ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଅଙ୍ଗନବାଡ଼ି କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ଚିନ୍ତା: ନିଜ ହାତରୁ ଅଣ୍ଡା କିଣି ଯୋଗାଇଛନ୍ତି, ମିଳୁନି ସରକାରୀ ଟଙ୍କା

ଭୁବନେଶ୍ୱର, ୦୨/୦୯: ମା’, କିଶୋରୀ ବାଳିକା ଓ ଶିଶୁଙ୍କ ଉପଯୁକ୍ତ  ପୁଷ୍ଟିସାଧନ ପାଇଁ ରାଜ୍ୟରେ ସରକାର  ଆରମ୍ଭ କଲେ ‘ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ  ପୁଷ୍ଟି ଯୋଜନା’ । ଏଥିରେ ଅଣ୍ଡା, ଲଡ଼ୁ, ପୁଷ୍ଟିକର ଖାଦ୍ୟ, ଛତୁଆ ଆଦି  ଯୋଗାଇ ଦିଆଯିବ କୁହାଗଲା । ଏହି  ଯୋଜନା ଆରମ୍ଭ ମଧ୍ୟ ହେଲା । ଏହା  ଦାୟିତ୍ୱ ଅଙ୍ଗନବାଡ଼ି କର୍ମୀଙ୍କୁ ଦେଲେ ।  ଛତୁଆ, ଲଡ଼ୁ, ପୁଷ୍ଟିକର ଖାଦ୍ୟଗୁଡ଼ିକ ଏସ୍‌ଏଚ୍‌ଜି ମହିଳାଙ୍କ ଦ୍ୱାରା ଯୋଗାଣ କରାଗଲା । ବାକି ଅଣ୍ଡା କିଣିବା ଦାୟିତ୍ୱ  ଅଙ୍ଗନବାଡ଼ି କର୍ମୀଙ୍କ ହାତରେ ସରକାର ଟେକି ଦେଲେ । କୁହାଗଲା ଅଣ୍ଡା କିଣିକି ଦିଅ ଟଙ୍କା ସରକାର ଦେବେ । ଅଙ୍ଗନବାଡ଼ି କର୍ମୀ ନିଜ ହାତରୁ ଅଣ୍ଡା  କିଣି ଯୋଗାଇ ଚାଲିଛନ୍ତି, ହେଲେ ୬ ମାସ ଧରି ଅଣ୍ଡା ଟଙ୍କା ମିଳୁନି । 

ଅଙ୍ଗନବାଡ଼ି କର୍ମୀଙ୍କ ଅଭିଯୋଗ  ଆମ ଦରମା ମାତ୍ର ୧୦ ହଜାର ।  ଏଥିରୁ ପୁଣି ଅଣ୍ଡା କିଣି ଯୋଗାଇବା  କଷ୍ଟକର ହୋଇପଡ଼ୁଛି । ଏପଟେ ଅଣ୍ଡା  ନଦେଲେ ଲୋକମାନେ ଆସି ହୋ ହାଲ୍ଲା କରୁଛନ୍ତି । ବାଧ୍ୟ ହୋଇ କିଏ  ଦରମାରୁ ଅଣ୍ଡା କିଣୁଛି ତ ଆଉ କିଏ ବଜାରରୁ ଅଣ୍ଡା ବାକି ଆଣୁଛି । ଏତିକି ନୁହେଁ ଅଣ୍ଡା କିଣିବା ବାବଦକୁ ରାଜ୍ୟର କିଛି ଜିଲ୍ଲାରେ  କୋଟିଏ ଟଙ୍କାରୁ ଅଧିକ ବାକି ମଧ୍ୟ  ହେଲାଣି । ଜଗତସିଂହପୁର, କୁଜଙ୍ଗ  ବ୍ଲକ୍‌ରେ ୩୦ ଲକ୍ଷ ଟଙ୍କାରୁ ଅଧିକ  ବକେୟା ପଡ଼ିଛି । 

କିଛି ବ୍ଲକ୍‌ରେ ଜାନୁଆରୀ ମାସରୁ ଅଣ୍ଡା କିଣା ଟଙ୍କା  ମିଳିନାହିଁ । ଭୁବନେଶ୍ୱରରେ ଜୋନ୍‌ ୩ରେ ଅଣ୍ଡା  ଟଙ୍କା ଜୁନ୍‌ ମାସ ପର୍ଯ୍ୟନ୍ତ ମିଳିଥିବା ବେଳେ ଜୋନ୍‌-୧,  ଜୋନ୍‌-୨ ଓ ଗ୍ରାମାଞ୍ଚଳରେ ଜାନୁଆରୀରୁ ମିଳିନି  ବୋଲି ଅଙ୍ଗନବାଡ଼ି କର୍ମୀ ଅଭିଯୋଗ କରିଛନ୍ତି ।  ରାଜ୍ୟ ସରକାର ଗତ ବର୍ଷ ସେପ୍ଟେମ୍ବର ମାସରେ  ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ଆରମ୍ଭ କଲେ ।  ଏହା ଲକ୍ଷ୍ୟ ଥିଲା, ରାଜ୍ୟରେ ସମସ୍ତ କିଶୋରୀ  ବାଳିକାଙ୍କୁ ପୁଷ୍ଟି ସହାୟତା ସହ ଗର୍ଭବତୀ ମହିଳା  ଓ ପ୍ରସୂତି ମା’, ପୁଷ୍ଟିହୀନ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ  ଯୋଗାଇବା । ୧୫ରୁ ୧୯ ବର୍ଷ ବୟସର ସମସ୍ତ  କିଶୋରୀ ବାଳିକାମାନଙ୍କୁ ପୁଷ୍ଟି ସହାୟତା ଯୋଗାଇ  ଦେବାକୁ ଏହି ଯୋଜନାରେ ରହିଛି । ଏଥିରେ ଦୈନିକ  ଖର୍ଚ୍ଚ ୧୧.୫୦ ଟଙ୍କା ହିସାବରେ ବର୍ଷକୁ ୩୦୦ ଦିନ  ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି । ଏଥିରେ ୧୬ଟି  ଅଣ୍ଡା, ୧ କେଜି ୩୫୦ ଗ୍ରାମର ଭଜା ବୁଟ ଏବଂ ୯୭୦  ପୁଷ୍ଟି ଭେଲ୍‌ (ମୁଢ଼ି) ଯୋଗାଇ ଦେବାକୁ ରହିଛି । 

ସେହିପରି ଏହି ଯୋଜନାରେ ଏସ୍‌ଏଏମ୍‌ ଶିଶୁ  (୬ ମାସରୁ ୫ ବର୍ଷ)ଙ୍କୁ ପ୍ରତିଦିନ ୧୦୦ ଗ୍ରାମ ଛତୁଆ,  ଦୈନିକ ଗୋଟିଏ ଅଣ୍ଡା ହିସାବରେ ମାସକୁ ୩୦ଟି  ଅଣ୍ଡା ହିସାବରେ ୧୧୨ ଦିନ ପାଇଁ ଖାଦ୍ୟ ଦିଆଯାଉଛି ।  ସେହିପରି ଏସ୍‌ୟୁଡବ୍ଲୁ ଓ ଏମ୍‌ଏଏମ୍‌ ଶିଶୁଙ୍କୁ ବେସନ  ଅଟା ମିଶ୍ରଣ, କଦଳୀ ଓ ଅଣ୍ଡା ୭୫ ଦିନ ପାଇଁ ପ୍ରଦାନ  କରାଯିବ । ଛତୁଆ, ମୁଢ଼ି, ଭଜା ବୁଟକୁ ଏସ୍‌ଏଚ୍‌ଜି  ଗ୍ରୁପ୍‌ ଦ୍ୱାରା ଅଙ୍ଗନବାଡ଼ି କର୍ମୀଙ୍କୁ ଦିଆଯାଉଛି । ହେଲେ  ଅଣ୍ଡା, କଦଳୀ କିଣିବା ଦାୟିତ୍ୱ ସଂପୂର୍ଣ୍ଣ ଭାବେ ସରକାର  ଅଙ୍ଗନବାଡ଼ି କର୍ମୀଙ୍କ ହାତରେ ଦେଇଛନ୍ତି । 

