ଭୁବନେଶ୍ୱର/କଟକ/ଆଠଗଡ଼/ପାରାଦୀପ, ୪।୯: ‘ସୁଭଦ୍ରା’ ଯୋଜନାରେ ଆସନ୍ତାକାଲିଠାରୁ ଫର୍ମ ଦାଖଲ ଆରମ୍ଭ ହେବ । ୧୭ ତାରିଖରୁ ପ୍ରଥମ କିସ୍ତି ଟଙ୍କା ଦିଆଯିବ । ଏହି ଯୋଜନାରେ ସାମିଲ ହେବାକୁ ରାଜ୍ୟ ସରକାର ସ୍ପଷ୍ଟ ନିୟମାବଳୀ ପ୍ରସ୍ତୁତ କରିଛନ୍ତି । ଗାଁ ଗହଳିରେ ଲୋକଙ୍କ ଅଜ୍ଞାନତାର ସୁଯୋଗ ନେଇ ଫର୍ମ ପୂରଣଠାରୁ ଆରମ୍ଭ କରି ଏହି ଯୋଜନାରେ ସାମିଲ କରାଇ ଦେବାକୁ ଏବେ ଦଲାଲ ସକ୍ରିୟ ହୋଇ ଉଠିଲେଣି । ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି । ସରକାରଙ୍କ ପକ୍ଷରୁ ବିନା ମୂଲ୍ୟରେ ‘ସୁଭଦ୍ରା’ ଯୋଜନାର ଫର୍ମ ପ୍ରଦାନ କରାଯାଉଥିବା ବେଳେ କଟକ ସହରରେ ଏକ ଜନସେବା କେନ୍ଦ୍ର ଏହାକୁ ୫୦ ଟଙ୍କାରେ ବିକ୍ରି କରୁଛି । ଏପରିକି ଫର୍ମ ପୂରଣ କରିଦେଇ, ଜଣଙ୍କଠାରୁ ୧୦୦ ଟଙ୍କା କରି ନେଉଛି । ଏଭଳି ଅଭିଯୋଗର ସତ୍ୟତା ପରୀକ୍ଷା କରି ଜାଣିବା ପରେ କଟକ ମହାନଗର ନିଗମ (ସିଏମ୍ସି) ପକ୍ଷରୁ ଉକ୍ତ ଜନସେବା କେନ୍ଦ୍ର ନାଁରେ ଏତଲା ଦିଆଯାଇଛି ।
ଖୋଦ୍ ସିଏମ୍ସି କମିସନର ଏଭଳି ଏତଲା ଦେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସକୁ କହିଛନ୍ତି । ନୂଆକରି ଲାଗୁ ହେବାକୁ ଥିବା ‘ସୁଭଦ୍ରା’ ଯୋଜନା ପାଇଁ ଏବେ ଆଧାର କେନ୍ଦ୍ରମାନଙ୍କରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି । ଏହି ଭିଡ଼ର ସୁଯୋଗ ନେଇ ଆଠଗଡ଼ରେ ଆଧାରକେନ୍ଦ୍ରଗୁଡ଼ିକରେ ହିତାଧିକାରୀ ମାନଙ୍କୁ ଶୋଷଣ କରାଯାଉଛି । ସରକାରୀ ଭାବରେ ମୋବାଇଲରେ ଆଧାର ଲିଙ୍କ୍ ପାଇଁ ୫୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଆଧାର କେନ୍ଦ୍ରରେ ହିତାଧିକାରୀମାନଙ୍କ ଠାରୁ ମନଇଚ୍ଛା ଟଙ୍କା ନେଉଥିବା ଅଭିଯୋଗ ହୋଇଛି । କେତେକ ସ୍ଥାନରେ ୩ରୁ ୪ ଶହ ଟଙ୍କା ଲେଖାଏଁ ନେଉଛନ୍ତି । ଏଭଳି ଅଭିଯୋଗ ଆଠଗଡ଼ ପ୍ରଶାସନ ପାଖରେ ପହଞ୍ଚିବା ପରେ ମଙ୍ଗଳବାର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ତହସିଲଦାର କ୍ଷେତ୍ରବାସୀ ସ୍ୱାଇଁ ନିଜ ନିଜର ଟିମ୍ ସହିତ ଆଧାରକେନ୍ଦ୍ରଗୁଡ଼ିକ ବୁଲି ସେମାନଙ୍କୁ ତାଗିଦ୍ କରିଥିବା ଜଣାପଡ଼ିଛି । ସେହିପରି ପାରାଦୀପ ଡାକଘରେ ମଙ୍ଗଳବାର ପ୍ରବଳ ଭିଡ଼ ଜମିଥିଲା ।
ସୁଭଦ୍ରା ଯୋଜନାରେ ଆଧାର, ମୋବାଇଲ୍ ନମ୍ବର ଲିଙ୍କ କରିବା ପାଇଁ ହଠାତ ଶତାଧିକ ପୁରୁଷ, ମହିଳା ପୋଷ୍ଟ୍ ଅଫିସରେ ଭିଡ଼ ଜମାଉଛନ୍ତି । ଏତେ ସଂଖ୍ୟାରେ ହିତାଧିକାରୀ ଆସିବା ଦେଖି ଡାକ ବିଭାଗର କର୍ମଚାରୀ ସ୍ଥିତି ନିୟନ୍ତ୍ରଣ କରିପାରି ନଥିଲେ । ଠେଲାପେଲାରେ ପାରାଦୀପ ପୌରାଞ୍ଚଳ ଅନ୍ତର୍ଗତ ଷଣ୍ଢକୁଦର ମମତା ବାରିକ ଆହତ ହୋଇଛନ୍ତି । ଶେଷରେ ପୁଲିସ୍ କର୍ମଚାରୀ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ । ଏ ସମ୍ପର୍କରେ ପାରାଦୀପ ଡାକଘର ପୋଷ୍ଟ୍ ମାଷ୍ଟର କହିଛନ୍ତି, ପ୍ରବଳ ଭିଡ଼ ହେବାରୁ ପୁଲିସର ସାହାଯ୍ୟ ନେଲୁ । ଗୋଟେ ରେଜିଷ୍ଟ୍ର କରି ସମସ୍ତଙ୍କ ନାମ ଏଣ୍ଟ୍ରି କରୁଛୁ । ପ୍ରତ୍ୟେକ ଦିନ ୪୦ ଜଣଙ୍କର ଆଧାର ଲିଙ୍କ୍ କରାଯିବ । ଯାହାର ଯେଉଁଦିନ ପଡ଼ିବ ସେହି ତାରିଖ ହିତାଧିକାରୀଙ୍କୁ ଜଣାଇ ଦିଆଯାଉଥିବା ସେ ସୂଚନା ଦେଇଛନ୍ତି ।