ପ୍ରମୁଖ ଖବର
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ନୀଳ ଅର୍ଥନୀତି

ଭୁବନେଶ୍ୱର ୦୫/୦୪: ସମୁଦ୍ର ସହ ଓଡ଼ିଶାର ସମ୍ପର୍କ ବହୁ ପୁରୁଣା । ପ୍ରାକ୍‌ ବୌଦ୍ଧକାଳରୁ ରହିଆସିଥିବା ଉତ୍କଳର ନୌବାଣିଜ୍ୟ ପରମ୍ପରା ବିଷୟରେ ବୌଦ୍ଧ ଜାତକ ଓ ଅନ୍ୟାନ୍ୟ ଗ୍ରନ୍ଥରୁ ଜଣାପଡ଼େ । ଓଡ଼ିଆ ସାଧବ ପୁଅର ସାମୁଦ୍ରିକ ଯାତ୍ରାକୁ ମନେପକାଇ ପ୍ରତିବର୍ଷ ମହାନଦୀ ପଠାରେ ପାଳିତ ହୁଏ ବାଲିଯାତ୍ରା। ପୁରାତନ କାଳରେ କଳିଙ୍ଗର ସମୃଦ୍ଧ ଓ ବିକଶିତ ସାମୁଦ୍ରିକ ବହିର୍ବାଣିଜ୍ୟ ସୁଦୂର ଶ୍ରୀଲଙ୍କା, ଦକ୍ଷିଣ-ପୂର୍ବ ଏସିଆ, ଆଫ୍ରିକା ଓ ଚୀନ ସହ ଥିବାର ପ୍ରମାଣ ରହିଛି । ସେତେବେଳେ ନଦୀ ଓ ସମୁଦ୍ର ମାଧ୍ୟମରେ ଅର୍ଥନୀତି ସୁଦୃଢ଼ ହେଉଥିଲା, କିନ୍ତୁ ଏବେ ନଦୀ ଓ ସମୁଦ୍ର ନିଜେ ଆର୍ଥିକ ଅଭିବୃଦ୍ଧିର ଉତ୍ସ, ଯାହାକୁ ଆମେ ନୀଳ ଅର୍ଥନୀତି ବୋଲି କହିବା । ଆଜିକାଲି ବିଶ୍ୱର ବିଭିନ୍ନ ଦେଶ ନୀଳ ଅର୍ଥ ବ୍ୟବସ୍ଥାର ବିକାଶରେ ନିବେଶ କରୁଛନ୍ତି । ନୀଳ ଅର୍ଥନୀତି ସହିତ ଜଡ଼ିତ ଜାହାଜ ନିର୍ମାଣ, ଜାହାଜ ଚଳାଚଳ, ବନ୍ଦର ପରିଚାଳନା, ଆଭ୍ୟନ୍ତରୀଣ ଜଳପଥ, ଜାହାଜ ଭଙ୍ଗା-ଗଢ଼ା, ମତ୍ସ୍ୟ ଚାଷ ସହ ଜଳୀୟ କୃଷି, ସାମୁଦ୍ରିକ ଓ କ୍ରୁଜ ପର୍ଯ୍ୟଟନ, ସମୁଦ୍ରଗାମୀ ନବୀକରଣ ଶକ୍ତି, ଖଣିଜ ପାଇଁ ସମୁଦ୍ରତଳର ଖନନ ଏବଂ ସାମୁଦ୍ରିକ ଜୈବପ୍ରଯୁକ୍ତି ।

୪୮୨ କିଲୋମିଟର ଲମ୍ବର ସୁଦୀର୍ଘ ବେଳାଭୂମି, ବଙ୍ଗାପସାଗରରେ ୨୪୦୦୦ ବର୍ଗ କିଲୋମିଟର ପରିମିତ ମହାଦେଶୀୟ ଜଳସୀମା, ପାଞ୍ଚଟି ପ୍ରମୁଖ ନଦୀ ଓ ସେଗୁଡିକର ଶାଖାନଦୀ ଏବଂ ଅସଂଖ୍ୟ ଜଳାଶୟ (ଜଳଭଣ୍ଡାର ଓ ହ୍ରଦ ଯେପରିକି ଚିଲିକା) ରୂପରେ ବିରାଜିତ ଓଡ଼ିଶାର ଏହି ଭୌଗୋଳିକ ଅବଦାନକୁ କେନ୍ଦ୍ର କରି ଉପସ୍ଥାପିତ ହୋଇଛି ୨୦୨୨ର ଓଡ଼ିଶା ବନ୍ଦର ନୀତି (ଓପିପି) । ରାଜ୍ୟରେ ପରିବେଶ ଦୃଷ୍ଟିରୁ ସମ୍ଭାଳିବାଯୋଗ୍ୟ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଯେଉଁ ସ୍ପଷ୍ଟ ମାନଚିତ୍ର ଏହା ପ୍ରସ୍ତୁତ କରିଛି, ତହିଁରେ ସ୍ଥାନିତ ଛଅଟି ଉପକୂଳବର୍ତ୍ତୀ ଜିଲ୍ଲା (ଯାହାର ତଟରେଖା ହେଲା: ବାଲେଶ୍ୱର ୮୦ କିଲୋମିଟର, ଭଦ୍ରକ ୫୦ କିଲୋମିଟର, କେନ୍ଦ୍ରାପଡ଼ା ୬୮ କିଲୋମିଟର, ଜଗତସିଂହପୁର ୬୭ କିଲୋମିଟର, ପୁରୀ ୧୫୫ କିଲୋମିଟର ଓ ଗଞ୍ଜାମ ୬୦ କିଲୋମିଟର)କୁ ଉଚ୍ଚସ୍ତରର ଉତ୍ପାଦକତାରେ ପହଞ୍ଚାଇବାର ଲକ୍ଷ୍ୟ । ଉପକୂଳର ସାମଗ୍ରିକ ବିକାଶ ପାଇଁ "ଓଡ଼ିଶା ମ୍ୟାରିଟାଇମ ବୋର୍ଡ (ଓଏମ୍‌ବି)' ପ୍ରସ୍ତୁତ "ଓଡ଼ିଶା ସାମୁଦ୍ରିକ ପରିପ୍ରେକ୍ଷଣ ଯୋଜନା' (ଓଏମପି)ରେ ରହିଛି ସାମୁଦ୍ରିକ ପାରିସ୍ଥିତିକ ତନ୍ତ୍ର (ଇକୋସିଷ୍ଟମ)ର ଅଧ୍ୟୟନ । ଏହାର ଅନ୍ତର୍ଗତ ବନ୍ଦର, ସମୁଦ୍ରର ପଶ୍ଚାତ୍‌ବର୍ତ୍ତୀ ଅଞ୍ଚଳର ଅର୍ଥନୈତିକ ସମ୍ଭାବନା, ମାଲ ସ୍ଥାନାନ୍ତରଣ, ବନ୍ଦର ସଂଯୋଗୀକରଣ, ପରିବେଶ ବିକାଶ ଓ ସମୁଦ୍ର ତଟବର୍ତ୍ତୀ ସମ୍ପ୍ରଦାୟର ବିକାଶ । ଓଡ଼ିଶାରେ ଥିବା ଗୋଟିଏ ପ୍ରମୁଖ ଓ ଚଉଦଟି ଅଣପ୍ରମୁଖ ବନ୍ଦର "ରାଜ୍ୟର ଶିଳ୍ପ ଉତ୍ପାଦନର ବୃଦ୍ଧି ଓ ସବୁଜମୟ ଆଭ୍ୟନ୍ତରୀଣ ଅଞ୍ଚଳରେ ଉପଲବ୍ଧ ଆବଶ୍ୟକ ସମ୍ବଳ ନିମନ୍ତେ ବଜାର ସୃଷ୍ଟି ପାଇଁ ଉତ୍‌ପ୍ରେରକର କାର୍ଯ୍ୟ ତୁଲାଇବା ବ୍ୟତିରେକ ତଟବର୍ତ୍ତୀ ଯାତ୍ରୀ ପରିବହନକୁ ପ୍ରୋତ୍ସାହିତ କରିବ । ବନ୍ଦର ସମ୍ପ୍ରସାରଣ, ବନ୍ଦର ଆଧୁନିକୀକରଣ, ବନ୍ଦରଭିତ୍ତିକ ସ୍ୱତନ୍ତ୍ର ପଣ୍ୟଦ୍ରବ୍ୟ ପରିଚାଳନା, ବନ୍ଦର ସଂଯୋଗୀକରଣ ପ୍ରକଳ୍ପ, ସାମଗ୍ରିକ ପରିଚାଳନା ଦକ୍ଷତାରେ ଉନ୍ନତି, ବନ୍ଦର ନଗରୀର ବିକାଶ ଏବଂ ବନ୍ଦର ଶିଳ୍ପାୟନ ପ୍ରକଳ୍ପ ନୀଳ ଅର୍ଥନୀତିକୁ ତ୍ୱରାନ୍ୱିତ କରିବ।

