ନୂଆଦିଲ୍ଲୀ,୦୯/୧୨: ଦେଶର ଫାର୍ମା ଶିଳ୍ପକୁ ଉତ୍ସାହିତ କରିବା ଲାଗି ସରକାର ଏକ୍ଷେତ୍ରରେ ଉତ୍ପାଦନ  ସଂଯୁକ୍ତ ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ ଲାଗୁ କରିଛନ୍ତି । ଏ କ୍ଷେତ୍ରରେ ବଲ୍କ ଡ୍ରଗ୍‌ ପାଇଁ ୪୮ ପ୍ରକଳ୍ପ ସ୍ଥାପନ ପାଇଁ  କେନ୍ଦ୍ର ସରକାର ଚୟନ କରିଛନ୍ତି । ଏଥି ମଧ୍ୟରୁ ୩୪ କମ୍ପାନି ଏବେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଅନ୍ୟ ପ୍ରକଳ୍ପ ଗୁଡିକ ତ୍ୱରିତ ଭିତ୍ତିରେ କାର୍ଯ୍ୟାନ୍ୱୟନ ହେବ ବୋଲି ଆଶା ରହିଛି । 

କେନ୍ଦ୍ର ସରକାର ଘରୋଇ ବଜାରରେ ଫାର୍ମା ଶିଳ୍ପକୁ  ଉତ୍ସାହିତ କରିବା ଲାଗି ପିଏଲ୍‌ଆଇ ସ୍କିମରେ ୧୫ ହଜାର  କୋଟି ଟଙ୍କାର ପ୍ରୋତ୍ସାହନ ପ୍ରଦାନ କରିବାକୁ ଘୋଷଣା  କରିଛନ୍ତି । ଆର୍ଥିକ ବର୍ଷ ୨୦୨୨-୨୩ରୁ ୨୦୨୭-୨୮ ଅବଧି  ଯାଏ ଏ କ୍ଷେତ୍ରରେ ନିବେଶକୁ ସରକାର ଉତ୍ସାହିତ କରିବେ । ଏଥିରେ ବଲ୍କ ଡ୍ରଗ ଠାରୁ ଆରମ୍ଭ କରି ମେଡିକାଲ ଡିଭାଇସ ଦେଶ ମଧ୍ୟରେ ପ୍ରସ୍ତୁତ କରିବାକୁ ଉତ୍ସାହିତ କରାଯାଉଛି । ଏ କ୍ଷେତ୍ରରେ ଆମଦାନି ନିର୍ଭରତା କମାଇବା ଏବଂ ନିବେଶ  ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ଫାର୍ମା କ୍ଷେତ୍ରରେ ପ୍ରମୁଖ ଷ୍ଟାର୍ଟିଂ ମାଟେରିଆଲ, ଡ୍ରଗ  ଇଣ୍ଟର ମିଡିଆରି, ଆକ୍ଟିଭ ଫାର୍ମା ଇନଗ୍ରେଡିଏଣ୍ଟ ପ୍ରସ୍ତୁତକାରୀଙ୍କୁ  ସରକାର ଉତ୍ସାହିତ କରିବେ । ଏହି ବିଶେଷ କ୍ଷେତ୍ର ଗୁଡିକ ୬୯୪୦ କୋଟିର ସହାୟତା ସରକାର ଯୋଗାଇ ଦେବେ । ମେଡିକାଲ ଡିଭାଇସ ପ୍ରସ୍ତୁତକାରୀଙ୍କୁ ସରକାର ୩୪୨୦ କୋଟିର ସହାୟତା ଦେବା ଲକ୍ଷ୍ୟ ରଖିଛନ୍ତି । 

ମେଡିକାଲ ଡିଭାଇସ କ୍ଷେତ୍ରରେ ୩୨ ଆବେଦନକାରୀଙ୍କୁ ସରକାର ଚୟନ କରିଛନ୍ତି । ଏଥିରେ ୧୯ ନୂଆ କମ୍ପାନି ସାମିଲ ରହିଛି । ଏହି  କମ୍ପାନି ଗୁଡିକ ୪୪ଟି ବର୍ଗରେ ଉତ୍ପାଦନ ଆରମ୍ଭ କରିବେ । ଏହା ମଧ୍ୟରେ ଲିନିୟର ଆକ୍‌ସଲରେଟର, ଏମ୍‌ଆର୍‌ଆଇ  ମେସିନ, ସିଟି ସ୍କାନ, ମାମୋ ଗ୍ରାମ୍ସ, ଅଲଟ୍ରା ସାଉଣ୍ଡ ଭଳି  ମେସିନ ନିର୍ମାତା ରହିଛନ୍ତି । ଏ କ୍ଷେତ୍ରରେ କମ୍ପାନି ଗୁଡିକ  ୮୦୩୯ କୋଟିର ବିକ୍ରି ସଫଳତା ହାସଲ କରିଛନ୍ତି ।  ଏଥିରେ ୩୮୪୪ କୋଟିର ରପ୍ତାନି ମଧ୍ୟ ସାମିଲ ରହିଛି ।