ରାଜ୍ୟ ବିଜେପି କାର୍ଯ୍ୟାଳୟରେ କୋର୍ କମିଟି ବୈଠକ, ୧୨୦ ପ୍ଲସ୍ ମିଶନ୍ ଫେଲର କାରଣ ଖୋଜୁଛି ଦଳ

ଭୁବନେଶ୍ୱର ୯/୬: ରାଜ୍ୟ ବିଜେପି କାର୍ଯ୍ୟାଳୟରେ କୋର୍ କମିଟି ବୈଠକ ଅନୁଷ୍ଠିତ । ବୈଠକରେ ଦଳର ପରାଜୟର କାରଣ ଖୋଜା ଚାଲିଛି । ୧୨୦ ପ୍ଲସ୍ ମିଶନ୍ ଫେଲ୍ ଉପରେ ତର୍ଜମା କରୁଛି ଦଳ । ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂ, ବିଜେପିର ରାଷ୍ଟ୍ରୀୟ ଉପାଧ୍ଯକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଜୟ ମହାପାତ୍ର ଓ କେଭି ସିଂଦେଓ ପ୍ରମୁଖ ଉପସ୍ଥିତ ଅଛନ୍ତି ।
ଓଡ଼ିଶାରେ କାହିଁକି ମିଶନ ୧୨୦ ପ୍ଲସ୍ ଫେଲ୍ ମାରିଲା ସେନେଇ ବୈଠକରେ ଚର୍ଚ୍ଚା ଚାଲିଛି । ସେପଟେ ବିଜେପୁର ଉପନିର୍ବାଚନରେ କାହାକୁ ପ୍ରାର୍ଥୀ କରାଯିବ ସେନେଇ ମଧ୍ୟ ଆଲୋଚନା ହୋଇଛି । ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।
ଅନ୍ଯପଟେ ବିଜେପିର ପରାଜୟ ସମୀକ୍ଷା ଅବସରରେ ରାଧାରାଣୀ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି । ବ୍ରଜରାଜନଗରର ପରାଜିତ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ନିଜ ପରାଜୟ ଲାଗି ୩ଟି କାରଣ ଦର୍ଶାଇଛନ୍ତି । ଦଳରେ ଅନ୍ତର୍ଘାତୀ କାର୍ଯ୍ୟ ହୋଇଥିବା ଅଭିଯୋଗ ଆଣିଲେ ରାଧାରାଣୀ । ସେ କହିଛନ୍ତି ଯେ ବିଜେଡି ଘରଘର ବୁଲି ଟଙ୍କା ବାଣ୍ଟୁଥିଲେ ବି ପୋଲିସ କିଛି ପଦକ୍ଷେପ ନେଲାନି । ଏହାସହ କଂଗ୍ରେସର ଭୋଟ୍ ବିଜେଡିକୁ ଯିବା ମଧ୍ଯ ଏକ କାରଣ ବୋଲି ଦର୍ଶାଇଛନ୍ତି ରାଧାରାଣୀ ।