ମତ୍ସ୍ୟଚାଷ ଓଡ଼ିଶାର ସାମାଜିକ-ଅର୍ଥନୈତିକ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହୋଇଥିବାରୁ ମତ୍ସ୍ୟ ବନ୍ଦର, ମତ୍ସ୍ୟ ଅବତରଣ କେନ୍ଦ୍ର ଓ ଅନ୍ୟାନ୍ୟ ମତ୍ସ୍ୟ ଭିତ୍ତିଭୂମି (ଶୁଖିଲା ପ୍ଲାଟଫର୍ମ, ପ୍ରକ୍ରିୟାକରଣ ପ୍ଲାଣ୍ଟ, ବରଫ ପ୍ଲାଣ୍ଟ ଓ ଶୀତଳ ଭଣ୍ଡାର)ର ବିକାଶକୁ ଦୃଷ୍ଟିରେ ରଖି ‘ଓଡ଼ିଶା ମତ୍ସ୍ୟନୀତି ୨୦୧୫'କୁ ଓଡ଼ିଶା କୃଷିନୀତି, ସମୃଦ୍ଧି-୨୦୨୦ରେ ସଂଶୋଧନ ଓ ଅଦ୍ୟତନ କରାଯାଇଛି । ରାଜ୍ୟ ମତ୍ସ୍ୟ ବିଭାଗର ବାର୍ଷିକ ରିପୋର୍ଟ (୨୦୨୦-୨୦୨୧) ଅନୁଯାୟୀ, ମତ୍ସ୍ୟଜୀବୀଙ୍କ ସଂଖ୍ୟା ୧୫,୧୭,୫୭୪ (ଆନୁମାନିକ) ରହିଛି, ଯେଉଁଥିରେ  ୫,୯୬,୧୫୫ ଜଣ ସାମୁଦ୍ରିକ ମତ୍ସ୍ୟଜୀବୀ ଓ ୯,୨୧,୪୧୯ ଜଣ ବ୍ୟାବସାୟିକ ମତ୍ସ୍ୟଜୀବୀ । ରାଜ୍ୟର ମତ୍ସ୍ୟ ବିଭାଗରେ ଏବେସୁଦ୍ଧା ୨୦୦୦ ଟ୍ରଲର ସମେତ ପ୍ରାୟ ୨୧ହଜାର ମାଛଧରା ଜାହାଜ ପଞ୍ଜୀକୃତ ହୋଇଛି । ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଚାଷ ଆଇନ, ୧୯୮୨ର ଧାରା-୪ ଅନୁଯାୟୀ ‘ମତ୍ସ୍ୟଚାଷ ନିଷିଦ୍ଧ' ଅବଧିକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି ।

