ପୁରୀ,୩ା୨(ବ୍ୟୁରୋ): ଓଡ଼ିଶାର ଜନଜାତିଙ୍କ ସ୍ଥିତି ଦାନ ମାଝୀର କାହାଣୀରୁ ସ୍ପଷ୍ଟ ହୋଇଛି । ସହାୟତା ନ ପାଇବାରୁ ଜଣେ ଆଦିବାସୀ ଭାଇ ବେସାହାରା ହୋଇ ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ନେଇ ଶ୍ମଶାନ ଯିବାକୁ ପଡ଼ୁଛି । ଜଣେ ଆଦିବାସୀ ମହିଳାଙ୍କୁ ସଂସ୍କାର କରିବାକୁ ବ୍ୟବସ୍ଥା କରିପାରୁ ନ ଥିବା ବିଜେଡି ସରକାରର ଶାସନ ଗାଦିରେ ବସିବା ଅଧିକାର ନାହିଁ । ସେ ତୁରନ୍ତ ଚୌକି ଛାଡ଼ିଦେବା ଉଚିତ ।
ପୁରୀ ତାଳବଣିଆ ପଡ଼ିଆ ଠାରେ ରବିବାର ଅନୁଷ୍ଠିତ ଆଦିବାସୀ ଅଧିକାର ରାଲି ‘ଜବାବ ମାଗୁଛି ଆଦିବାସୀ’ରେ ଯୋଗଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ଏହା କହିଛନ୍ତି । ଅନୁସୂଚିତ ଜନଜାତିଙ୍କୁ ଓଡ଼ିଶାରେ ଅବହେଳା କରାଯିବା ନେଇ ସେ କଂଗ୍ରେସ ଓ ବିଜେଡିକୁ ଦାୟୀ କରିଛନ୍ତି । ସେ କହିଥିଲେ, କେନ୍ଦ୍ରର ବିଜେପି ସରକାର ଓଡ଼ିଶାର ଉନ୍ନତି ନିମନ୍ତେ ବହୁ କାମ କରୁଛି, ହେଲେ ଏହା ତୃଣମୂଳସ୍ତରରେ ପହଞ୍ଚି ପାରୁନି । ତେଣୁ ଓଡ଼ିଶା ଯୁବକ ଆଜି ବାହାରକୁ ପଳାୟନ କରୁଛନ୍ତି । ଏଠାର ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ଚଳାଇବା ଆସେନାହିଁ । ଓଡ଼ିଶାର ଲୋକେ କେତେ ବି ଚିତ୍କାର କଲେ ବି ମୁଖ୍ୟମନ୍ତ୍ରୀ ଚୁପ୍ ରହୁଛନ୍ତି । କାରଣ ସେ ଓଡ଼ିଆ ବୁଝି ପାରନ୍ତିନି । ତେଣୁ ସମସ୍ତ ଓଡ଼ିଆଙ୍କୁ ନିବେଦନ ଯାହା କରୁଛ କର, ଜଣେ ଓଡ଼ିଆକୁ ଉତ୍କଳର ମୁଖ୍ୟମନ୍ତ୍ରୀ ପଦରେ ବସାଅ । ଓଡ଼ିଆ ଜାଣି ନଥିବା ବ୍ୟକ୍ତି ଶାସନରେ ରହିବାର ଅଧିକାର ନାହିଁ । ସ୍କୁଲରେ ଶିକ୍ଷା ମିଳୁନି, ଡାକ୍ତରଖାନାରେ ଚିକିତ୍ସା ମିଳୁନି, ଚାଷୀକୁ ଉତ୍ପାଦିତ ଶସ୍ୟର ଉଚିତ୍ ମୂଲ୍ୟ ମିଳୁନି, ୪୨ ପ୍ରତିଶତ ଲୋକଙ୍କୁ ପିଇବା ପାଣି ମିଳୁନି, ମହାପ୍ରଭୁଙ୍କ ରତ୍ନଭଣ୍ଡାର ବି ସୁରକ୍ଷିତ ରହିନି । ପୂରା ଭାରତର ସମୃଦ୍ଧି ଏହି ରତ୍ନଭଣ୍ଡାର ଭିତରେ ରହିଛି । ଏହାର ହିସାବ ବିଜେଡି ନବୀନ ସରକାର ଦେଉନି । ତୁରନ୍ତ ଲୋକଙ୍କୁ ଏହାର ହିସାବ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ।
ନରେନ୍ଦ୍ର ମୋଦି ସରକାର ଓ କଂଗ୍ରେସ ଭିତରେ ଫରକ ଲୋକେ ବୁଝିଲେଣି । ୟୁପିଏ ସରକାର ୧୦ ବର୍ଷ ଚାଲିଥିଲା ବେଳେ ଜନଜାତିଙ୍କ ବିକାଶ ନିମନ୍ତେ ୩୦ ହଜାର ୭୦୦ କୋଟି ଟଙ୍କା ବଜେଟ କରିଥିଲେ । ମୋଦି ୫୦ ହଜାର କୋଟି କୋଟି ଟଙ୍କା ଆଦିବାସୀ ଜନଜାତିଙ୍କ ବିକାଶ ନିମନ୍ତେ ବଜେଟ କରିଛନ୍ତି । ମନ୍ତ୍ରଣାଳୟ ନିମନ୍ତେ ୪ ହଜାର ୩୦୦ କୋଟି ଥିବା ବେଳେ ୬ ହଜାର ୨୭୫ କୋଟି ଟଙ୍କା କରିଛନ୍ତି ମୋଦି । ୟୁପିଏ ସମୟରେ ଆଦିବାସୀ ଜନଜାତିର ପିଲାମାନେ ପାଠପଢ଼଼ିବା ନିମନ୍ତେ ଏକଲବ୍ୟ ମଡେଲ ସ୍କୁଲ ୧୬୬ ହୋଇଥିଲା । ବିଜେପି ଆସିବା ପରେ ୨୮୮ କରିଛନ୍ତି । ଓଡ଼ିଶାରେ ଏଭଳି ୬ଟି ସ୍କୁଲ ଥିଲା । ଏହାକୁ ବଢ଼ାଇ ୧୦୩ କରିଛନ୍ତି ନରେନ୍ଦ୍ର ମୋଦି ସରକାର । ଆଦିବାସୀ ଜନଜାତି ଲୋକଙ୍କୁ ବନଜାତ ଦ୍ରବ୍ୟକୁ ସମର୍ଥନ ମୂଲ୍ୟ ମିଳୁନଥିଲା । କଂଗ୍ରେସ ୬ ଉତ୍ପାଦନ ଉପରେ ଏମ୍ଏସ୍ପି (ସର୍ବନିମ୍ନ ସହାୟକ ମୂଲ୍ୟ) ଦେଉଥିଲା ବେଳେ ବିଜେପି ସରକାରକୁ ଆସିବା ପରେ ୪୯ ବନଜାତ ଦ୍ରବ୍ୟ ଉପରେ ଏମ୍ଏସ୍ପି ଦେଉଛି । ଫଳରେ ଆଦିବାସୀ ଜନଜାତି ଲୋକେ ବନଜାତ ଦ୍ରବ୍ୟକୁ ଉଚିତ ଦାମ୍ରେ ବିକ୍ରି ଗୁଜୁରାଣ ମେଣ୍ଟାଇ ପାରୁଛନ୍ତି ।
ବିଜେଡିର ବି ଟିମ୍ କଂଗ୍ରେସ, ନଚେତ କଂଗ୍ରେସର ବି ଟିମ୍ ବିଜେଡି ହୋଇଛି । ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଭାବେ କାମ କରୁଛନ୍ତି । ଦେଶ ଓ ଓଡ଼ିଶାରେ କଂଗ୍ରେସର ୪୦ ବର୍ଷର ଲମ୍ବା ଶାସନ ରହିଛି । ୧୯ ବର୍ଷ ଓଡ଼ିଶାରେ ବିଜେଡି ଶାସନ ହୋଇଛି । ହେଲେ ବିକାଶ ହେଉନି । ବିଜେପିକୁ ଗୋଟିଏ ମୌକା ଦିଅ ଓଡ଼ିଶାକୁ ଦେଶର ସବୁଠି ସମୃଦ୍ଧ ରାଜ୍ୟ କରି ଦେଖାଇବୁ ।
