ନୂଆଦିଲ୍ଲୀ,୦୧/୧୧: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ୨୦୨୫ ଏସିଆ କପ୍ରେ ପାକିସ୍ତାନକୁ ଧୂଳା ଚଟାଇ ଚମ୍ପିଆନ ହୋଇଥିଲା । ହେଲେ ମୋହସିନ ନକଭିଙ୍କଠୁ ଟ୍ରଫି ଗ୍ରହଣ କରିନଥିଲା ଟିମ୍ ଇଣ୍ଡିଆ । ଘଟଣାକୁ ଏକ ମାସରୁ ଅଧିକ ସମୟ ପରେ ମଧ୍ୟ ଭାରତ ପାଖରେ ଟ୍ରଫି ପହଞ୍ଚି ନାହିଁ । ବୋର୍ଡ ଆଶା କରୁଛି ଯେ, ଏହାକୁ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ମୁମ୍ବାଇ ମୁଖ୍ୟାଳୟକୁ ଅଣାଯିବ । ଏସୀୟ କ୍ରିକେଟ୍ ପରିଷଦ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ ସଭାପତି ମୋହସିନ୍ ନକଭିଙ୍କ ପାଇଁ ଏହା ମହଙ୍ଗା ସାବ୍ୟସ୍ତ ହୋଇପାରେ । ବିସିସିଆଇ ଏକ ବଡ଼ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି । ନଭେମ୍ବର ୪ରୁ ଆରମ୍ଭ ହେବାକୁଥିବା ଆଇସିସି ବୈଠକରେ ଏହି ପ୍ରସଙ୍ଗକୁ ଜୋରଦାର ଭାବରେ ଉଠାଇବ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ।
ଦେବଜିତ ସାଇକିଆଙ୍କ ବଡ଼ ବୟାନ- ବିସିସିଆଇ ସଚିବ ଦେବଜିତ ସାଇକିଆ ପିଟିଆଇକୁ କହିଛନ୍ତି, " ଯେଉଁ ଭାବରେ ଗୋଟିଏ ମାସ ପରେ ମଧ୍ୟ ଟ୍ରଫି ଆମକୁ ଫେରସ୍ତ କରାଯାଇନାହିଁ, ସେଥିରେ ଆମେ ଟିକେ ଅସନ୍ତୁଷ୍ଟ । ଆମେ ଏହି ମାମଲାକୁ ଅନୁସରଣ କରୁଛୁ । ୧୦ ଦିନ ପୂର୍ବେ ACC ସଭାପତିଙ୍କୁ ଏକ ଚିଠି ଲେଖିଥିଲୁ, କିନ୍ତୁ ତାଙ୍କ ମତରେ କୌଣସି ପରିବର୍ତ୍ତନ ହୋଇନାହିଁ । ଟ୍ରଫି ଏବେ ବି ସେମାନଙ୍କ ପାଖରେ ଅଛି, କିନ୍ତୁ ଆମେ ଆଶା କରୁଛୁ ଯେ, ଏହା ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ମୁମ୍ବାଇର BCCI ମୁଖ୍ୟ କାର୍ଯ୍ୟାଳୟରେ ଟ୍ରଫି ଆମ ପାଖରେ ପହଞ୍ଚିବ। ଯଦି ଟ୍ରଫି ଶୀଘ୍ର ଫେରସ୍ତ ନହୁଏ, ତେବେ ବିସିସିଆଇ ନଭେମ୍ବର ୪ ରୁ ଆରମ୍ଭ ହେଉଥିବା ଦୁବାଇରେ ଆଇସିସି ବୈଠକରେ ଏହି ପ୍ରସଙ୍ଗ ଉଠାଇବ । ବିସିସିଆଇ ପକ୍ଷରୁ, ଆମେ ଏହି ପ୍ରସଙ୍ଗର ସମାଧାନ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ମୁଁ ଭାରତର ଲୋକମାନଙ୍କୁ ଆଶ୍ୱସ୍ତି ଦେଇପାରେ ଯେ ଟ୍ରଫି ଭାରତକୁ ଫେରିବ । କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ । କିନ୍ତୁ ଗୋଟିଏ ଦିନ ନିଶ୍ଚୟ ଆସିବ।"
କହି ରଖୁଛି କି, ଭାରତ ଦୁବାଇରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଏସିଆ କପ ଟ୍ରଫି ଫାଇନାଲରେ ୫ ୱିକେଟରେ ପରାସ୍ତ କରିଥିଲା । କିନ୍ତୁ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ଯୋଗୁଁ କ୍ୟାପ୍ଟେନ ସୂର୍ଯ୍ୟକୁମାର ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରି ଦେଇଥିଲେ । ଏହା ପରେ ନକଭି ଟ୍ରଫିକୁ ନେଇ ନେଇ ଷ୍ଟାଡିୟମ ଛାଡି ଚାଲିଯାଇଥିଲେ । ସେବେଠାରୁ ବିବାଦ କମିବାର କୌଣସି ସଙ୍କେତ ଦେଖାଯାଇ ନାହିଁ ।