ଉପକୂଳ ପର୍ଯ୍ୟଟନର ପ୍ରୋତ୍ସାହନ ପାଇଁ ଓଡ଼ିଶା ସାମୁଦ୍ରିକ ବୋର୍ଡ ଦ୍ୱାରା ପ୍ରସ୍ତାବିତ ଉପକୂଳ ପର୍ଯ୍ୟଟନ ମାଷ୍ଟର ପ୍ଲାନ (ସିଟିଏମପି) ଗୁରୁତ୍ୱାରୋପ କରିଛି କ୍ରୁଜ ଓ ନଦୀଜଳ ପରିବହନ ଏବଂ ଜଳ ଆଧାରିତ ପର୍ଯ୍ୟଟନ ଭିତ୍ତିଭୂମି ଯେପରିକି ହାଉସ୍‌ ବୋଟ୍‌, କ୍ରୁଜ, ଭାସମାନ ହାଟେଲ ତଥା ୱାଟର ପାର୍କ ଆଦି ପାଇଁ ପିପିପି ମଡେଲ ଉପରେ । ଘରୋଇ ଓ ସରକାରୀ ସହଯୋଗରେ ଆଗାମୀ ଭବିଷ୍ୟତରେ ବିଭିନ୍ନ ପଦକ୍ଷେପକୁ କାର୍ଯ୍ୟକାରୀ କରିବାର ଆଶା ରହିଛି ।  

ଘାଟର ଶକ୍ତି ଚାହିଦାର ଶତକଡ଼ା ଶହେ ପୂରଣ କରିବା ପାଇଁ ଓଏମ୍‌ବି ସମ୍ପୂର୍ଣ୍ଣ ନବୀକରଣ ଶକ୍ତି ଯଥା- ଉପତଟୀୟ ପବନ ଫାର୍ମ ଏବଂ ସାମୁଦ୍ରିକ ତାପଜ ଶକ୍ତି ଭଳି ଆହୁରି ଅନେକ ଅଭିନବ ବିକଳ୍ପ ଶକ୍ତି ସନ୍ଧାନରେ ଲାଗିଛି । ଅନ୍ୟାନ୍ୟ ଘରୋଇ କ୍ଷେତ୍ରର ଭାଗିଦାରୀ ମାଧ୍ୟମରେ ଏହାକୁ ବିକଶିତ କରାଯିବାର ଆବଶ୍ୟକତା ରହିଛି । ସବୁଜ ଉଦଜାନ (ହାଇଡ୍ରାଜେନ) ହେଉଛି ଶକ୍ତି ଉତ୍ପାଦନର ଅନ୍ୟ ଏକ ମାଧ୍ୟମ । ବିଶ୍ୱର ଅନେକ ବନ୍ଦର ସେମାନଙ୍କ କାର୍ଯ୍ୟରେ ୪-ଆଇଆର ପ୍ରଯୁକ୍ତି (କୃତ୍ରିମ ବୁଦ୍ଧିମତ୍ତା, ମେସିନ ଲର୍ଣ୍ଣିଂ ଇତ୍ୟାଦି)କୁ ବ୍ୟବହାର କରିବା ଆରମ୍ଭ କରିଛନ୍ତି । ଏହି ବନ୍ଦରଗୁଡ଼ିକୁ ‘ସ୍ମାର୍ଟ ବନ୍ଦର' ଭାବେ ନାମିତ କରାଯାଇଛି ଏବଂ ପରିଚାଳନା ଦକ୍ଷତାରେ ଉନ୍ନତି ଆଣିବା ପାଇଁ ଡେଟା-ସଞ୍ଚାଳିତ ନିଷ୍ପତ୍ତି ନେବା ଉପକରଣ ବ୍ୟବହାର କରାଯାଉଛି । ଓପିପି ନୂତନ ପ୍ରଯୁକ୍ତି କ୍ଷମତା ଉପଯୋଗର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଉଛି ଏବଂ ବନ୍ଦର କାର୍ଯ୍ୟରେ ସ୍ୱୟଂକ୍ରିୟତାକୁ ପ୍ରୋତ୍ସାହନ ଦେଇ ବନ୍ଦର କାର୍ଯ୍ୟ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦିଗରେ ତତ୍ପର । ଓପିପି ସାମୁଦ୍ରିକ କ୍ଷେତ୍ରରେ ଅଭିନବ ସାମୁଦ୍ରିକ ପ୍ରଯୁକ୍ତି ବିକାଶ ପାଇଁ ସକ୍ରିୟ ଗବେଷଣା ଓ ବିକାଶକୁ ପ୍ରୋତ୍ସାହିତ କରୁଛି, ଯାହାର ଅନ୍ତର୍ଗତ ନୀଳ ପ୍ରୟୋଗଶାଳା, ନୀଳ ଶିକ୍ଷା ଓ ନୀଳ କୌଶଳ ଜନିତ ‘ସଫ୍‌ଟୱେର' । ନାବିକ ଶିଳ୍ପରେ ଦକ୍ଷତାର ଅଭାବକୁ ପୂରଣ କରିବା ତଥା ଶିଳ୍ପ ପାଇଁ ପେସାଦାର ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟରେ ଏକ ମେରିଟାଇମ୍‌ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଯୋଜନା ରହିଛି । କିନ୍ତୁ ଏଥିପାଇଁ ମାନବ ପୁଞ୍ଜିକୁ ତୃଣମୂଳ ସ୍ତରରୁ ଅର୍ଥାତ୍‌ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଆରମ୍ଭ କରି ପରେ ବୃତ୍ତିଗତ ପାଠ୍ୟକ୍ରମରେ ବିକଶିତ କରିବାକୁ ପଡ଼ିବ । ପୁନଶ୍ଚ, ସମୁଦ୍ରକୁ ବୁଝିବା ଓ ନୀଳ ଅର୍ଥ ବ୍ୟବସ୍ଥାକୁ ସମର୍ଥନ କରୁଥିବା ଉଦ୍ୟୋଗଗୁଡ଼ିକରେ ଦକ୍ଷ ଶ୍ରମିକ ନିୟୋଜନ ପାଇଁ ଧନ୍ଦାମୂଳକ ଶିକ୍ଷା ଅନୁଷ୍ଠାନଗୁଡ଼ିକ ପ୍ରୋତ୍ସାହନ, ପ୍ରଶିକ୍ଷଣ ଓ ଦକ୍ଷତା ପ୍ରଦାନ କରିବା ଜରୁରି ।

ଓଏମ୍‌ବିର ଗ୍ରୀନ ପୋର୍ଟ ପ୍ଲାନ (ଜିପିପି) ଜଳବାୟୁ ଓ ପରିବେଶ ଆହ୍ୱାନର ସଫଳ ମୁକାବିଲା କରିବା ସହିତ ଜାହାଜରେ ସ୍ୱଚ୍ଛ ଇନ୍ଧନର ବ୍ୟବହାରକୁ ପ୍ରୋତ୍ସାହନ ଦେବ, ସବୁଜ-ବିକଳ୍ପରେ ଚାଲୁଥିବା ମାଲ୍‌ ପରିଚାଳନା ଉପକରଣର ଉନ୍ନତିକରଣ କରିବ, ଆର୍ଥିକ ଦୃଷ୍ଟିକୋଣରୁ ଲାଭଦାୟକ ବୃହତ ଆକାରର ମାଲ୍‌କୁ କ୍ଷୁଦ୍ର ଆକାର ମାଲ୍‌ରେ ପରିବର୍ତ୍ତିତ କରିବ । ଏହି ପରିପ୍ରେକ୍ଷୀରେ ସ୍ଥାୟୀ ଶକ୍ତି ସମାଧାନ ପ୍ରଦାନ କ୍ଷେତ୍ରରେ ପାରାଦୀପ ବନ୍ଦରକୁ ସବୁଜ ହାଇଡ୍ରୋଜେନ ଇକୋସିଷ୍ଟମର କେନ୍ଦ୍ର ଭାବେ ନାମିତ କରାଯାଇଛି ।  