ପ୍ରମୂଖ ଖବର

ଅଜଣା ଗାଡ଼ି ଧକ୍କାରେ କାର ଚାଳକର ମୃତ୍ୟୁ

ମାଲକାନଗିରି,୧୭/୫ : ମାଲକାନଗିରି ଜୟପୁର ୩୨୬ନମ୍ବର ଜାତୀୟ ରାଜପଥ ପାଣ୍ଡ୍ରିପାଣିଠାରେ ଅଜଣା ଗାଡ଼ି ଧକ୍କାରେ ଜନୈକ କାର ଚାଳକର ମୃତ୍ୟୁ ଘଟିଛି । ମୃତକ ହାଇଦ୍ରାବାଦ ନେଲୁର ଗ୍ରାମର ବୋଲି ଜଣାପଡ଼ିଛି । ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରିଗନ କିଣ୍ଡୋଙ୍କ ସୂଚନା ଦେଇଛନ୍ତି । 

ଘଟଣାରୁ ପ୍ରକାଶ ଯେ, ଗୁରୁବାର ରାତି ପ୍ରାୟ ୧୧ଟା ପରେ ଥାନାକୁ ଏକ ଫୋନ ଆସିଥିଲା । ମାଲକାନଗିରି ଜୟପୁର ୩୨୬ଜାତୀୟ ରାଜପଥ ପାଣ୍ଡ୍ରିପାଣି ନିକଟ ମୁଖ୍ୟ ରାସ୍ତାରେ କେହି ଜଣେ ବ୍ୟକ୍ତିଙ୍କ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଛି । ତାଙ୍କ ମୃତଦେହ ରାସ୍ତାରେ ପଡିଛି । ଖବରପାଇ ସଙ୍ଗେ ସଙ୍ଗେ ମାଲକାନଗିରି ଥାନା ପୁଲିସ ଟିମ ଘଟଣାସ୍ଥଳରେ ପହଁଚିଥିଲା । ରାସ୍ତାରେ ପଡିଥିବା ବ୍ୟକ୍ତିଙ୍କର ମୃତଦେହ ଜବତ କରି ଯାଞ୍ଚ କରିଥିଲେ । 

ମୃତ ବ୍ୟକ୍ତିଙ୍କ ନିକଟରେ ଏକ ଏପି ୨୮ଡି ଭି ୬୭୨୫ ନମ୍ବର ନାଲି ରଙ୍ଗର କାର ଥିବା ଦେଖିଥିଲେ। କାରଟିକୁ ଯାଞ୍ଚ କରିବାରୁ ମୃତ ବ୍ୟକ୍ତିଙ୍କ ନିଜ ଘର ହାଇଦ୍ରାବାଦ ନେଲୁର ଗ୍ରାମରେ ବୋଲି ଜଣାପଡ଼ିଛି । ସେ ଜୟପୁରଠାରୁ ମାଲକାନଗିରି ରାସ୍ତା ଦେଇ ହାଇଦ୍ରାବାଦ ଅଭିମୁଖେ ଯାଉଥିବାର ଜଣା ପଡିଛି । ଗତକାଲି ରାତିରେ କିଛି ପ୍ରତ୍ୟକ୍ଷ ଦର୍ଶୀ ପୁଲିସଙ୍କୁ କହିଛନ୍ତି କାରଟି ଜୟପୁର ଆଡୁ ଆସୁଥିବାବେଳେ ହଠାତ ପାଣ୍ଡ୍ରିପାଣି ନିକଟରେ ଅଟକି ଯାଇଥିଲା । କାରର ଯାନ୍ତ୍ରିକ ତ୍ରୁଟି ହୋଇଥିବାରୁ କାର ଚାଳକ ଓହ୍ଲାଇ ରାସ୍ତାରେ ଶୋଇପଡ଼ିଥିଲେ । ତାଙ୍କୁ  କିଛି ବାଟୋଇ ଜାତୀୟ ରାଜପଥ ରାସ୍ତାରେ ନ ଶୋଇବାକୁ ବାରଣ କରି ପଳାଇଥିଲେ। 

ପ୍ରାୟ ରାତି ୧୧ଟା ପରେ ସେହି ରାସ୍ତାରେ ଯାଉଥିବା କିଛି ବାଟୋଇ ଦେଖିଥିଲେ ଜଣେ ବ୍ୟକ୍ତି ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ମରିପଡିଛି । କେଉଁ ଅଜଣା ଗାଡି ଧକ୍କାରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଇପାରେ ଭାବି ମାଲକାନଗିରି ଥାନାକୁ ଫୋନ କରିଥିଲେ । ଘଟଣାସ୍ଥଳରେ ପିସିଆର ଭ୍ୟାନ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଆଜି ସକାଳେ ମାଲକାନଗିରି ଥାନା ଅଧିକାରୀ ରିଗନ କିଣ୍ଡୋଙ୍କ ନେତୃତ୍ୱରେ ପୁଲିସ ଟିମ ପହଁଚି ମୃତଦେହ ଜବତ କରିଛି । ମୃତ ଦେହ ନିକଟରେ ଥିବା ଖରାପ ହୋଇଯାଇଥିବା କାରଟିକୁ ବହୁ କଷ୍ଟରେ ମରାମତି କରି ପୁଲିସ ଥାନାକୁ ନେଇଯାଇଛି । ନିକଟରେ କେହି ପରିବାର ଲୋକ ନଥିବାରୁ ଆଜି ଶବ ବ୍ୟବଚ୍ଛେଦ ହୋଇ ନ ପାରି  ମାଲକାନଗିରି ଜିଲ୍ଲା ହସ୍ପିଟାଲ ଶବସଂରକ୍ଷଣ ଗୃହରେ ଶବକୁ ସୁରକ୍ଷିତ ଭାବେ ରଖାଯାଇଛି। ମୃତ ବ୍ୟକ୍ତିଙ୍କର  ପରିବାରକୁ ପୁଲିସ ଫୋନ କରିଛି । ସେମାନେ ହାଇଦ୍ରାବଦରେ ରହୁଥିବାରୁ ଆସନ୍ତାକାଲି ମାଲକାନଗିରିରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ସେମାନଙ୍କୁ ହସ୍ତାନ୍ତର କରାଯିବ । ଥାନାରେ ଦୁର୍ଘଟଣା ଜନିତ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.