ଏବେ ବିଜେପି ପାଖରେ ଅନୁସୂଚିତ ଜନଜାତି ଲୋକସଭା ଆସନ ୪୭ ମଧ୍ୟରୁ ୩୨ଟି ରହିଛି । ରାଜ୍ୟସଭାରେ ମଧ୍ୟ ୪ ସାଂସଦ ଅନୁସୂଚିତ ଜନଜାତି ବର୍ଗରୁ ରହିଛନ୍ତି । ଅରୁଣାଚଳ ପ୍ରଦେଶ ଓ ଆସାମରେ ୨ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ୫ମନ୍ତ୍ରୀ ଅନୁସୂଚିତ ଜନଜାତିରୁ ରହିଛନ୍ତି । ଆଦିବାସୀ ଜନଜାତିଙ୍କ ସମ୍ମାନ ଓ ଅଧିକାର ପ୍ରଦାନ ନିମନ୍ତେ ବିଜେପି କାର୍ଯ୍ୟ କରୁଛି । ଏହି ବର୍ଗଙ୍କ ବିକାଶ ନିମନ୍ତେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଅନୁସୂଚିତ ଜନଜାତି ମନ୍ତ୍ରଣାଳୟ କରାଯାଇଥିଲା । ହେଲେ ଓଡ଼ିଶାରେ ଜନଜାତିଙ୍କ ସ୍ଥିତି ଖରାପ ଥିବାରୁ ଏହାକୁ ସୁଧାରିବାକୁ ପଡ଼ିବ ।
ଓଡ଼ିଶାରେ ଛାତ୍ର ବୃତ୍ତି ଆଗରୁ ୧୪୪ କୋଟି ମିଳୁଥିଲା ଏବେ ବିଜେପି ସରକାର ଆସିବା ପରେ ୩୨୯ କୋଟି ଟଙ୍କା ପ୍ରଦାନ କରିଛି । ୫୦୦ ନୂଆ ହଷ୍ଟେଲ ୮୫୦ କୋଟି ଟଙ୍କା ଖର୍ଚ୍ଚରେ ହୋଇଛି । ବିଜେପି ନରେନ୍ଦ୍ର ମୋଦି ସରକାର ଆଦିବାସୀଙ୍କ ଉନ୍ନତି ନିମନ୍ତେ ଡିଷ୍ଟ୍ରିକ୍ଟ ମିନିରାଲ ଫଣ୍ଡ ୯ ହଜାର କୋଟି ପ୍ରଦାନ କରିଛନ୍ତି । ଦେଶର ଖଣିଖାଦାନ ଉପରେ ଆଦିବାସୀ ରହିଥାନ୍ତି । ସେମାନଙ୍କୁ ବିସ୍ଥାପିତ ହେବାକୁ ପଡ଼ିଥିବାରୁ ସେମାନଙ୍କ ସୁଖସୁବିଧା ନିମନ୍ତେ କେନ୍ଦ୍ର ସରକାର ଆଦିବାସୀ କଲ୍ୟାଣଙ୍କ ନିମନ୍ତେ ଦେଇଛନ୍ତି । ଏହାର ଉଚିତ ବିନିଯୋଗ କରାଯାଉନି । ବିଜେପି ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ଆଦିବାସୀ ନେତା ବିର୍ସା ମୁଣ୍ଡା, ମହାରାଣୀ ଦୁର୍ଗାବତୀ, କାଣ୍ଟିଆ ଭିଲ, ନାମା ଭିଲ, ତିଲକା ମାଝି, ରାନି ଜୀ, ପଟୁଟୁ ବସପା, ସିଗ୍ନି ବାଇ, ଶମ୍ଭୁ ରାନ, ଭୀମୁ ବାଜିରାଓ, ବୀର ଚନ୍ଦ୍ରମା, ଶଙ୍କର୍ଷା ଓ ତାଙ୍କ ପୁଅଙ୍କ ସ୍ମାରକୀ ନିର୍ମାଣ କରିଛି । ସ୍ୱାଧୀନତା ସଂଗ୍ରାମ ନିମନ୍ତେ ସହିଦ ହୋଇଥିବା ଆଦିବାସୀ ସଂଗ୍ରାମୀଙ୍କ ସ୍ମୃତି ସଜାଡି ରଖିବା ନିମନ୍ତେ ମାନଗଡ଼ରେ ପ୍ରଥମ ଥର ନିମନ୍ତେ ଟ୍ରାଇବାଲ ସ୍ୱତନ୍ତ୍ର ସେନା ନିଯୋଗ ମ୍ୟୁଜିୟମ ବିଜେପି କରିଛି ।
