କଟକ,୩୦/୧୨: ଭଜନ ସମ୍ରାଟ ସ୍ୱର୍ଗତ ଭିକାରୀ ବଳଙ୍କ ପତ୍ନୀ ଉଷାରାଣୀ ବଳ (୮୬)ଙ୍କର ଏକ ଘରୋଇ ହସ୍ପିଟାଲ୍‌ରେ ସୋମବାର ସନ୍ଧ୍ୟାରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପରଲୋକ ଘଟିଛି ।

ଗତ ନଭେମ୍ବର ୨ ତାରିଖରେ ଭଜନ ସମ୍ରାଟଙ୍କ ପୁଣ୍ୟତିଥିରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । କିଛି ଦିନ ଆଇସିୟୁରେ ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ପୁଣି ସ୍ୱସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ପରିବାର ଲୋକେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କର ପରଲୋକ ଘଟିଛି । ସେ ଜଣେ ସ୍ନେହୀ ଓ ଧର୍ମପ୍ରାଣା ମହିଳା ଥିଲେ । ତାଙ୍କ ବିୟୋଗରେ ରାଜାବଗିଚା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଉଷାରାଣୀଙ୍କ ଅନ୍ତିମ ଶଯ୍ୟା ନିକଟରେ ପୁଅ ଅଶୋକ ବଳ, ଅମିୟ ବଳ, ଜ୍ୱାଇଁ ଡ. ସୁନାମଣି ରାଉତ, ନାତି ଡା. ଶୁଭମ୍ ରାଉତ, ସ୍ୱାଗତ ରାଉତ, ଅମୂଲ୍ୟ କୃଷ୍ଣ ବଳଙ୍କ ସମେତ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ । ଆସନ୍ତାକାଲି ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମାପନ ହେବ ।