ଭୁବନେଶ୍ୱର, ୩୦/୦୭ : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷରେ ଘର ଆବଣ୍ଟନ, ଫ୍ରି ହୋଲ୍ଡ କିମ୍ବା ଋଣ ପାଇଁ ଏନ୍‌ଓସି । ଆଉ ବାରମ୍ବାର ବିଡିଏରେ ଫାଇଲ ଖୋଜିବାକୁ ପଡିବନି। ଏଣିକି କମ୍ପ୍ୟୁଟରରେ ବିଭାଗୀୟ ୱେବ୍‌ସାଇଟ୍‌ ଖୋଲି ୟୁଏଏନ୍‌ ନମ୍ବର ଦାଖଲ କରିବା କ୍ଷଣି ଆସିଯିବ ସବୁ ବିବରଣୀ। ନିର୍ଦ୍ଦେଶନାମା ଜାରି କଲା ବିଡିଏ। ଜମିବାଡ଼ି କାରବାରରେ ୟୁଏଏନ୍‌ ବାଧ୍ୟତାମୂଳକ। ଅଗଷ୍ଟ ୩୧ ସୁଦ୍ଧା ୟୁଏଏନ୍‌ ନମ୍ବର ଜେନେରେଟ୍‌ କରିବାକୁ ସମସ୍ତ ଗ୍ରାହକଙ୍କୁ ନିର୍ଦ୍ଦେଶ। 

ଏହି ୟୁଏଏନ୍‌ ବିଭିନ୍ନ ପୂର୍ବ ଓ ପରବର୍ତ୍ତୀ ଆବଣ୍ଟନ ସେବା ପାଇଁ ବାଧ୍ୟତାମୂଳକ ରହିବ। ସଂପୃକ୍ତ ସେବାଗୁଡ଼ିକ ମଧ୍ୟରେ ସମ୍ପତ୍ତି ଆବଣ୍ଟନ, ଲିଜ୍‌ ଡିଡ୍‌ କାର୍ଯ୍ୟକାରୀ କରିବା, ଋଣ ପାଇଁ ଏନଓସି, ସମ୍ପତ୍ତି ହସ୍ତାନ୍ତର ଏବଂ ଲିଜ୍‌ହୋଲ୍ଡରୁ ଫ୍ରିହୋଲ୍ଡ ଜମି ପରିବର୍ତ୍ତନ ଭଳି ସେବା ଅନ୍ତର୍ଭୁକ୍ତ ରହିବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି । ଆବେଦନକାରୀମାନେ ବିଡିଏର ସରକାରୀ ୱେବସାଇଟ୍‌ରେ ଏହି ୟୁଏଏନ୍‌ ତିଆରି କରିପାରିବେ । ପରି, ଲିଜ୍‌ହୋଲ୍ଡ ସମ୍ପତ୍ତିକୁ ଫ୍ରିହୋଲ୍ଡରେ ପରିବର୍ତ୍ତନ କରିବା ପାଇଁ ଚାଲୁଥିବା ପ୍ରକ୍ରିୟାରେ ବିଡିଏ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରିଛି । ଲିଜ୍ ହୋଲ୍ଡରୁ ଫ୍ରିହୋଲ୍ଡ ପରିବର୍ତ୍ତନ ପାଇଁ ପ୍ରାପ୍ତ ୧,୨୫୦ଟି ଆବେଦନ ମଧ୍ୟରୁ ଏପର୍ଯ୍ୟନ୍ତ ୭୪୩ଟି ଆବେଦନ ସଫଳତାର ସହିତ ପଞ୍ଜୀକୃତ କରିଛି। 

