କନେଷ୍ଟବଳ ଶାରିରୀକ ପରୀକ୍ଷାରେ ଦୌଡ଼ିବା ବେଳେ ପଡ଼ିଗଲେ ପରୀକ୍ଷାର୍ଥୀ, ଡାକ୍ତରଖାନାରେ ମୃତ୍ୟୁ

ଛତ୍ରପୁର, ୨୫/୦୩ : ଗଞ୍ଜାମ ପୁଲିସ ଜିଲ୍ଲା ପକ୍ଷରୁ ସ୍ଥାନୀୟ ପୁଲିସ ଗ୍ରାଉଣ୍ଡ ଠାରେ ଆଜି କନେଷ୍ଟବଳ ଶାରୀରିକ ପରୀକ୍ଷା ଚାଲିଥିଲା । ଏଥିରେ ଅଂଶଗ୍ରହଣ କରିଥିବା ଜଣେ ଯୁବକଙ୍କ ହଠାତ୍ ମୃତ୍ୟୁ ହୋଇଛି । ମୃତକ ଖଲ୍ଲିକୋଟ ଥାନା ଶ୍ୟାମସୁନ୍ଦରପୁର ଗ୍ରାମର ଦୀପ୍ତି ରଞ୍ଜନ ଦାସ ବୋଲି ଛତ୍ରପୁର ଆଇଆଇସି ସତ୍ୟ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।
ଶୁକ୍ରବାର ସକାଳ ୯ଟାରେ କନେଷ୍ଟବଳ ଶାରୀରିକ ପରୀକ୍ଷା ଚାଲିଥିଲା । ଏହି ସମୟରେ ଦୌଡ଼ିବା ବେଳେ ହଠାତ୍ ଦୀପ୍ତି ରଞ୍ଜନ ପଡ଼ି ଯାଇଥିଲେ । ତୁରନ୍ତ ତାଙ୍କୁ ଛତ୍ରପୁର ଡାକ୍ତରଖାନା ନିଆଯାଇଥିଲା । ସେଠାରେ ସୁସ୍ଥ ହୋଇ କଥାବାର୍ତ୍ତା କରିଥିଲେ । ତାଙ୍କୁ ଡିହାଇଡ୍ରେସନ୍ ହୋଇଥିବା ଡାକ୍ତର କହିଥିଲେ । ଆବଶ୍ୟକ ଔଷଧ ଦିଆଯିବା ପରେ ତାଙ୍କର ଛାତି ସମସ୍ୟା ଥିବାରୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଛତ୍ରପୁର ଆଇଆଇସି କହିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ମୃତକଙ୍କ ଶବ ବ୍ୟବଚ୍ଛେଦ ସ୍ୱତନ୍ତ୍ର ଭାବେ ରାତିରେ କରାଯାଇଛି ।