦୂଷଣର ମାତ୍ରା ନିୟନ୍ତ୍ରଣରେ ରହିଥାଏ । କିନ୍ତୁ ଭୁବନେଶ୍ୱରରେ ପ୍ରଦୂଷଣର ମାତ୍ରା ୮୬ ମାଇକ୍ରୋ ଗ୍ରାମ୍ ଥିବା ବେଳେ ତାଳଚେର ଓ ଅନୁଗୁଳରେ ଏହା ୮୮ ମାଇକ୍ରୋ ଗ୍ରାମ ରହିଛି ।
ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହଯୋଗରେ ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନ୍ଭାରନ୍ମେଣ୍ଟ (ସିଏସ୍ଇ) ଏହି ସମ୍ମିଳନୀର ଆୟୋଜନ କରିଥିଲା । ସମ୍ମାନିତ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ବିଭାଗର ସ୍ୱତନ୍ତ୍ର ସମ୍ପାଦକ କେ.ମୁରୁଗେସେନ୍, ଗୃହ ଓ ସହରୀ ବିକାଶ ବିଭାଗ ମୁଖ୍ୟ ସମ୍ପାଦକ ଜି.ମଥିଭାଥନନ୍, ଜଙ୍ଗଲ ଏବଂ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଂପାଦକ ସୁରେଶ ଚନ୍ଦ୍ର ମହାପାତ୍ର, ଅତୁଲ ବାଗଲ, ମୁଖ୍ୟ ଅତିଥି ଭାବେ ଆଦିତ୍ୟ ପ୍ରସାଦ ପାଢୀ ଓ ମୁଖ୍ୟ ବକ୍ତା ଭାବେ ଅନୁମିତା ରୟ ଚୌଧୁରୀ ପରିବେଶ ପ୍ରଦୂଷଣକୁ ନେଇ ନିଜ ମତାମତ ରଖିଥିଲେ ।