ଉଲ୍ଲେଖନୀୟ ଯେ, ଆବେଦନକାରୀ ୮୪୩ଟି ଆବେଦନ ବିଡିଏ ଅନଲାଇନ୍‌ ପୋର୍ଟାଲ୍‌ ମାଧ୍ୟମରେ ଦାଖଲ କରିଛନ୍ତି । ଯାହା ଡିଜିଟାଲ୍‌ ପ୍ରକ୍ରିୟା ପ୍ରତି ଜନସାଧାରଣଙ୍କ ଆଗ୍ରହକୁ ପ୍ରତିଫଳିତ କରୁଛି । ଫ୍ରିହୋଲ୍ଡ ପାଇବା କ୍ଷେତ୍ରରେ ଯୋଗ୍ୟ ହେବା ପାଇଁ ବ୍ୟକ୍ତିଙ୍କୁ ନିଜ ପ୍ଲଟରେ ଗୃହ ନିର୍ମାଣ କରି ଅତି କମରେ ପାଞ୍ଚ ବର୍ଷ ଧରି ସେଠାରେ ବସବାସ କରିଥିବା ଆବଶ୍ୟକ । ଏହା ସହ ପରିବର୍ତ୍ତନ ପାଇଁ ଆବେଦନ କରିବା ପୂର୍ବରୁ ବିଡିଏ ସହ ଏକ ବୈଧ ଲିଜ୍‌ ଡିଡ୍‌ ହୋଇଥିବା ଜରୁରି । ଏହି ପରିବର୍ତ୍ତନ କାର୍ଯ୍ୟକ୍ରମ ଅଧୀନରେ ୨୭ଟି ଗୃହ ଯୋଜନା ଅନ୍ତର୍ଭୁକ୍ତ ହୋଇଥିବା ନେଇ ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରମୁଖ ଯୋଜନାଗୁଡ଼ିକ ମଧ୍ୟରେ ପୋଖରୀପୁଟ ପର୍ଯ୍ୟାୟ-୧, ପର୍ଯ୍ୟାୟ-୨ ଏବଂ ପର୍ଯ୍ୟାୟ-୩, ଚନ୍ଦ୍ରଶେଖରପୁରର ପ୍ରାଚୀ ଏନକ୍ଲେଭ, ଲୁମ୍ବିନୀ ବିହାର, ପାତ୍ରପଡ଼ାର ଉଦୟଗିରି ବିହାର ଏବଂ ଭୀମପୁରର ଲିଙ୍ଗରାଜ ବିହାର ଅନ୍ତର୍ଭୁକ୍ତ । ଆବାସିକ ପ୍ଲଟ ଫ୍ରିହୋଲ୍ଡ ପରିବର୍ତ୍ତନ ଶୁଳ୍କ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୨୪ ବର୍ଷ ପାଇଁ ସ୍ଥିର କରାଯାଇଥିବା ଘରୋଇ ଜମିର ସର୍ବଶେଷ ବେଞ୍ଚ୍‌ମାର୍କ ମୂଲ୍ୟର ୩ ପ୍ରତିଶତ ଧାର୍ଯ୍ୟ କରାଯାଇଛି । ଏହାଛଡା ଯେଉଁ ଆବେଦନକାରୀଙ୍କ ପ୍ଲଟ୍‌ ବନ୍ଧକ ରଖାଯାଇଛି, ସେମାନଙ୍କୁ ସମ୍ପୃକ୍ତ ଆର୍ଥିକ ସଂସ୍ଥାରୁ ଏକ ଏନଓସି ଦାଖଲ କରିବାକୁ ହେବ । ଏହା ସହିତ, କୌଣସି ଦେୱାନୀ ବିବାଦ ନ ଥିବା ଏକ ଶପଥପତ୍ର ମଧ୍ୟ ଦାଖଲ କରିବା ଆବଶ୍ୟକ । ଯଦି କୌଣସି ମାମଲା ବିଚାରାଧୀନ ଥାଏ, ତେବେ କୋର୍ଟ ଚୂଡ଼ାନ୍ତ ରାୟ ପ୍ରଦାନ କରିବା ପରେ ହିଁ ଆବେଦନ ଉପରେ ବିଚାର କରାଯିବ ବୋଲି କୁହାଯାଇଛି ।