ଲୁଟ୍ ଉଦ୍ୟମ, ମରଣାନ୍ତକ ଆକ୍ରମଣ ଘଟଣା : ୧୪ ଗିରଫ

ପୁରୀ,୧୮।୩ ପୁରୀ ମାର୍କେଟ ଛକରେ ତିନିଜଣ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ଘଟଣାରେ ଉଭୟ ଗୋଷ୍ଠୀର ଏତଲାକୁ ଆଧାର କରି ୯ ଜଣଙ୍କ ନାଁ ରେ ମାମଲା ରୁଜୁ କରିଛି ପୋଲିସ। ସେମାନଙ୍କ ମଧ୍ୟରୁ ତିନିଜଣ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କୁମ୍ଭାରପଡ଼ା ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଉଛନ୍ତି ଚୁଡଙ୍ଗ ସାହିର ସୁନିଲ ଦାସ, ରବିନାରାୟଣ ପାତ୍ର, କଣ୍ଠପୁରର ଭିମସେନ୍ ବରାଳ, ଛବି ପ୍ରଧାନ, ଉପର ମାଳିସାହିର ଗୋପାଳ ମୁନି, ଖଡିପଦାର ତ୍ରିଲୋଚନ ବେହେରା। ତେବେ ଗୁରୁତର ହୋଇ କଟକରେ ଚିକିତ୍ସିତ ହେଉଥିବା ଅଭିଯୁକ୍ତ ମାନେ ହେଲେ ଖଗେଶ୍ବର ସାହୁ, ହୃଷିକେଶ ପଣ୍ଡା ଏବଂ ସମୀର ଦାସ। ହସ୍ପିଟାଲରେ ପୋଲିସ ଏମାନଙ୍କୁ ଜଗି ରହିଥିବା ବେଳେ ସୁସ୍ଥ ହେବା ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଏସପି। ଅଭିଯୁକ୍ତଙ୍କ ଠାରୁ ପୋଲିସ ୨ଟି ଖଣ୍ଡା ଓ ତିନୋଟି ମୋବାଇଲ ଫୋନ ଜବତ କରିଛି।
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶନିବାର ସକାଳେ ମାର୍କେଟ ଛକ ଠାରେ ଏହି ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଟ୍ରାଫିକ ପୋଲିସ ସମ୍ମୁଖରେ ଏହି ଘଟଣା ଘଟିଥିବା ବେଳେ ଭକ୍ତ, ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ପଡିଥିଲେ। ତେବେ ପୋଲିସର ସ୍ବତନ୍ତ୍ର ସ୍କାର୍ଡ ସହ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ତିନୋଟି ସ୍ବତନ୍ତ୍ର ଟିମ୍ ଗଠନ ହୋଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ଟାଉନ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି।
ସେହିପରି ଲୁଟ୍ ପାଇଁ ଯୋଜନା କରୁଥିବା ଅନ୍ୟ ଏକ ଘଟଣାରେ ତାଳବଣିଆ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଲୁଟେରାମାନେ ହେଲେ ପିକେଆରଆଇଟି କଲୋନୀର ପିଣ୍ଟୁ ଥାପା, ମହାନ୍ତି ସାହିର ମନୋଜ କୁମାର ପ୍ରଧାନ (ବୁବୁଲା), ମଧୁବନ ଅଞ୍ଚଳର ୫ ଲେନର ସମ୍ବିତ ରଞ୍ଜନ ବେହେରା, ଜଗନ୍ନାଥ ବଲଭର ବିରଞ୍ଚି ମହାପାତ୍ର, ଖୋର୍ଦ୍ଧା ଜିଲାର କାଇପଦର ଅଞ୍ଚଳର ମୁକ୍ତାମଣି ରଣସିଂହ।