ଅନ୍ତରୀଣ ବଜେଟରେ ସାଧାରଣ ଆଦିବାସୀ ଚାଷୀଙ୍କ ଆକାଉଣ୍ଟକୁ ବର୍ଷକୁ ୬ ହଜାର କୋଟି ଟଙ୍କା ସିଧାସଳଖ ଯିବ । ୫ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରୁଥିବା ଆଦିବାସୀ ସରକାରୀ ଚାକିରିଆଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ । ଓଡ଼ିଶାର ବହୁତ ଲୋକ ଗୁଜରାଟ, ମହାରାଷ୍ଟ୍ରରେ ରହିଛନ୍ତି । ୬୦ ବର୍ଷ ପରେ ସେମାନଙ୍କ ମାସକୁ ୩ ହଜାର ଟଙ୍କା ପେନସନ ଦେବାକୁ ବନ୍ଦୋବସ୍ତ ବିଜେପି ସରକାର କରିଛି । ସମୁଦ୍ରକୂଳରେ ରହୁଥିବା ମତ୍ସ୍ୟଜୀବୀଙ୍କ ବିକାଶ ନିମନ୍ତେ ମତ୍ସ୍ୟଜୀବୀ ବିକାଶ ମନ୍ତ୍ରଣାଳୟ କରାଯାଇଛି । ସଂସଦରେ ବଜେଟ ଉପସ୍ଥାପନ ବେଳେ ଟେବୁଲ ବାଡ଼େଇ ସାଂସଦମାନେ ପ୍ରଶଂସା କରୁଥିବା ବେଳେ ରାହୁଲ ମୁହଁ ଲଟକାଇ ବସିଥିଲେ । ଏଥିରୁ କଂଗ୍ରେସ ଆଦିବାସୀ, ଜନଜାତି, ଚାଷୀ, ମତ୍ସ୍ୟଜୀବୀଙ୍କ ସହିତ ନାହାନ୍ତି ବୋଲି ସ୍ପଷ୍ଟ ହୋଇଛି । ପ୍ରଥମେ କଂଗ୍ରେସ, ପରେ ବିଜେଡି ରାଜ୍ୟବାସୀଙ୍କୁ ଗରିବ କରି ରଖିଛନ୍ତି ।
ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଓଡ଼ିଶାର ବିଜେଡି ସରକାର ବିଶେଷ ଭାବେ ଆଦିବାସୀ ଜନଜାତିଙ୍କ କ୍ଷତି କରିଛି । ଏହି ଆଦିବାସୀ କଳିଙ୍ଗନଗର ଗୁଳିକାଣ୍ଡକୁ ଭୁଲିନାହିଁ । କଳକାରଖାନା ବସାଇବା ନିମନ୍ତେ ଆଦିବାସୀଙ୍କୁ ହତ୍ୟା କରାଯାଇଥିଲା । ପୁଞ୍ଜିପତିଙ୍କୁ ଖୁସ୍ କରିବାକୁ ବିଜେଡି ସରକାର ଏଭଳି କାର୍ଯ୍ୟ କରିଛି । କମିସନ ବସିଥିଲେ ହେଁ ଫଳ ଶୂନ । ଏହି ଶାସନ ଓ ସରକାରକୁ ବଦଳାଇ ବିଜେପିକୁ ଶାସନ ଗାଦିରେ ବସାଇବାକୁ ସେ ଆହ୍ୱାନ ଦେଇଥିଲେ । ଆଦିବାସୀ ଭାଇଭଉଣୀମାନେ ରାଜ୍ୟ ସରକାର ପରିବର୍ତ୍ତନର ନେତୃତ୍ୱ ନେବେ ବୋଲି ଶ୍ରୀ ପ୍ରଧାନ କହିଥିଲେ ।
ସମାବେଶରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଧାୟକ ତଥା ବିଜେପି ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ରବି ନାୟକ, ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ରାମ ବିଚାର ନେତମ୍, ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

ଅଚଳାଚଳ ସମ୍ପତ୍ତିର ମାଲିକ ତେଲେଙ୍ଗାନାର ନୂଆ ମୁଖ୍ୟମନ...