ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଲୋକଙ୍କୁ ପଚାର, ସେବାରେ ସନ୍ତୁଷ୍ଟ ତ?

source:www.indiatoday.in
ଭୁବନେଶ୍ୱର,୨୨ା୬(ବ୍ୟୁରୋ): ସରକାରୀ ଡାକ୍ତରଖାନାର ଚିକିତ୍ସା ଓ ସେବାରେ ରୋଗୀ ଖୁସି ତ? ଯେଉଁ ଯୁବ ବନ୍ଧୁମାନେ ପରିବହନ ବିଭାଗରୁ ଡ୍ରାଇଭିଂ ଲାଇସେନ୍ସ ନେଉଛନ୍ତି, ସେମାନଙ୍କ ମତାମତ କେବେ ପଚାରିଛ?
ତହସିଲ ଓ ସବ୍ରେଜିଷ୍ଟ୍ରାର ଅଫିସକୁ ହଜାର ହଜାର ନାଗରିକ ଆସୁଛନ୍ତି, ସେମାନଙ୍କ ଅନୁଭୂତି କ’ଣ ଜାଣିଛ? ସରକାରଙ୍କ ସମ୍ପର୍କରେ ଗ୍ରାମ୍ୟ ଗୃହ ନିର୍ମାଣ ହିତାଧିକାରୀର ମତାମତ କ’ଣ, ଆପଣମାନେ ଜାଣନ୍ତି କି? ଆମର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟ ବିଷୟରେ ଲୋକେ କ’ଣ କହୁଛନ୍ତି, କେବେ ବୁଝିବାକୁ ଚେଷ୍ଟା କରିଛ?
ସଚିବାଳୟରେ ବିଭିନ୍ନ ବିଭାଗର ବରିଷ୍ଠ ଅଫିସରମାନଙ୍କୁ ଆଜି ଏମିତି ପ୍ରଶ୍ନ ପଚାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଲି ପ୍ରଶ୍ନ ପଚାରି ନାହାଁନ୍ତି ଗୁରୁ ମନ୍ତ୍ର ବି ଦେଇଛନ୍ତି । କହିଛନ୍ତି, ଉତ୍ତମ ପ୍ରଶାସନର ବୈଶିଷ୍ଟ୍ୟ (ହଲ୍ମାର୍କ) ହେଉଛି ଲୋକଙ୍କ ସନ୍ତୁଷ୍ଟି । ଏଥିରେ ଆହୁରି ଅନେକ ସୁଧାର ଆଣିବାକୁ ଅଛି, ଏକଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସବୁ ସରକାରୀ ଅଫିସ ଲୋକଙ୍କ ସେବା ପାଇଁ । ଲୋକଙ୍କ ଟଙ୍କାରେ ଚାଲୁଛି । ଏହି ଅଫିସଗୁଡ଼ିକର କାର୍ଯ୍ୟରେ ଲୋକେ କେତେ ସନ୍ତୁଷ୍ଟ? ସାଧାରଣ ଲୋକର ଦୃଷ୍ଟିକୋଣରୁ ସମସ୍ତ ସରକାରୀ ସେବାକୁ ଦେଖିବାକୁ ଚାହେଁ । ଏଥିପାଇଁ ରାଜ୍ୟରେ ସମ୍ପୂର୍ଣ୍ଣ ନାଗରିକ କେନ୍ଦ୍ରିକ ପ୍ରଶାସନିକ ବ୍ୟବସ୍ଥା ଆଣିବାକୁ ହେବ ।
ଅଫିସରମାନଙ୍କୁ ନବୀନ କହିଛନ୍ତି, ଆପଣମାନଙ୍କର କାମର ମୂଲ୍ୟାଙ୍କନ ରିପୋର୍ଟ ମୁଁ ଲେଖୁଛି । ମୁଁ କ’ଣ କାମ କରୁଛି, ଜନତା ତା’ର ରିପୋର୍ଟ ଲେଖୁଛନ୍ତି । ମୁଁ ଚାହେଁ, ଉଭୟକୁ ଯୋଡ଼ିବାକୁ । ଆମ ସମସ୍ତଙ୍କୁ ଉତ୍ତରଦାୟୀ ହେବାକୁ ପଡ଼ିବ । ଲୋକଙ୍କ ଆସ୍ଥା ଜିତି ନବୀନ ରାଜ୍ୟରେ ପଞ୍ଚମ ପାଳି ସରକାର ଗଢ଼ିଛନ୍ତି । ଲୋକଙ୍କ ଭରସାକୁ ଅତୁଟ ରଖିବା ସହ ରାଜ୍ୟକୁ ଉନ୍ନତି ପଥରେ ଆହୁରି ଆଗେଇ ନେବାକୁ ଏଥର ନୂଆ ଟାର୍ଗେଟ ତିଆରି କରିଛନ୍ତି । ଆଜି ସନ୍ଧ୍ୟାରେ ସବୁ ବିଭାଗର ବରିଷ୍ଠ ଅଫିସରମାନଙ୍କୁ ଡକାଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ।
