ନୂଆଦିଲ୍ଲୀ: କିଛି ଦିନ ତଳେ ବିଜେପିରେ କେହି ମୁଖ୍ୟମନ୍ତ୍ରୀ ଚେହେରା ନାହିଁ କହି କଟାକ୍ଷ କରିଥିଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । କିନ୍ତୁ ଆଜି ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିର କିଏ ମୁଖ୍ୟମନ୍ତ୍ରୀ ଚେହେରା ହେବେ ସେନେଇ ପ୍ରତିକ୍ରିୟା ଦେଇ ରାଜନୈତିକ ଚର୍ଚ୍ଚା ବଢ଼ାଇ ଦେଇଛନ୍ତି ଆପ୍‌ ମୁଖ୍ୟ ।  ୨୦୨୫ରେ ହେବାକୁ ଯାଉଛି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇନଥିଲେ ବି ନିର୍ବାଚନ ପୂର୍ବରୁ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଜୋର ଧରିଛି ।  ଶାସକ ଦଳ ଆମ୍ ଆଦମୀ ପାର୍ଟି ଏବଂ ବିଜେପି ପରସ୍ପରକୁ ଟାର୍ଗେଟ କରୁଛନ୍ତି । 

ଏହାରି ମଧ୍ୟରେ ପୁଣି ବିଜେପିକୁ ଟାର୍ଗେଟ କରିଛି ଆମ୍ ଆଦମୀ ପାର୍ଟି । ବିଶେଷ କରି ଆପ୍ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ସିଧା ସିଧା ବିଜେପି ନେତା ପରବେଶ ବର୍ମାଙ୍କୁ ଟାର୍ଗେଟ କରିଛନ୍ତି। ବୁଧବାର ଅରବିନ୍ଦ କେଜ୍ରିଓ୍ବାଲ ଏକାଧିକ ଏକ୍ସ ପୋଷ୍ଟ କରି ପରବେଶଙ୍କ ଉପରେ ବର୍ଷିଛନ୍ତି । ପରବେଶ ବର୍ମା ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ବୋଲି ଦାବି କରିବା ସହ ତାଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଏକ୍ସରେ କେଜ୍ରିଓ୍ବାଲ ଲେଖିଛନ୍ତି, ‘ବିଜେପି ନେତା ପରବେଶ ବର୍ମା ଭୋଟ ପାଇଁ ନିର୍ବାଚନୀ ମଣ୍ଡଳୀରେ ଟଙ୍କା ବାଣ୍ଟୁଛନ୍ତି । ଭୋଟ ପିଛା ୧୧୦୦ ଟଙ୍କା ଦେଉଛନ୍ତି । ଏହି ନେତାମାନେ କହୁଛନ୍ତି ତାଙ୍କ ଘରୁ କେହି ମହିଳା ଖାଲି ହାତରେ ଫେରିବେ ନାହିଁ ।’ 

ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ମୁଁ ନୂଆଦିଲ୍ଲୀ ବିଧାନସଭା ମଣ୍ଡଳୀରେ ଯେଉଁ ଅଞ୍ଚଳକୁ ଯାଉଛି । ସେଠାରେ ଲୋକେ କହୁଛନ୍ତି ସେମାନେ (ବିଜେପି ନେତା) ସିଧାସଳଖ ଭୋଟ କିଣୁଛନ୍ତି । ଗୋଟିଏ ଭୋଟ ପାଇଁ ୧୧୦୦ ଟଙ୍କା ଦେଉଛନ୍ତି । ହେଲେ ଲୋକେ କହୁଛନ୍ତି ଟଙ୍କା ସିନା ନେବେ କିନ୍ତୁ ତାଙ୍କୁ ଭୋଟ ଦେବେ ନାହିଁ । ଏମାନେ ନିର୍ବାଚନ ଲଢ଼ୁନାହାଁନ୍ତି, କେବଳ ବେଇମାନୀ କରୁଛନ୍ତି । ଏଥର ଦିଲ୍ଲୀ ନିର୍ବାଚନରେ ଏମାନଙ୍କର ଏଭଳି ଗୋଟିଏ ଗୋଟିଏ କାରନାମା ସାମ୍ନାକୁ ଆସିବ। ଦେଶ ଆଗରେ ଏମାନଙ୍କ ମୁଖା ଖୋଲିବ ବୋଲି ଏକ୍ସରେ ଲେଖିଛନ୍ତି କେଜ୍ରିଓ୍ବାଲ । 




ପରବେଶ ବର୍ମା ସାହାଯ୍ୟ କରୁଛନ୍ତି ନା ଭୋଟ କିଣୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କେଜ୍ରିଓ୍ବାଲ ।  ସେ କହିଛନ୍ତି, ଏଭଳି ଜଣେ ଦେଶଦ୍ରୋହୀ ପୁଅକୁ ଜନ୍ମ ଦେଇ ଆପଣଙ୍କ ବାପାଙ୍କୁ ଲାଜ ଲାଗୁଥିବ । କେଜ୍ରିଓ୍ବାଲ ଆହୁରି ମଧ୍ୟ କହିଛନ୍ତି, ବିଜେପି ପରବେଶ ବର୍ମାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚେହେରା କରିବ।  ସୂତ୍ରରୁ ଜଣାପଡ଼ିଛି ବିଜେପି ପରବେଶ ବର୍ମାକୁ ନିଜର ସିଏମ ଚେହେରା ଘୋଷଣା କରିବାକୁ ଯାଉଛି। ହେଲେ କ’ଣ ଦିଲ୍ଲୀ ଜନତା ଏଭଳି ବ୍ୟକ୍ତିଙ୍କୁ ନିଜ ମୁଖ୍ୟମନ୍ତ୍ରୀ କରିବାକୁ ଚାହିଁବେ ବୋଲି ପଚାରିଛନ୍ତି କେଜ୍ରିଓ୍ବାଳ ।  ସେପଟେ ନିର୍ବାଚନ ଆୟୋଗ କାହିଁକି ଶୋଇଛି । ବିଜେପି ନେତା ପରବେଶ ବର୍ମାଙ୍କ ଘରେ ଖୁଲମଖୁଲା ଟଙ୍କା ବାଣ୍ଟୁଛନ୍ତି । କିନ୍ତୁ ନିର୍ବାଚନ ଆୟୋଗ କିଛି କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ଆପ୍‌ ନେତା ସିଂଜୟ ସିଂହ । ଏହା ସହ ପରବେଶଙ୍କ ଘରେ ଚଢ଼ାଉ କରି ବେଆଇନ୍‌ ଟଙ୍କା  ସିଜ୍‌ କରାଯାଉ ବୋଲି ସେ ଦାବି ମଧ୍ୟ କରିଛନ୍ତି ।