ବନ୍ଦରରେ କଣ୍ଟେନର ପରିବହନର ପ୍ରୋତ୍ସାହନ ଯୋଗୁଁ ରପ୍ତାନି-ଆମଦାନୀ ମାଲ୍‌ ପରିବହନ ପାଇଁ ବିଶାଖାପାଟଣା ଓ କୋଲକାତା ବନ୍ଦର ଉପରେ ବିଶେଷ ମହଙ୍ଗା ନିର୍ଭରଶୀଳତା ହ୍ରାସପାଇବ । ଏହି ଅଭାବକୁ ପୂରଣ କରିବା ପାଇଁ ବିଶ୍ୱର ସର୍ବବୃହତ କଣ୍ଟେନର ଲାଇନ ଭୂମଧ୍ୟସାଗରୀୟ ଜାହାଜ ଚଳାଚଳ କମ୍ପାନୀକୁ ରାଜ୍ୟ ସରକାର ଚୟନ କରିଛନ୍ତି ।

ରାଜ୍ୟ ୧୫୫୭୦୭ ବର୍ଗ କିଲୋମିଟର ଜମିରେ ପରିବ୍ୟାପ୍ତ ଏବଂ ଏଗାରଟି ପ୍ରମୁଖ ନଦୀ ଏବଂ ଅନେକ ଉପନଦୀ ବଙ୍ଗୋପସାଗରରେ ମିଶିଛି । ସେଥିମଧ୍ୟରୁ କେତେକ ଆଭ୍ୟନ୍ତରୀଣ ଅଞ୍ଚଳକୁ ପଣ୍ୟ ପରିବହନ ପାଇଁ ଯଥେଷ୍ଟ ଗଭୀର । ଓଏମ୍‌ବି ଗ୍ରୀନଫିଲ୍ଡ ବନ୍ଦର ସହିତ ଆଭ୍ୟନ୍ତରୀଣ ଜଳପଥ ମାଧ୍ୟମରେ ଏହାକୁ ସଂଯୋଗ କରି ନୌଚାଳନାଯୋଗ୍ୟ କରିବ ଏବଂ ଏଭଳି ମାର୍ଗର ଆଖପାଖ ଅଞ୍ଚଳରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନ ମୁଣ୍ଡ ଟେକିବ ।

ଓଡ଼ିଶାର ନୀଳ ଅର୍ଥନୀତିର ବିକାଶ ଦିଗରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାର ଲକ୍ଷ୍ୟ ରଖି "ସୋଆ ସମନ୍ୱିତ ମେରିଟାଇମ ଅଧ୍ୟୟନ ଓ ଗବେଷଣା କେନ୍ଦ୍ର'ର ସ୍ଥାପନା କରିଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ଆଇକେଏସ ଡିଭିଜନ ଓ ସଂସ୍କୃତି ମନ୍ତ୍ରଣାଳୟ ସହିତ ମିଶି ତିନିଦିନ ବ୍ୟାପୀ "ଧାରା ସମୁଦ୍ର ମନ୍ଥନ' ଜାତୀୟ ସମ୍ମିଳନୀର ଆୟୋଜନ, ୨୦୨୩-୨୪ ବର୍ଷ ପାଇଁ ସମନ୍ୱିତ ମେରିଟାଇମ ଅଧ୍ୟୟନ ଓ ଗବେଷଣା ବିଷୟରେ ‘ସୋଆ ପାକ୍ଷିକ ବ୍ୟାଖ୍ୟାନ' ଶୃଙ୍ଖଳାର ଆୟୋଜନ, ସୋଆ-ଏନ୍‌ଏମଏଫ (ନେଶନାଲ ମେରିଟାଇମ ଫାଉଣ୍ଡେସନ) ମିଳିତ "ଆଇକେଏସ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର' ପ୍ରକଳ୍ପର