ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆମ୍ ଆଦମୀ ପାର୍ଟି, ବିଜେପି ଏବଂ କଂଗ୍ରେସ ଭଳି ସମସ୍ତ ଦଳ ନିର୍ବାଚନ ପ୍ରସ୍ତୁତିରେ ନିଜକୁ ବ୍ୟସ୍ତ ରଖିଛନ୍ତି । ଏହି ସମୟରେ କଂଗ୍ରେସ ଦଳ ଆମ୍ ଆଦମୀ ପାର୍ଟୀ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆକ୍ରମଣ କରିଛି । କଂଗ୍ରେସର ବରିଷ୍ଠ ନେତା ଅଜୟ ମାକେନ୍ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରାଷ୍ଟ୍ର ବିରୋଧୀ ବୋଲି କହିଛନ୍ତି । ମାକେନ୍ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ସହିତ ମେଣ୍ଟ ଗଠନ କରିବା କଂଗ୍ରେସର ଏକ ବଡ ଭୁଲ ଥିଲା, ଯାହାକୁ ଏବେ ସଂଶୋଧନ କରାଯିବା ଆବଶ୍ୟକ।
ବାସ୍ତବରେ ବୁଧବାର ଦିନ ଦିଲ୍ଲୀ କଂଗ୍ରେସ ଆମ୍ ଆଦମୀ ପାର୍ଟି ସରକାରଙ୍କ ବିରୋଧରେ ଏକ ସ୍ବେତ ପତ୍ର ଜାରି କରିଛି । ଏହି ସମୟରେ ଅଜୟ ମାକେନ୍ କହିଛନ୍ତି ଯେ, ଦିଲ୍ଲୀରେ କଂଗ୍ରେସର ଦୁର୍ବଳତା ଏବଂ ଦିଲ୍ଲୀର ଦୁର୍ଦ୍ଦଶାର ଏକ ବଡ କାରଣ ହେଉଛି ୧୦ ବର୍ଷ ପୂର୍ବେ କେଜ୍ରିୱାଲଙ୍କ ନେତୃତ୍ୱରେ ପ୍ରଥମ ସରକାରଙ୍କୁ କଂଗ୍ରେସ ଦେଇଥିବା ସମର୍ଥନ। ତେବେ ଅଜୟ ମାକେନ୍ ଏହା ମଧ୍ୟ କହିଛନ୍ତି ଯେ, ଏହା ତାଙ୍କର ବ୍ୟକ୍ତିଗତ ମତ।
ଅଜୟ ମାକେନ୍ ବୁଧବାର ଅରବିନ୍ଦ କେଜ୍ରିୱାଲଙ୍କ ନିର୍ବାଚନ ଘୋଷଣାକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,"ଯଦି କେଜ୍ରିୱାଲଙ୍କୁ ଗୋଟିଏ ଶବ୍ଦରେ ପରିଭାଷିତ କରାଯାଇପାରିବ, ତେବେ ସେହି ଶବ୍ଦଟି" ଠକ "ଅଟେ। ଏହି ବ୍ୟକ୍ତିଙ୍କ ଘୋଷଣା କେବଳ ଠକେଇ, ଅନ୍ୟ କିଛି ନୁହେଁ । ମାକେନ୍ ପ୍ରଶ୍ନ କରିଛନ୍ତି ଯେ କେଜ୍ରିୱାଲ ମିଥ୍ୟା ପ୍ରତିଶୃତି ଦେଇ ଲୋକଙ୍କୁ କାହିଁକି ବିଭ୍ରାନ୍ତ କରୁଛନ୍ତି ?