ନୂଆଦିଲ୍ଲୀ,୧୩/୦୮: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଅଧିନରେ ଆଦର୍ଶ ସୌର ଗ୍ରାମ ମୁକ୍ତ ବିଜୁଳି ଯୋଜନା କାର୍ଯ୍ୟକାରୀ ହେବ । ଏ ନେଇ କେନ୍ଦ୍ର ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି । ଏଥିରେ ପ୍ରତି ଜିଲାର ବିଜେତା ଗ୍ରାମକୁ ୧ କୋଟିର କେନ୍ଦ୍ରୀୟ ଅନୁଦାନ ମିଳିବ । ଏଥିରେ ପ୍ରତି ଜିଲାରେ ଗୋଟିଏ ଆଦର୍ଶ ସୌର ଗ୍ରାମ ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି । ସୌର ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଶକ୍ତି ଆତ୍ମ ନିର୍ଭରଶୀଳତା ଦିଗରେ ଗ୍ରାମବାସୀଙ୍କୁ ସଶକ୍ତ କରାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏଥିରେ ମୋଟ ୮୦୦ କୋଟିର ବ୍ୟୟବରାଦ କରାଯାଇଛି, ଯାହା ଦ୍ୱାରା ମନୋନୀତ ସୌରଗ୍ରାମଗୁଡିକ ୧ କୋଟି ଟଙ୍କା ଲେଖାଏଁ ସହାୟତା ପାଇବେ ।
ପ୍ରତିଯୋଗିତା ପଦ୍ଧତିରେ ଏହି ଗ୍ରାମ ଚୟନ କରାଯିବ । ରାଜସ୍ୱ ଗ୍ରାମର ଜନସଂଖ୍ୟା ୫ ହଜାର ହୋଇଥିବା ଆବଶ୍ୟକ । ସ୍ୱତନ୍ତ୍ର ରାଜ୍ୟ କ୍ଷେତ୍ରରେ ଏହା ୨ ହଜାର । ପ୍ରତିଯୋଗିତା ପଦ୍ଧତିରେ ଜିଲାସ୍ତରୀୟ କମିଟି ଏହି ଗ୍ରାମର ଚୟନ କରିବ । ସ୍ଥାପିତ ସାମଗ୍ରିକ ବିତରଣ ଅକ୍ଷୟ ଶକ୍ତି ହିସାବରେ ଏହି ଗ୍ରାମଗୁଡିକୁ ଚୟନ କରାଯିବ । ଚଳିତ ବର୍ଷ ଫେବ୍ରୁଆରୀ ୨୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦି ଏହି ଯୋଜନାକୁ କାର୍ଯ୍ୟକାରୀ କରାଇଥିଲେ। ୨୦୨୬-୨୭ ଯାଏ ଏଥିରେ ୭୫ ହଜାର କୋଟି ଟଙ୍କା ବିନିଯାଗ କରିବା ଲକ୍ଷ୍ୟ ରଖିଛନ୍ତି ସରକାର ।