PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ପଶ୍ଚିମବଙ୍ଗରେ ବୀଭତ୍ସ ହତ୍ୟାକାଣ୍ଡ: ବାପାଙ୍କୁ ୬ ଖଣ୍ଡ କରି ଫିଙ୍ଗିଲା ପୁଅ, ଅଖା ଭିତରୁ ମିଳିଲା ମୃତଦେହ

କୋଲକାତା,୨୧/୧୧: ରାଜଧାନୀ ଦିଲ୍ଲୀର ମେହରୌଲି ଅଞ୍ଚଳରେ ଘଟିଥିବା ଶ୍ରଦ୍ଧା ୱାକର ବୀଭତ୍ସ ହତ୍ୟା ଘଟଣା ମନରୁ ନ ଲିଭୁଣୁ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ବରିଉପୁର ଅଞ୍ଚଳରେ ଏକ ଅନୁରୂପ ହତ୍ୟାକାଣ୍ଡ ସାମ୍‌ନାକୁ ଆସିଛି । ମା’ ସହ ମିଶି ପୁଅ ନିଜର ପିତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ୬ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଛି । ଘଟଣା ସାମ୍‌ନାକୁ ଆସିବା ପରେ ପୁଲିସ ଉଭୟ ମା ଓ ପୁଅକୁ ଗିରଫ କରିଛି । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଉଜ୍ୱଳ ଚକ୍ରବର୍ତ୍ତୀ (୫୫) ଓ ସେ ନୌସେନାର ଜଣେ ପୂର୍ବତନ କର୍ମଚାରୀ । ଅଭିଯୁକ୍ତ ମା ଶ୍ୟାମଳୀ ଚକ୍ରବର୍ତ୍ତୀ (୪୮) ଓ ପୁଅ ଜୟ ଚକ୍ରବର୍ତ୍ତୀ (୨୫) ପୁଲିସ ନିକଟରେ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ।

ସୂଚନା ଅନୁସାରେ ବରିଉପୁର ନିକଟ ହରିହରପୁର ଠାରେ ଥିବା ଏକ ପୋଖରୀରୁ ଗୁରୁବାର ରାତିରେ ପୁଲିସ ଜରି ଅଖାରେ ବନ୍ଧା ହୋଇ ଭାସୁଥିବାର ଏକ ମୃତଦେହ ଉଦ୍ଧାର କରିଥିଲା । ମୃତଦେହକୁ ଜରିରୁ ବାହାର କରିବା ପରେ ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା । କାରଣ ସେଥିରେ ମୁଣ୍ଡ, ଗୋଡ କିମ୍ବା ହାତ ନଥିଲା । ଆଖପାଖ ଅଞ୍ଚଳରେ କେହି ନିଖୋଜ ହୋଇଥିବାର ପୁଲିସ ଅନୁସନ୍ଧାନ କରିଥିଲା ଏବଂ ପରେ ଉକ୍ତ ମୃତଦେହ ଉଜ୍ୱଳଙ୍କର ବୋଲି ସ୍ପଷ୍ଟ ହୋଇଥିଲା । ଶୁକ୍ରବାର ପୁଲିସ ଉଜ୍ୱଳଙ୍କ ପତ୍ନୀ ଶ୍ୟାମଳୀ ଓ ପୁଅ ଜୟଙ୍କୁ ପଚରାଉଚୁରା କରିଥିଲା । ସେମାନେ ପ୍ରଥମେ ମାନି ନଥିଲେ । କିନ୍ତୁ ଶନିବାର ମାରାଥନ ଜେରା ପରେ ଦୋଷ ସ୍ୱୀକାର କରିଥିଲେ ।

ଜେରା ବେଳେ ଶ୍ୟାମଳୀ କହିଛନ୍ତି ଯେ ନୌସେନାରୁ ଅବସର ନେବା ପରେ ଉଜ୍ୱଳ ଏକ ସିକ୍ୟୁରିଟି ସଂସ୍ଥାରେ କାମ କରୁଥିଲେ । ପ୍ରତିଦିନ ମଦ୍ୟପାନ କରି ଘରକୁ ଆସୁଥିଲେ । ଅର୍ଥାଭାବ ଓ ମଦ୍ୟପାନକୁ ନେଇ ସବୁବେଳେ ଝଗଡା ହେଉଥିଲା । ଜୟ ସ୍ଥାନୀୟ ଏକ ପଲିଟେକ୍‌ନିକ କଲେଜରେ କାରପେଣ୍ଟ୍ରି କୋର୍ସ କରୁଥିଲା । ଗୁରୁବାର ରାତିରେ ଉଜ୍ୱଳ ଘରକୁ ଫେରିବା ପରେ ଜୟ ତାଙ୍କୁ ପରୀକ୍ଷା ଦେବା ଲାଗି ୩ ହଜାର ଟଙ୍କା ମାଗିଥିଲା । କିନ୍ତୁ ଉଜ୍ୱଳ ଟଙ୍କା ଦେବାକୁ ମନା କରିଦେଇଥିଲେ । ଜୟ ଏଥିରେ ଉତ୍‌କ୍ଷିପ୍ତ ହୋଇ ଉଜ୍ୱଳଙ୍କୁ ଧକ୍କା ମାରିଥିଲା । ଉଜ୍ୱଳ ତଳେ ପଡିଯିବା ପରେ ଜୟ ତାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା । ପରେ ମୃତଦେହକୁ ଜରିରେ ଗୁଡାଇ ଫିଙ୍ଗିବାକୁ ଉଦ୍ୟମ କରିଥିଲେ । ମାତ୍ର ସମ୍ପୂର୍ଣ୍ଣ ମୃତଦେହକୁ ଫିଙ୍ଗିବା ସମ୍ଭବ ହୋଇନଥିଲା । ଫଳରେ ଜୟ ସର୍ଜିକାଲ ଛୁରିରେ ପିତାଙ୍କ ମୁଣ୍ଡ, ଗୋଡ ଓ ହାତକୁ କାଟି ଅଲଗା କରିଦେଇଥିଲା । କବନ୍ଧକୁ ପୋଖରୀରେ ଫିଙ୍ଗି ଦେଇଥିଲା ବେଳେ ହାତ, ଗୋଡ ଓ ମୁଣ୍ଡକୁ ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇ ଆସିଥିବା ଜେରା ବେଳେ ପୁଲିସ ନିକଟରେ ସ୍ୱୀକାର କରିଛି ।