ଅଙ୍ଗନବାଡ଼ି କର୍ମୀଙ୍କ ଅଭିଯୋଗ ସରକାର  ଅଣ୍ଡା ବାଣ୍ଟିବାକୁ କହୁଛନ୍ତି ହେଲେ ଟଙ୍କା ଦେବା  ବେଳକୁ ହଇରାଣ କରୁଛନ୍ତି । ଏଣେ ଟଙ୍କା ପାଇବା  ପାଇଁ ବାରମ୍ବାର ବ୍ଲକ ଅଫିସ, ସିଡିପିଓ କାର୍ଯ୍ୟାଳୟକୁ  ଧାଉଁଛନ୍ତି କର୍ମୀ । ଏଣେ ବଜାରରେ ହଜାର ହଜାର  ଟଙ୍କା ବାକି ଗଢ଼ୁଥିବାରୁ ଦୋକାନୀ ମଧ୍ୟ ବାକି ଦେବାକୁ  ରୋକ୍‌ଠୋକ୍‌ ମନା କରୁଛନ୍ତି । ଜିଲ୍ଲା ସମାଜ କଲ୍ୟାଣ  ବିଭାଗ (ଡିଏସ୍‌ଡବ୍ଲୁଓ)କୁ ଅଣ୍ଡା ଟଙ୍କା ଦେବାକୁ  ଚିଠି କରି କରି ସିଡିପିଓ ଥକି ଯାଉଛନ୍ତି । ଜଣେ  ଅଙ୍ଗନବାଡ଼ି କର୍ମୀ ନିଜର ନାଁ ଗୋପନ ରଖି କହିଛନ୍ତି,  ଖୋର୍ଦ୍ଧା ଜିଲ୍ଲାରେ ଅଧାରୁ ଅଧିକ ବ୍ଲକରେ ଆଦୌ ଅଣ୍ଡା  ଟଙ୍କା ମିଳିନି । ଭୁବନେଶ୍ୱର-୩ ଜୋନ୍‌ରେ ଗତ ଜୁନ୍‌  ମାସରେ ଶେଷ ସମୟ ପାଇଁ ଅଣ୍ଡା ଟଙ୍କା ମିଳିଥିଲା ।  ତା ପରଠୁ ଆଉ ମିଳିନି । ସେହିପରି ଭୁବନେଶ୍ୱର-୨  ଓ ୧ ଜୋନ୍‌ ଏବଂ ଗ୍ରାମାଞ୍ଚଳରେ ଅଙ୍ଗନବାଡ଼ି କର୍ମୀଙ୍କୁ  ଅଣ୍ଡା ବାବଦକୁ ଟଙ୍କା ମିଳିନି । 

ଜଗତ୍‌ସିଂହପୁର ବ୍ଲକରେ ଏପ୍ରିଲ୍‌ ମାସରୁ ଏ ପର୍ଯ୍ୟନ୍ତ  ଟଙ୍କା ମିଳିପାରୁନି । ୧୦ ଲକ୍ଷରୁ ଅଧିକ ଟଙ୍କାର ଅଣ୍ଡା  ବାକିରେ କିଣି ବଣ୍ଟନ ହୋଇଛି। କୁଜଙ୍ଗରେ ନଭେମ୍ବର  ଓ ଡିସେମ୍ବର ମାସରେ ଶେଷ ସମୟ ପାଇଁ ଅଣ୍ଡା ଟଙ୍କା  ମିଳିଥିଲା । ଏହି ବ୍ଲକରେ ପାଖାପାଖି ୧୯ ଲକ୍ଷରୁ ଅଧିକ ଟଙ୍କାର ଅଣ୍ଡା ଅଙ୍ଗନବାଡ଼ି କର୍ମୀମାନେ ନିଜ ଟଙ୍କାରୁ  କିଣି ବଣ୍ଟନ କରିଛନ୍ତି । କେବଳ ଏହି ବ୍ଲକ ନୁହେଁ  ରାୟଗଡ଼ାରେ ମଧ୍ୟ ଅଣ୍ଡା ଟଙ୍କାକୁ ନେଇ ଅଙ୍ଗନବାଡ଼ି  କର୍ମୀ ମାନେ ବିକ୍ଷୋଭ କରିଛନ୍ତି । ରାଜ୍ୟରେ ସମସ୍ତ  ଜିଲ୍ଲାରେ ଏପରି ସମସ୍ୟା ଉପୁଜିଛି ବୋଲି ଅଲ୍‌ ଓଡ଼ିଶା  ଅଙ୍ଗନବାଡ଼ି ଲେଡିଜ୍‌ ୱାକର୍ସ ଆସୋସିଏସନ୍‌ର ସୁମିତା  ମହାପାତ୍ର କହିଛନ୍ତି । ଅନ୍ୟପଟେ ଅଧିକାରୀଙ୍କ କହିବା  କଥା, ଅଣ୍ଡା କିଣିବା ଅର୍ଥ ବ୍ୟାଙ୍କ ମାଧ୍ୟମରେ ଡିପୋଜିଟ୍‌  କରାଯାଉଛି, ହେଲେ ଅର୍ଥ ଟ୍ରାନ୍ସଫର ହେବାରେ ବିଳମ୍ବ  ହେଉଛି । ଅଣ୍ଡା କିଣିବା ଖର୍ଚ୍ଚ ଠିକ୍‌ ସମୟରେ ହସ୍ତଗତ  ହେଉନଥିବାରୁ ଏଭଳି ସମସ୍ୟା ଉପୁଜୁଛି । ସାଧାରଣ  ନିର୍ବାଚନ ଆଚରଣ ବିଧି ଲାଗିଥିବାରୁ ସମସ୍ୟା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.