ପାଟନା, ୧୫।୪: ବିହାର ରାଜନୀତିରେ ଦୀର୍ଘ ସମୟ ଧରି ଚାଲିଆସିଥିବା ସହଯୋଗୀ ଦଳ ଉପରେ ନିର୍ଭରଶୀଳତାର ଅନ୍ତ ଘଟାଇବାକୁ ଯାଉଛି ବିଜେପି । ସମ୍ରାଟ ଚୌଧୁରୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରୋଜେକ୍ଟ କରି ଦଳ ଏବେ ନିଜ ଦମରେ ଶାସନ କରିବାକୁ ପ୍ରସ୍ତୁତ ହେଉଛି । ତାଙ୍କର ଦୀର୍ଘ ରାଜନୈତିକ ଅଭିଜ୍ଞତା, ପ୍ରଶାସନିକ ଦକ୍ଷତା ଏବଂ ମଜବୁତ ସାମାଜିକ ସମୀକରଣ ତାଙ୍କୁ ଏହି ପଦ ପାଇଁ ସବୁଠାରୁ ଉପଯୁକ୍ତ ପ୍ରାର୍ଥୀ କରିଛି । ସମ୍ରାଟ ଚୌଧୁରୀ କୁଶୱା (କୋଇରି) ସମ୍ପ୍ରଦାୟରୁ ଆସୁଛନ୍ତି । ବିହାରରେ ଏହି ସମ୍ପ୍ରଦାୟର ଭୋଟ୍ ବ୍ୟାଙ୍କ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଯଦି ନୀତିଶ କୁମାରଙ୍କ କୁର୍ମୀ ଭୋଟ୍ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗକୁ ଏକାଠି କରାଯାଏ, ତେବେ ଏହା ରାଜ୍ୟର ପ୍ରାୟ ୬୦ ପ୍ରତିଶତ ଜନସଂଖ୍ୟାକୁ ପ୍ରତିନିଧିତ୍ୱ କରୁଛି । ସେଥିପାଇଁ ବିଜେପି ସମ୍ରାଟଙ୍କୁ ନିଜର ଓବିସି ଚେହେରା ଭାବେ ସମ୍ମୁଖକୁ ଆଣିଛି ।

​​​​​​​ଏହା ବି ପଢ଼ନ୍ତୁ... 

ଅଭିଜ୍ଞତା ଓ ପ୍ରଶାସନିକ ଦକ୍ଷତା:

୧୯୯୦ ଦଶକରୁ ସକ୍ରିୟ ରାଜନୀତିରେ ଥିବା ସମ୍ରାଟ ବିହାରର ମଣ୍ଡଳ ରାଜନୀତିଠାରୁ ଆରମ୍ଭ କରି ମେଣ୍ଟ ସରକାର ପର୍ଯ୍ୟନ୍ତ ସବୁକିଛି ନିକଟରୁ ଦେଖିଛନ୍ତି । ୨୦୨୪ ମସିହାରୁ ସେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଅର୍ଥ, ନଗର ଉନ୍ନୟନ ଏବଂ ପଞ୍ଚାୟତିରାଜ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳି ନିଜର ପ୍ରଶାସନିକ ଦକ୍ଷତା ପ୍ରମାଣିତ କରିଛନ୍ତି । ସେ ନିଜ କ୍ୟାରିୟର ଆରଜେଡିରୁ ଆରମ୍ଭ କରିଥିଲେ ଏବଂ ପରେ ଜେଡିୟୁ ହୋଇ ୨୦୧୮ରେ ବିଜେପିରେ ସାମିଲ ହୋଇଥିଲେ । ଗୋଟିଏ ସମୟରେ ସମ୍ରାଟ ଚୌଧୁରୀ, ନୀତିଶ କୁମାରଙ୍କର କଠୋର ସମାଲୋଚକ ଥିଲେ । ନୀତିଶଙ୍କୁ ସତ୍ତାରୁ ହଟାଇବା ପାଇଁ ସେ 'ମୁରେଠା' (ପଗଡ଼ି) ପିନ୍ଧି ସଂକଳ୍ପ ନେଇଥିଲେ । ମାତ୍ର, ୨୦୨୪ରୁ ୨୦୨୬ ମଧ୍ୟରେ ରାଜନୈତିକ ପରିସ୍ଥିତି ବଦଳିଲା ଏବଂ ସେ ନୀତିଶଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କଲେ । ଏହି ଯାତ୍ରା ବିହାରର ବଦଳୁଥିବା ରାଜନୈତିକ ସଂସ୍କୃତିର ଏକ ବଡ଼ ଉଦାହରଣ ।

୨୦୨୫ ନିର୍ବାଚନ ଓ ବିଜୟର ପ୍ରଭାବ:

୨୦୨୫ ବିଧାନସଭା ନିର୍ବାଚନରେ ସେ ତାରାପୁର ଆସନରୁ ୪୦ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇ ନିଜର ଜନାଧାର ପ୍ରମାଣ କରିଛନ୍ତି । ପ୍ରାୟ ୮ ରୁ ୧୦ ପ୍ରତିଶତ ଭୋଟରଙ୍କ ଉପରେ ତାଙ୍କର ସିଧାସଳଖ ପ୍ରଭାବ ରହିଥିବା କୁହାଯାଉଛି । ସଫଳତା ସହ ତାଙ୍କ ନାଁରେ କିଛି ବିବାଦ ମଧ୍ୟ ଯୋଡ଼ି ହୋଇଛି । ୧୯୯୫ର ଏକ ହତ୍ୟା ମାମଲା ଏବଂ ୧୯୯୯ରେ ମନ୍ତ୍ରୀ ହେବା ସମୟରେ ବୟସକୁ ନେଇ ବିବାଦ ଦେଖାଦେଇଥିଲା । ଏଥିସହ ତାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ମଧ୍ୟ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ମାତ୍ର ଏହି ସବୁ ସତ୍ତ୍ୱେ ସେ ନିଜର ନିର୍ଣ୍ଣାୟକ ନେତୃତ୍ୱ ବଳରେ ଆଗକୁ ବଢ଼ିଛନ୍ତି । ସମ୍ରାଟ ଚୌଧୁରୀଙ୍କ ଅଭ୍ୟୁଦୟ ବିହାରରେ ବିଜେପିର ଏକ ନୂତନ ଯୁଗର ଆରମ୍ଭ । ଏହା ସ୍ପଷ୍ଟ କରୁଛି ଯେ, ବିଜେପି ଏବେ 'ଜୁନିୟର ପାର୍ଟନର' ଭୂମିକାରୁ ବାହାରି ନିଜ ନେତୃତ୍ୱରେ ବିହାରକୁ ଆଗକୁ ନେବାକୁ ଚାହୁଁଛି । ସମ୍ରାଟଙ୍କ ଏହି 'ପାୱାର ଶିପ୍ଟିଂ' ବିହାରର ଭବିଷ୍ୟତ ରାଜନୀତିକୁ କେଉଁ ମୋଡ଼ ଦେଉଛି, ତାହା ଦେଖିବାକୁ ବାକି ରହିଲା ।