ନୂଆଦିଲ୍ଲୀ: ନିଟ-ୟୁଜି ୨୦୨୪ ପ୍ରଶ୍ନପତ୍ର ଲିକ୍ ମାମଲାରେ ଦ୍ବିତୀୟ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ପାଟନାର ଏକ ସ୍ବତନ୍ତ୍ର କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟ୍ରେ ଆଉ ୬ ଅଭିଯୁକ୍ତଙ୍କ ନାଁ ସାମିଲ କରାଯାଇଛି। ବିଭିନ୍ନ ଆଇପିସି ଧାରା ସହ ଏହି ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ଧାରା ୧୨୦ (ବି), ୧୦୯, ୪୦୯, ୪୨୦ (ଠକେଇ), ୩୮୦ (ଚୋରି), ୨୦୧ (ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା), ଧାରା ୪୧୧ରେ ସିବିଆଇ ମାମଲା କରିଥିବା ଜଣାପଡ଼ିଛି ।
ହଜାରିବାଗରେ ଥିବା ଓଏସିସ୍ ସ୍କୁଲର ପ୍ରିନ୍ସିପାଲ ଏବଂ ଭାଇସ୍ ପ୍ରିନ୍ସିପାଲଙ୍କ ନାଁ ମଧ୍ୟ ଉଲ୍ଲେଖ କରିଛି ସିବିଆଇ । ଦ୍ବିତୀୟ ଚାର୍ଜସିଟ୍ରେ ୬ ଅଭିଯୁକ୍ତ ବଲଦେବ କୁମାର ଓରଫ ଚିଣ୍ଟୁ, ସନି କୁମାର, ଆଶାନୁଲ ହକ (ପ୍ରିନ୍ସିପାଲ, ଓଏସିସ୍ ସ୍କୁଲ), ଇମତିଆଜ ଆଲମ (ଭାଇସ୍-ପ୍ରିନ୍ସିପାଲ, ଓଏସିସ୍ ସ୍କୁଲ), ଜମ୍ମାଲୁଦିନ ଓରଫ ଜାମଲ (ଏକ ନ୍ୟୁଜପେପର ରିପୋର୍ଟର) ଏବଂ ଅମନ କୁମାର ସିଂହ ସାମିଲ ଅଛନ୍ତି । ଏହା ପୂର୍ବରୁ ଅଗଷ୍ଟ ୧ରେ ୧୩ ଅଭିଯୁକ୍ତଙ୍କ ବିରୋଧରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିଥିଲା ସିବିଆଇ ।
ସିବିଆଇ ତଦନ୍ତରୁ ଜଣାପଡ଼ିଛି ଯେ, ଓଏସିସ୍ ସ୍କୁଲର ପ୍ରିନ୍ସିପାଲ ଏବଂ ନିଟ-ୟୁଜି ୨୦୨୪ ପରୀକ୍ଷାର ସିଟି କୋଅର୍ଡିନେଟର ଆଶାନୁଲ ହକ ଏବଂ ସେହି ସ୍କୁଲର ଭାଇସ୍-ପ୍ରିନ୍ସିପାଲ ଏବଂ ସେଣ୍ଟର ସପରିଟେଣ୍ଡେଣ୍ଟ ଇମତିଆଜ ଆଲମ ଅନ୍ୟ ଅଭିଯୁକ୍ତଙ୍କ ସହ ମିଶି ଚକ୍ରାନ୍ତ କରି ପ୍ରଶ୍ନପତ୍ର ଚୋରି କରିଥିଲେ । ଏବେ ସୁଦ୍ଧା ନିଟ୍ ପେପର ଲିକ୍ ମାମଲାରେ ୪୮ ଜଣଙ୍କୁ ସିବିଆଇ ଗିରଫ କରିଛି । ସେପଟେ ପେପର ଲିକ୍ ଦ୍ବାରା ଲାଭ ପାଇଥିବା ପରୀକ୍ଷାର୍ଥୀଙ୍କ ତାଲିକା ପ୍ରସ୍ତୁତ କରି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିକୁ ପଠାଇ ଦେଇଛି ସିବିଆଇ ।