ମେଲବର୍ଣ୍ଣ,୨୦/୧୨: ବର୍ଡର-ଗାଭାସ୍କର  ଟ୍ରଫିର ଚତୁର୍ଥ ଟେଷ୍ଟ (ବକ୍ସିଂ ଡେ’) ଆସନ୍ତା ୨୬  ତାରିଖରୁ ଆରମ୍ଭ ହେବ । ଇତିମଧ୍ୟରେ ଭାରତୀୟ ଦଳ ମେଲବର୍ଣ୍ଣରେ ପହଞ୍ଚି ସାରିଛି ।  ଆଜିଠୁ ଦଳର ପ୍ରସ୍ତୁତି ଆରମ୍ଭ ହେବ । ତୃତୀୟ ଟେଷ୍ଟ (ବ୍ରିସବେନ୍‌)  ଡ୍ର’ ହେବା ଫଳରେ ସିରିଜ ୧-୧ରେ ବରାବର ରହିଛି ।  ମେଲବର୍ଣ୍ଣରେ ଭାରତ ବିଜୟକୁ ଫେରିବା ଏବଂ  ସିରିଜରେ ଅଗ୍ରଣୀ ହାସଲ ନେଇ ବ୍ୟାକୁଳ ରହିଛି । 

ଗତ ବୁଧବାର ତୃତୀୟ ଟେଷ୍ଟ ଶେଷ  ହୋଇଥିଲା । ଅନ୍ତିମ ଦିବସରେ ପ୍ରସିଦ୍ଧ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ହଠାତ୍‌ ଅବସର ଘୋଷଣା  କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ତାଙ୍କ  ଅବସରକୁ ନେଇ ସାଥୀ ଖେଳାଳିମାନେ ଦୁଃଖିତ ଥିବା ସେମାନଙ୍କ ମୁହଁରୁ ବାରି ହୋଇ ପଡ଼ିଥିଲା।  ମେଲବର୍ଣ୍ଣ ଟେଷ୍ଟ ପୂର୍ବରୁ ଭାରତ ବ୍ୟାଟିଂରେ  ତ୍ରୁଟି ସୁଧାରିବା ଉପରେ ଗୁରୁତ୍ୱ ଦେବା ଜରୁରୀ ।  ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି,  ରିଷଭ ପନ୍ତ, ଶୁଭମନ ଗିଲ୍‌ ପୂର୍ବ ୨ଟି ଯାକ  ମ୍ୟାଚ୍‌ରେ ବିଫଳ ହୋଇଥିଲେ । ସିରିଜରେ ଅଗ୍ରଣୀ  ହାସଲ କରିବାକୁ ହେଲେ ବ୍ୟାଟିଂ ବିଭାଗରେ ଶ୍ରେଷ୍ଠ  ପ୍ରଦର୍ଶନ ଦେବାକୁ ପଡ଼ିଛି । ଆଜି ବ୍ୟାଟିଂ କୋଚ୍‌ ଅଭିଷେକ ନାୟାରଙ୍କ ଅଧିନରେ ଦଳ  ବ୍ୟାଟିଂରେ ତ୍ରୁଟି ସୁଧାରିବାକୁ ଯୋଜନା କରୁଛି ।