ବାୟୋପିକ୍ ଲଢ଼େଇ: ‘ଠାକ୍ରେ’ ଉପରେ ଭାରି ପଡ଼ିବ କି ‘ମଣିକର୍ଣ୍ଣିକା’ ?

source:www.ibtimes.co.in
କିଏ ମାରିବ ବାଜି । କାହାର ହେବ ଜିତାପଟ । ଏନେଇ ଆଗୁଆ ଅଙ୍କକଷା ସରିଛି । ଆଜି ବଲିଉଡରେ ଦୁଇଟି ବାୟୋପିକ୍ ଚଳଚ୍ଚିତ୍ର ମୁକ୍ତିଲାଭ କରୁଛି । କଙ୍ଗନାଙ୍କ ଅଭିନୀତ ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ ଜୀବନୀ ଆଧାରିତ ‘ମଣିକର୍ଣ୍ଣିକା: ଦ କୁଇନ୍ ଅଫ୍ ଝାନ୍ସୀ’ ଏବଂ ନୱାଜୁଦ୍ଦିନ୍ ସିଦ୍ଦିକୀଙ୍କ ଅଭିନୀତ ବାଲାସାହେବ ଠାକ୍ରେଙ୍କ ଆତ୍ମଜୀବନୀ ଆଧାରିତ ଫିଲ୍ମ ‘ଠାକ୍ରେ’ । ପ୍ରଯୋଜନା ସଂସ୍ଥା ଚାହୁଁଥିଲା ‘ଠାକ୍ରେ’ ଏକାକୀ ରିଲିଜ୍ ହେଉ, କିନ୍ତୁ ପିଛା ଛାଡ଼ି ନଥିଲା ‘ମଣିକର୍ଣ୍ଣିକା’ । ଶେଷରେ ଆଗ ପଛ ନହୋଇ ଏକାବେଳେ ରିଲିଜ୍ ହେଉଛି ଦୁଇଟି ଫିଲ୍ମ । ଟ୍ରେଡ୍ ବିଶେଷଜ୍ଞ ସୁମିତ୍ କାଦେଲଙ୍କ ମତ ପ୍ରଥମ ଦୁନି ଭଲ ବେପାର ହେବ । ‘ମଣିକର୍ଣ୍ଣିକା’ ଦେଶର ୩ହଜାର ସ୍କ୍ରିନ୍ରେ ରିଲିଜ୍ ହେବ ଏବଂ ପ୍ରଥମ ଦିନ ୧୫ରୁ ୨୦କୋଟିର ବେପାର କରିବ । ସେହିପରି ‘ଠାକ୍ରେ’ ଦେଖିବାକୁ ମହାରାଷ୍ଟ୍ର ଦର୍ଶକଙ୍କ ଭିତରେ ଭାରି ଉତ୍ସାହ । ଅନୁମାନ କରାଯାଉଛି, ପୂରା ମହାରାଷ୍ଟ୍ରରେ ପୁଣି ଥରେ ପରଦାରେ ‘ଠାକରେ’ଙ୍କ ରାଜ୍ ଚାଲିବ । ଫିଲ୍ମଟି ପ୍ରଥମ ଦିନ ୯ରୁ ୧୦କୋଟି ଟଙ୍କା ରୋଜଗାର କରିବ । ବିଶେଷ କରି ୨୬ ଜାନୁଆରୀରେ ଦୁଇଟି ଯାକ ଫିଲ୍ମ ଭଲ ବେପାର କରିବ ।
ଉଭୟ ଫିଲ୍ମ ନିର୍ମାଣରୁ ପ୍ରମୋସନ୍ ପର୍ଯ୍ୟନ୍ତ ପୂରା ଚର୍ଚ୍ଚାରେ ରହି ଆସିଛି । ବେଶି ଚର୍ଚ୍ଚା ହେଉଛି ‘ମଣିକର୍ଣ୍ଣିକା’କୁ ନେଇ । ୧୨୫କୋଟି ବଜେଟ୍ର ଏହି ଫିଲ୍ମର ଅବଧି ୧୪୮ମିନିଟ୍ ରହିଛି । ହିନ୍ଦୀ, ତେଲୁଗୁ ଏବଂ ତାମିଲ ଭାଷାରେ ପ୍ରସ୍ତୁତ ‘ମଣିକର୍ଣ୍ଣିକା’ ୫୦ଟି ଦେଶରେ ରିଲିଜ୍ ହେଉଛି । ଏହାର ସଙ୍ଗୀତ ସଂଯୋଜନା କରିଛନ୍ତି ଶଙ୍କର-ଏହସାନ-ଲୟ । ମୋଟ୍ ୮ଟି ଗୀତ ରହିଛି । ଫିଲ୍ମରେ କଙ୍ଗନାଙ୍କ ବ୍ୟତୀତ୍ ଅତୁଲ କୁଲକର୍ଣ୍ଣି, ଡ୍ୟାନି, ଅଙ୍କିତା ଲୋଖାଣ୍ଡେଙ୍କ ଭଳି କଳାକାର ଅଭିନୟ କରିଛନ୍ତି । ଏହାର କାହାଣୀ ଝାନ୍ସୀ ରାଣୀଙ୍କ ବ୍ରିଟିଶ୍ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ୧୮୫୭ର ଲଢ଼େଇକୁ ଦେଖାଯାଇଛି । ଫିଲ୍ମର ନିର୍ଦ୍ଦେଶନା କ୍ରିଶ ଦେଇଥିବାବେଳେ ତାଙ୍କୁ ସହଯୋଗ କରିଛନ୍ତି କଙ୍ଗନା । ସେହିପରି ଅଭିଜିତ୍ ପନ୍ସେଙ୍କ ନିର୍ଦ୍ଦେଶିତ ବାଲାସାହେବ ଠାକ୍ରେଙ୍କ ଜୀବନୀ ଆଧାରିତ ଦ୍ୱିଭାଷୀ ଫିଲ୍ମ ‘ଠାକ୍ରେ’ । ବାଲାସାହେଙ୍କ ୯୩ତମ ଜୟନ୍ତୀ ଉପଲକ୍ଷେ ଫିଲ୍ମଟି ରିଲିଜ୍ ହେଉଛି । ବାଲାସାହେବଙ୍କ ଚରିତ୍ରରେ ନୱାଜୁଦ୍ଦିନ ସିଦ୍ଦିକୀ ଅଭିନୟ କରିଥିବାବେଳେ ଅମ୍ରିତା ରାଓ ମୀନା ତାଇ ଠାକ୍ରେ ଚରିତ୍ରରେ ଅଭିନୟ କରିଛନ୍ତି । ଏଥିରେ ୪ଟି ଗୀତ ରହିଛି । ରୋହନ-ରୋହନ ଏବଂ ସନ୍ଦୀପ ଶିରୋଦକର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ବିଶେଷ କରି ଫିଲ୍ମଟି ମରାଠୀ ଏବଂ ହିନ୍ଦୀ ଭାଷାରେ ପ୍ରସ୍ତୁତ ହୋଇଛି । ଫିଲ୍ମ ରିଲିଜ୍ ପୂର୍ବରୁ ପ୍ରଯୋଜନା ସଂସ୍ଥା ଏହାର ସିକ୍ୱେଲ ନିର୍ମାଣ କରିବାକୁ ଚିନ୍ତା କରୁଥିବାବେଳେ ତାମିଲ ଅଭିନେତା ସିଦ୍ଧାର୍ଥ ଫିଲ୍ମକୁ ନିନ୍ଦା କରିଛନ୍ତି । ଏଥିରେ ଥିବା ସଂଳାପ ‘ଉଠାଓ ଲୁଙ୍ଗି ବଜାଓ ପୁଙ୍ଗି’ କିଭଳି ଦକ୍ଷିଣଭାରତ ପ୍ରତି ନକରାତ୍ମକ ଭାବନାର ପ୍ରମାଣ ଦେଉଛି ତାହା ଦେଖାଯାଇଛି । ଏହାଦ୍ୱାରା ଜଣେ ବ୍ୟକ୍ତିକୁ ମହିମାମଣ୍ଡିତ କରିବାକୁ ଯାଇ ଗୋଟିଏ ଜାତିକୁ ଗାଳି କରି ଫିଲ୍ମ ନିର୍ମାଣ କରିବା ଏବଂ ତା’ ମାଧ୍ୟମରେ ଟଙ୍କା ରୋଜଗାର କରିବା ଠିକ୍ ନୁହେଁ । ଯାହା ବି ହେଉ, ରିଲିଜ୍ ପରେ ଜଣାପଡ଼ିବ କିଏ ହିଟ୍ ହେଉଛି ଆଉ କିଏ ଫ୍ଲପ୍ ।