କାର୍ଯ୍ୟାନ୍ୱୟନ, ଅଟେକ୍ସ-୨୦୨୩ ଇଣ୍ଟର୍ଣ୍ଣସିପ ପାଇଁ ସୋଆ ଛାତ୍ରଙ୍କ ମନୋନୟନ, ସମନ୍ୱିତ ମେରିଟାଇମ ଅଧ୍ୟୟନ ଓ ଗବେଷଣା ଉପରେ ଗବେଷଣା ସନ୍ଦର୍ଭର ପ୍ରକାଶନ ସେହି ଦିଗରେ ଆଉ କିଛି ପ୍ରମୁଖ ପଦକ୍ଷେପ ।

ଓଡ଼ିଶାର ଗଭୀର ସାମୁଦ୍ରିକ ପରମ୍ପରାଗତ ଜ୍ଞାନପ୍ରଣାଳୀ ଓ ଅଭ୍ୟାସର ସ୍ୱୀକାରପୂର୍ବକ ନୀଳ ଅର୍ଥନୀତି ବିକାଶରେ ଆଧୁନିକ ହାର୍ଡୱେର (ଇଟା/ସିମେଣ୍ଟ-ଦ୍ରବ୍ୟ-ସେବା) ଓ ସଫ୍‌ଟୱେର (ମାନବ ସମ୍ବଳ-ବ୍ୟବସ୍ଥା-ପ୍ରକ୍ରିୟା)ର ଗୁରୁତ୍ୱକୁ ଓପିପି ହୃଦୟଙ୍ଗମ କରିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ନୌବାଣିଜ୍ୟ ଓ ଦକ୍ଷିଣ-ପୂର୍ବ ଏସୀୟ ପ୍ରତିଷ୍ଠାନକୁ ଏକ ଉତ୍କର୍ଷ କେନ୍ଦ୍ରରୂପେ ବିକଶିତ କରିବାର ଯୋଜନା ସ୍ୱାଗତଯୋଗ୍ୟ । ତା'ସହିତ ଓଡ଼ିଆ ଜାତିର ନୌବାଣିଜ୍ୟ ଚେତନାର ଅଗ୍ରଗତିରେ କଟକସ୍ଥିତ ଓଡ଼ିଶା ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟର ପ୍ରମୁଖ ଭୂମିକା ରହିଥିବାରୁ ଏହାକୁ ଆନ୍ତର୍ଜାତିକ ମାନର କରାଗଲେ ଅତୀତରେ ପୂର୍ବ-ଭାରତର ପ୍ରବେଶ ଦ୍ୱାର ଭାବେ କାର୍ଯ୍ୟ କରିଆସୁଥିବା ଓଡ଼ିଶା ଏକବିଂଶ ଶତାବ୍ଦୀରେ ଭାରତୀୟ ନୀଳ ଅର୍ଥବ୍ୟବସ୍ଥାର ଇଞ୍ଜିନ ଭାବେ ଉଭାହେବ । ପୁନଶ୍ଚ, ଓଡ଼ିଶାର ରାଜନୈତିକ ନେତୃତ୍ୱ ଓ ନୀତି ନିର୍ଦ୍ଧାରକମାନଙ୍କ ସନ୍ଧାନରତ "ନୀଳ ବିପ୍ଳବ' ନା କେବଳ ଆତ୍ମନିର୍ଭରଶୀଳତାକୁ ବଢ଼ାଇବ, ବରଂ ଜାତୀୟ ଜିଡିପିରେ ନୀଳ ଅର୍ଥବ୍ୟବସ୍ଥାର ଯୋଗଦାନକୁ ୨୦୪୭ ସୁଦ୍ଧା ପ୍ରାୟ ଚାରି ପ୍ରତିଶତରୁ ଦୁଇ ଅଙ୍କରେ ପହଞ୍ଚାଇବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.