ନୂଆଦିଲ୍ଲୀ – ପ୍ରୟାଗରାଜରେ ମହାକୁମ୍ଭର ପ୍ରସ୍ତୁତି ମଧ୍ୟରେ ବଡ଼ ଦୁର୍ଘଟଣା ଘଟିଛି। ସରାୟ ଇନାୟତର ଜଗବନ୍ଧନ ଗାଁରେ ହାଇ ଟେନସନ ତାର ଟାଣିବା ବେଳେ ବ୍ରିଜ୍‌ ଟାୱାର ହଠାତ୍‌ ଭାଙ୍ଗି ପଡିଛି। ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ଗୋଡ଼ କଟି ଅଲଗା ହୋଇ ଯାଇଥିବା ବେଳେ ,ଦୁଇ ଜଣ ଶ୍ରମିକ ଟାୱାର ତଳେ ଚାପି ହୋଇ ଯାଇଥିବା ସୂଚନା ଆସିଛି।

ମୋଟ ୮ ଜଣ ଶ୍ରମିକ ଦୁର୍ଘଟଣାର ଶିକାର ହୋଇଛନ୍ତି। ତୁରନ୍ତ ସମସ୍ତଙ୍କୁ ଏସଆରଏନ ନିଆଯାଇଛି। ଯେଉଁଠି ଦୁଇ ଜଣ ଶ୍ରମିକଙ୍କ ସ୍ଥିତି ଗୁରୁତର ଥିବା କୁହାଯାଉଛି। ସବୁ ଆହତ ପଶ୍ଚିମବଙ୍ଗର ମାଳଦା ଜିଲ୍ଲାରେ ରୁହନ୍ତି। ଏପଟେ , ମାମଲାର ସୂଚନା ପାଇବା କ୍ଷଣି ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛି। ଏହାସହ ପୁଲିସ ମାମଲାର ଯାଞ୍ଚ କରିବାରେ ଲାଗିପଡ଼ିଛି।

ସରାୟ ଇନାୟତ ଥାନା ଅଞ୍ଚଳର ଜଗବନ୍ଧନପୁର ଗାଁ ମଧ୍ୟ ଦେଇ ରିଙ୍ଗ ରୋଡ୍‌ ଯାଉଛି। ଯାହା ଉପରେ ୪୦୦ କେଭିର ହାଇ ପାୱାର ତାର ଯାଇଛି। ହାଇ ଭୋଲଟେଜ୍‌ ବିଜୁଳି କାରଣରୁ ରିଙ୍ଗରୋଡ୍‌ର ଯାତାୟାତ ପ୍ରଭାବିତ ନହେଉ, ଏଥିପାଇଁ ଏକ କମ୍ପାନୀ ଦ୍ୱାରା ରିଙ୍ଗରୋଡ୍‌ର ଉଭୟ ପାଖରେ ଲାଗିଥିବା ଟାୱାରକୁ ଆହୁରି ଉଚ୍ଚା କରାଯାଉଛି। ଏହି କାମରେ ପାଖାପାଖି ୩୦ରୁ ୩୫ ଜଣ ଶ୍ରମିକ ଲାଗିଥିଲେ। ଟାୱାରକୁ ଉଚ୍ଚା କରି ପ୍ରସ୍ତୁତ କରାଯାଇ ଥିଲା। ଏହାପରେ ଶ୍ରମିକଙ୍କ ଦ୍ୱାରା ଶନିବାର ଦ୍ୱିପ୍ରହର୨ଟା ସମୟରେ ମେସିନ ମାଧ୍ୟମରେ ତାରକୁ ଟଣା ଯାଉଥିଲା। ପବନ ବି ଚାଲୁଥିଲା , ଏହି ମଧ୍ୟରେ ହଠାତ୍‌ ବଡ଼ ଶବ୍ଦର ସହ ବ୍ରିଜ୍‌ ଟାୱାର ଭୁଶୁଡ଼ି ତଳେ ଖସି ପଡ଼ିଲା। ଟାୱାର ଖସି ପଡ଼ିବାରୁ ଘଟଣା ସ୍ଥଳରେ ଆତଙ୍କ ଖେଳି ଗଲା। ସେଠାରେ କାମରେ ଥିବା ଶ୍ରମିକ ମାନେ ଭୟରେ ଏପଟସେପଟେ ଦୌଡ଼ିବା ଆରମ୍ଭ କରି ଦେଲେ।

ଘଟଣା ବିଷୟରେ ଜାଣିବା ପରେ ଆଖପାଖ ଗାଁର ଲୋକେ ଘଟଣାସ୍ଥଳରେ ଆସି ଜମା ହୋଇଗଲେ। ଘଟଣାରେ ୬ଜଣ ଶ୍ରମିକ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ପ୍ରୟାସରେ ସବୁ ଆହତଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ସଲିମ ଓ ଆମିରଙ୍କର ସ୍ଥିତି ଗୁରୁତର ଦେଖି ପ୍ରୟାଗରାଜ ସ୍ଥିତ ସ୍ୱରୂପ ରାଣୀ ନେହରୁ ହସ୍ପିଟାଲ ପାଇଁ ରେଫର କରି ଦିଆ ଯାଇଛି।