ରାଜନୀତିରେ ଆସିବେ କି ଅକ୍ଷୟ କୁମାର? ପଚରା ଯିବାରୁ ଏପରି ଜବାବ ଦେଲେ ଅଭିନେତା

ମୁମ୍ବାଇ ୦୫/୦୭: ଅକ୍ଷୟ କୁମାର କମେଡି ଫିଲ୍ମ କରିବା ସହିତ ସାମାଜିକ ତଥା ଦେଶପ୍ରେମୀ ଫିଲ୍ମ ମଧ୍ୟ କରନ୍ତି। ବିଶେଷକରି ଗତ କିଛି ବର୍ଷ ମଧ୍ୟରେ ତାଙ୍କ ଫିଲ୍ମର ଲିଷ୍ଟକୁ ଦେଖିଲେ ଏହିପରି ଦେଖାଯାଏ। ଟ୍ୱିଟରରେ ସେ ସାମାଜିକ ପ୍ରସଙ୍ଗରେ ନିଜର ମତ ବ୍ୟକ୍ତ କରନ୍ତି। ସେ ସମୟ ସମୟରେ ସରକାରଙ୍କ ଅନେକ ଯୋଜନା ଏବଂ କାର୍ଯ୍ୟକ୍ରମକୁ ସମର୍ଥନ କରନ୍ତି। ତେଣୁ ସେ ରାଜନୀତିରେ ପ୍ରବେଶ କରିବେ କି ନାହିଁ ଅନେକ ଥର ପ୍ରଶ୍ନ ମଧ୍ୟ ଉଠିଛି। ଅକ୍ଷୟ ବର୍ତ୍ତମାନ ଲଣ୍ଡନରେ ଅଛନ୍ତି। ସେ ସୋମବାର ଲଣ୍ଡନର ପାଲ ମଲରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କୁ ରାଜନୀତିରେ ଆସିବା ବିଷୟରେ ପ୍ରଶ୍ନ କରାଯାଇଥିଲା।
ଏହାକୁ ନେଇ ଅକ୍ଷୟ କହିଛନ୍ତି, ‘ମୁଁ ଫିଲ୍ମ ତିଆରି କରି ବହୁତ ଖୁସି । ଜଣେ ଅଭିନେତା ଭାବରେ, ମୁଁ ସାମାଜିକ ସମସ୍ୟା ଉଠାଇବାକୁ ଚେଷ୍ଟା କରେ। ମୁଁ ୧୫୦ ଟି ଫିଲ୍ମ ପ୍ରଡ୍ୟୁସ୍ କରିଛି, ଯାହା ମୋ ହୃଦୟର ସବୁଠୁ ନିକଟତମ ହେଉଛି ରକ୍ଷା ବନ୍ଧନ। ମୁଁ କମର୍ଶିଆଲ୍ ଫିଲ୍ମ ନିର୍ମାଣ କରେ, ବେଳେବେଳେ ସାମାଜିକ ପ୍ରସଙ୍ଗରେ ଫିଲ୍ମ କରେ। ମୁଁ ଗୋଟିଏ ବର୍ଷରେ ୩-୪ ଟି ଫିଲ୍ମ ପ୍ରସ୍ତୁତ କରେ।
ଏହାପୂର୍ବରୁ, ୨୦୧୯ ରେ ଏକ ଇଭେଣ୍ଟରେ ରାଜନୀତିରେ ଯୋଗଦେବା ପ୍ରଶ୍ନରେ ଅକ୍ଷୟ କହିଥିଲେ, ‘ନା, କେବେ ବି ନୁହେଁ, ମୁଁ ଖୁସି ରହିବାକୁ ଚାହେଁ। ମୁଁ ଫିଲ୍ମକୁ ଭଲ ପାଏ ଏବଂ ଫିଲ୍ମ ମାଧ୍ୟମରେ ମୋ ଦେଶରେ ଅବଦାନ ଦେବାକୁ ଚାହେଁ। ତାହା ମୋର କାମ। ‘