ରାଜଗାଙ୍ଗପୁର,୧୩/୧୧: ଜିଲ୍ଲାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମ୍ଆରଏସ୍)ର ୪ର୍ଥ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଚାଲିଛି । ସୁନ୍ଦରଗଡ଼, ରାଜଗାଙ୍ଗପୁର ଓ ରାଉରକେଲାର ଇନ୍ଡୋର ଷ୍ଟାଡିୟମରେ ଏହି ଖେଳ ହୋଉଛି । ଏହି କ୍ରୀଡ଼ା ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟର ଏକଲବ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ବୁଧବାର ସନ୍ଧ୍ୟାରେ ଖେଳ ଶେଷ ହେବା ପରେ ସୁନ୍ଦରଗଡ଼ରୁ ଏକ ବସ୍ (ଓଡି୧୪ଏଜେ ୯୨୬୨) ଯୋଗେ ମହାରାଷ୍ଟ୍ର ଏକଲବ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଉରକେଲା ପଟକୁ ଯାଉଥିଲେ । ୧୦ ନମ୍ବର ରାଜ୍ୟ ରାଜପଥର ରାଜଗାଙ୍ଗପୁର ରାଣୀବନ୍ଧ ନିକଟରେ ରାତି ୭ଟା ୧୦ ମିନିଟ୍ ସମୟରେ ବସ୍ର ଚାଳକ ଗାଡ଼ି ଛିଡ଼ା କରି କାହାକୁ କିଛି ନ ଜଣାଇ କେଉଁ ଆଡ଼େ ପଳାଇ ଯାଇଥିଲେ । ଫଳରେ ବସ୍ରେ ଥିବା ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟର ଅଧିକାରୀଙ୍କ ଭିତରେ ଛନକା ପଶିଥିଲା । ଇତସ୍ତତଃ ହୋଇ ବସ୍ରେ ଥିବା ଅଧିକାରୀ ଖେଳ ଆୟୋଜନ ଦାୟିତ୍ୱରେ ଥିବା ଉପରିସ୍ଥ ଅଧିକାରୀଙ୍କୁ ମୋବାଇଲ ଫୋନ୍ରେ ଜଣାଇଥିଲେ । ପ୍ରବଳ ଥଣ୍ଡାରେ ଛାତ୍ରଛାତ୍ରୀ ଓ ଅଧିକାରୀମାନେ ପ୍ରାୟ ୧ ଘଣ୍ଟା ଧରି ରାସ୍ତାକଡ଼ରେ ଛିଡ଼ା ହୋଇ ରହିଥିଲେ ।
ଏ ସମ୍ପର୍କରେ ସୂଚନା ପାଇ ରାଜଗାଙ୍ଗପୁର ଥାନା ଅଧିକାରୀ ବିଜୟ କିଶୋର ଦାଶ, ଏସ୍ଆଇ ପ୍ରଜ୍ଞା ପ୍ରୀତମ ଜେନାଙ୍କ ସହ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରବର୍ତ୍ତୀ ସମୟରେ ରାଜଗାଙ୍ଗପୁର ଟ୍ରକ୍ ମାଲିକ ସଂଘର ସଭାପତି ରାକେଶ ନନ୍ଦା ଓ ବସ୍ ସଂଘର ମାଲିକମାନେ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଏକ ଚାଳକ ଦେବା ପରେ ବସ୍ଟି ରାଉରକେଲା ସ୍ଥିତ ଗନ୍ତ୍ୟବ ସ୍ଥଳ ଅଭିମୁଖେ ବାହାରିଥିଲା । ତେବେ କେଉଁ କାରଣରୁ ବସ୍ ଚାଳକ ବିଚ୍ ରାସ୍ତା ଉପରେ ଗାଡ଼ିକୁ ଛାଡ଼ି ଚାଲିଗଲେ ତାହା ବର୍ତ୍ତମାନ ଯାଏ ସ୍ପଷ୍ଟ ହୋଇନାହିଁ ।