ଭୁବନେଶ୍ୱର,୧୩/୦୮: ଜେରା ପାଇଁ ଡାକିଥିଲା ପୁଲିସ । କିନ୍ତୁ ପୁଲିସକୁ ଦେଖି ସ୍ୱାତୀଙ୍କ ରଙ୍ଗ ବଦଳିଗଲା । ଖୋଦ୍ ଅଭିଯୋଗକାରୀ ସାଜିଲେ । ଲକ୍ଷାଧିକ ଟଙ୍କା ଠକେଇର ଅଭିଯୋଗ ବାଢ଼ିଲେ । ରସିକିଆ ସତ୍ୟଜିତ୍ ସାମଲର ମିଥ୍ୟା ପ୍ରେମ କାହାଣୀରେ ସୋମବାର ଏମିତି ମୋଡ଼ ଦେଖାଦେଇଛି । ସତ୍ୟଙ୍କ ଠକେଇ ସାମ୍ରାଜ୍ୟର ଘନିଷ୍ଠ ସହଯୋଗୀ ପାଲିଟିଥିବା ପଟିଆ ଅଞ୍ଚଳର ସ୍ୱାତୀ କ୍ୟାପିଟାଲ ଥାନାରେ ସତ୍ୟଜିତ୍ଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।
ସ୍ୱାତୀଙ୍କ ବିଷୟରେ ପୁଲିସ ଢେର୍ ତଥ୍ୟ ଗୋଟାଇଥିଲା । ସତ୍ୟ ଓ ସ୍ୱାତୀଙ୍କ ସମ୍ପର୍କ ୪ ବର୍ଷ ପୁରୁଣା । ବିଚ୍ଛେଦ ପରେ ବି ଉଭୟେ ସମ୍ପର୍କ ଛିନ୍ନ କରିନଥିଲେ । ବରଂ ସତ୍ୟର ସମସ୍ତ ପ୍ରେମିକା ଓ ସ୍ତ୍ରୀମାନଙ୍କ ବିଷୟରେ ସ୍ୱାତୀ ସବୁ କିଛି ଜାଣିଥିଲେ । ଏମିତିକି ବିଧବା ନାରୀ ଓ ନୂଆ ନୂଆ ଯୁବତୀଙ୍କୁ ଫସାଇବାରେ ସ୍ୱାତୀଙ୍କ ବେଶ୍ ସହଯୋଗ ଥିଲା । ଏ ବାବଦରେ ଜେରା ପାଇଁ ପୁଲିସ ତାଙ୍କୁ ନୋଟିସ୍ କରିଥିଲା ।
ସ୍ୱାତୀ ସୋମବାର ପୂର୍ବାହ୍ନରେ କ୍ୟାପିଟାଲ ଥାନାରେ ପହଞ୍ଚିଥିଲେ । ସେଠାରେ ପୁଲିସ ଯାଞ୍ଚର ସାମ୍ନା କରିଥିଲେ । ପୁଲିସ ପକ୍ଷରୁ ଠକେଇ ସମ୍ପର୍କିତ ନାନା ପ୍ରଶ୍ନ ପଚରାଯାଇଥିଲା । କିନ୍ତୁ ସ୍ୱାତୀ କିଛି ଉତ୍ତର ନ ଦେଇ ଚୁପ୍ ବସିଥିଲେ । ଓଲଟି ସତ୍ୟ ନାଁରେ ଆଉ ଏକ ଅଭିଯୋଗ କରିବାକୁ ପୁଲିସକୁ ନିବେଦନ କରିଥିଲେ ।
ତାଙ୍କ ଅଭିଯୋଗ ମୁତାବକ, ୨ ବର୍ଷ ତଳେ ସତ୍ୟ ତାଙ୍କୁ ନାନା ପ୍ରଲୋଭନ ଦେଖାଇ ଦେଢ଼ ଲକ୍ଷ ଟଙ୍କା ନେଇ ଯାଇଥିଲା । ପରେ ବାରମ୍ବାର ମାଗିବା ସତ୍ତେ୍ୱ ସେ ଧରାଛୁଆଁ ଦେଉ ନଥିଲା । ଏମିତିକି ନାନା ଧମକଚମକ ଦେଉଥିବା ମଧ୍ୟ ସ୍ୱାତୀ ଅଭିଯୋଗ କରିଛନ୍ତି । ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ୫୦ ହଜାର ଟଙ୍କା ବାବଦରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନାହାନ୍ତି ।
ପୁଲିସ ଯୋଜନା ରଖିଛି, ଏ ବାବଦରେ ସ୍ୱାତୀଙ୍କୁ ଆଉ ଥରେ ଥାନାକୁ ଡକାଯିବ । ସେଥର ଉଭୟ ସତ୍ୟଜିତ୍ ଓ ସ୍ୱାତୀଙ୍କୁ ମୁହାଁମୁହିଁ ଜେରା କରାଯିବ । ଆଜି ଅପରାହ୍ଣରେ ପୁଲିସ ତାଙ୍କୁ ଛାଡି଼ ଦେଇଛି । ତା’ଛଡ଼ା ଗତ ୩ ବର୍ଷ ଭିତରେ ସତ୍ୟଜିତ୍ କେତେଥର ବିଦେଶ ଯାଇଛି ସେ ସବୁ ଯାଞ୍ଚ କରିବ ପୁଲିସ୍ ।
ସତ୍ୟଜିତ୍ ନାଁରେ ପୁରୀରେ ଠାବ ହୋଇଥିବା ଜମି ସମ୍ପର୍କରେ ମଧ୍ୟ ଯାଞ୍ଚ କରାଯିବ । ପୁରୀ ଓ ଯାଜପୁରରେ ଥିବା ଜମି ସମ୍ପର୍କରେ ତହସିଲଦାରଙ୍କଠାରୁ କାଗଜପତ୍ର ମଗାଯାଇଛି । ଏବେ ସୁଦ୍ଧା ସତ୍ୟ ପାଖରୁ ୩ଟି ଦାମୀ କାର ଓ ଗୋଟିଏ ବୁଲେଟ ଜବତ କରାଯାଇଛି । ମୋବାଇଲ୍ ଫୋନ୍ ଓ ଲାପ୍ଟପରୁ ବହୁ ଆପତ୍ତିଜନକ ଭିଡିଓ ମିଳିଥିବା ପୁଲିସ କହିଛି ।