ଭୁବନେଶ୍ୱର,୨୮/୧୦: ସ୍ଥଳଭାଗ ମୁହାଁ ଭୀଷଣ ବାତ୍ୟା ‘ମୋନ୍‌ଥା’ । ବାତ୍ୟା ମୁକାବିଲା ପାଇଁ ସରକାରୀ ସ୍ତରରେସମସ୍ତ ପ୍ରସ୍ତୁତି ସରିଛି। ତେବେ ମଙ୍ଗଳବାର ସାଢେ  ୧୦ଟାରେ ବାତ୍ୟା ମୋନ୍‌ଥା' ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ । ବାତ୍ୟା ମୁକାବିଲା ନେଇ ବରିଷ୍ଠ  ଅଧିକାରୀ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା  କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଓଡ଼ିଶାରେ ମଙ୍ଗଳବାର ଓ ବୁଧବାର ବାତ୍ୟା ପ୍ରଭାବ ପଡ଼ିବ । ୬୦-୭୦ କିମି ପବନ ହେବ ଦକ୍ଷିଣ ଓଡ଼ିଶାରେ । ପବନର ଧକ୍କା ଅତି ବେଶିରେ ୮୦ କିମି ପର୍ଯ୍ୟନ୍ତ ଯାଇପାରେ । ଦୁଇଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇବ ମୋନ୍‌ଥା । ପବନ ଅପେକ୍ଷା ଲଗାଣ ବର୍ଷା ଓ ସମ୍ଭାବ୍ୟ ଭୂସ୍ଖଳନ ସ୍ଥିତି ମୁକାବିଲା ନେଇ ବ୍ୟାପକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଶୂନ୍ୟ ଜୀବନ ହାନି ଲକ୍ଷ୍ୟ ରଖି ସବୁ ବିଭାଗ ଲାଗି ପଡ଼ିଛନ୍ତି । ରାଜସ୍ୱ ମନ୍ତ୍ରୀ ଘନଘନ ବୈଠକ ସହ ସ୍ଥିତି ଉପରେ ନଜର ରଖିଛନ୍ତି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି ।

ବାତ୍ୟା ପାଇଁ ୮ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡି ଅଧିକ ପ୍ରଭାବିତ ହେବା ଆଶଙ୍କା ଅଛି । ଏହି ୮ ଜିଲ୍ଲାରେ ୨୮ରୁ ୩୦ ପର୍ଯ୍ୟନ୍ତ ୩ ଦିନ ସ୍କୁଲ ଛୁଟି ଘୋଷଣା କରିଛି ଗଣଶିକ୍ଷା ବିଭାଗ । ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ୨୮ ଓ ୨୯ ତାରିଖ (୨ଦିନ) ସ୍କୁଲ ଛୁଟି ଘୋଷଣା କରାଯାଇଛି । ଗୋପାଳପୁର ବେଳାଭୂମିରେ ୨୦ଟି ଟ୍ରଲର ଫସି ରହିଛି । ଗୋପାଳପୁର ବେଳାଭୂମିର ସମସ୍ତ ହୋଟେଲକୁ ସଟଡାଉନ ଘୋଷଣା କରାଯାଇଛି । କୃଷି ବିଭାଗ ଅଧିକାରୀଙ୍କ ଛୁଟିକୁ ୩୧ ଯାଏଁ ବାତିଲ କରାଯାଇଛି ।