ବଜ୍ରପାତରେ ଭାଇ ମୃତ, ଭଉଣୀ ଗୁରୁତର

ରାୟଗଡା, ୧୫।୬ କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ମାଙ୍କଡ଼ଝୋଲା ଗ୍ରାମରେ ବଜ୍ରପାତରେ ଭାଇର ମୃତ୍ୟୁ ଘଟିଥିବା ବେଳେ ଭଉଣୀ ଗୁରୁତର ହୋଇଛି। ମୃତକ ଜଣକ ହେଲେ ଆମରି ମାଝିଙ୍କ ପୁଅ ଆକାଶ ମାଝି(୬ବର୍ଷ) । ସେହିପରି ଭଉଣୀ ବୈଶାଳୀ ମାଝି (୧୩ବର୍ଷ)ଙ୍କୁ ଗୁରୁତର ଅବସ୍ଥାରେ ଟିକିରି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ବଙ୍କାମ ଗ୍ରାମପଞ୍ଚାୟତର ମାଙ୍କଡ଼ଝୋଲା ଗ୍ରାମରେ ଆମରି ମାଝି ସପରିବାର ସହ ରୁହନ୍ତି । ଘର ଠାରୁ ଅଳ୍ପ ଦୂରରେ ତାଙ୍କର ଚାଷ ଜମି ରହିଛି । ପ୍ରତିଦିନ ଭଳି ବୁଧବାର ମଧ୍ୟ ଆମରି ମଝି ଓ ତାଙ୍କ ସପରିବାର ଜମିକୁ ଚାଷ କରିବା ପାଇଁ ଯାଇଥିଲେ । ଦ୍ବୀପହର ସମୟରେ ଅଳ୍ପ ବର୍ଷା ସହିତ ଘଡଘଡି ଆରମ୍ଭ ହୋଇଯାଇଥିଲା ।
ବର୍ଷା ସମ୍ଭାବନା ଦେଖି ସପରିବାର ଘରକୁ ଫେରୁଥିବାବେଳେ ବାଟରେ ଥିବା ଏକ ଆମ୍ବ ଗଛ ମୂଳରେ ବର୍ଷା ଦାଉରୁ ରକ୍ଷା ପାଇବାକୁ ଆଶ୍ରୟ ନେଇଥିଲେ। ହଠାତ ଆମ୍ବ ଗଛ ଉପରେ ବିଜୁଳି ପଡିଲା । ଯାହାଫଳରେ ପରିବାର ସମସ୍ତ ୪ ଜଣ ସଦସ୍ୟ ଅଚେତ ହେଇଯାଇଥିଲେ । କିନ୍ତୁ କୌଣସି ପ୍ରକାରରେ ଆମରି ମାଝୀ ଓ ତାଙ୍କ ସ୍ତ୍ରୀଙ୍କର ଚେତା ଫେରିଥିଲା। ପୁଅ ଆକାଶ ଓ ଝିଅ ବୈଶାଳୀ ଅଚେତ ପଡିଥିବା ଦେଖିଥିଲେ । ଗାଁ ଲୋକଙ୍କୁ ଖବର ଦେବା ପରେ ଆକାଶ ଓ ବୈଶାଳୀଙ୍କୁ ଅଚେତ ଅବସ୍ଥାରେ ଗୋବର ଲେପନ କରାଯାଇଥିଲା । ଏଥିରେ ଝିଅ ବୈଶାଳୀର ଚେତା ଫେରିଥିବା ବେଳେ ଆକାଶର ମୃତ୍ୟୁ ହୋଇଥିଲା । ଏହାପରେ ତୁରନ୍ତ ବୈଶାଳୀକୁ ପ୍ରଥମେ ଟିକିରି ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇ ଚିକିତ୍ସା କରିବା ପରେ ପରବର୍ତ୍ତୀ ସମୟରେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ବୈଶାଳୀ ବିପଦ ମୁକ୍ତ ଥିବା ଜଣାପଡିଛି ।