ଆରମ୍ଭରେ ନବୀନ କହିଲେ, ଗୋଟିଏ ସରକାର ଭଲ କାମ କଲେ ଜନତାଙ୍କ ବିଶ୍ୱାସ ଜିତେ । ନିରନ୍ତର ଭଲ କାମ କରି ଚାଲିଲେ ବାରମ୍ବାର କ୍ଷମତାକୁ ଆସିଥାଏ । ଓଡ଼ିଶାରେ ଏଭଳି ଭଲ କାମ ଜାରି ରଖିଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ । ଆମେ ବିକାଶ ଓ ପ୍ରଶାସନର ଏକ ନିର୍ଦ୍ଦିଷ୍ଟ ସୋପାନରେ ପହଞ୍ଚି ସାରିଛୁ, ଏବେ ପରବର୍ତ୍ତୀ ସ୍ତରକୁ ଯିବାକୁ ହେବ । ସରକାରଠାରୁ ଲୋକଙ୍କର ଆଶା ବଢ଼ିଛି । ଦକ୍ଷ ସେବା ଯୋଗାଇବାକୁ ଏହା ଆମକୁ ପ୍ରେରଣା ଦେବ ।
ମୁଖ୍ୟମନ୍ତ୍ରୀ ପୁଣି କହିଲେ, ଏହି ପାଳି ସରକାରରେ ଆମର ମୁଖ୍ୟ ଫୋକସ୍ ରହିବ ନିଯୁକ୍ତି । ଆମର ସମ୍ପଦକୁ ଅଧିକରୁ ଅଧିକ ମୂଲ୍ୟଯୁକ୍ତ କରିବା । ନିଯୁକ୍ତି ଓ ମୂଲ୍ୟଯୁକ୍ତ ଉତ୍ପାଦନରେ ଆମକୁ ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଓ ସିଙ୍ଗାପୁର ଭଳି ବିକଶିତ ଦେଶ ସହ ସମକକ୍ଷ ହେବାକୁ ପଡ଼ିବ । ଏଥିପାଇଁ ମଜବୁତ ଶିଳ୍ପାୟନ ଛିଡ଼ା କରିବା । ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇବାକୁ ହେବ । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ କ୍ଲଷ୍ଟର ତିଆରି କରିବା ଦରକାର । ଓଡ଼ିଶାକୁ ଆମେ ଷ୍ଟାର୍ଟ ଅପ୍ ହବ୍ ଭାବେ ଗଢ଼ି ତୋଳିବା ।
ମୁଖ୍ୟମନ୍ତ୍ରୀ କହିଲେ, ପ୍ରତି କ୍ଷେତ୍ରରେ ଆମେ ଏମିତି ନୀତି ପ୍ରସ୍ତୁତ କରିବା, ଯାହା ଦେଶରେ ଆଲୋକବର୍ତ୍ତିକା ହେବ । ଦେଶର ଶ୍ରେଷ୍ଠ ରାଜ୍ୟ ଯାହା କରୁଛି, ଆମେ ତା’ଠାରୁ ଆଉ ପାଦେ ଆଗକୁ ଯିବା । ସେମାନେ ‘ଏକ୍ସ’ ହେଲେ ଆମେ ‘ଏକ୍ସ୍ମ’ କରି ଦେଖାଇବା । ଏଥିପାଇଁ ଅନୁକୂଳ ପରିବେଶ ତିଆରି କରିବାକୁ ପଡ଼ିବ ।
ପୁଣି ଥରେ ନବୀନ ଆଜି ପଢାଇଥିଲେ ୫-ଟି ପାଠ । କହିଛନ୍ତି, ସରକାରୀ ସେବା ଯୋଗାଇବା କ୍ଷେତ୍ରରେ ଆମେ ଏକ ବଡ଼ ପରିବର୍ତ୍ତନ ଆଣିବା । ଲୋକଙ୍କ ଉପରେ ଅଧିକ ବିଶ୍ୱାସ ରଖିବା । ମୁଁ ଚାହେଁ ୫-ଟିକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ । ଆପଣମାନେ ସରକାରଙ୍କ ଦ୍ୱାରା ଦିଆଯାଉଥିବା ବିଭିନ୍ନ ସେବା ଓ ବିଭିନ୍ନ ପ୍ରକ୍ରିୟା ଚିହ୍ନଟ କରନ୍ତୁ, ଯେଉଁଥିରେ କି ଆମେ ପ୍ରଥମ ପର୍ଯ୍ୟାୟରେ ୫-ଟି କାର୍ଯ୍ୟକାରୀ କରିବା । ବିଶେଷ କରି ଲୋକଙ୍କ ସୁବିଧା ଉପରେ ଆମେ ଗୁରୁତ୍ୱ ଦେବା । ୫-ଟି କାର୍ଯ୍ୟକାରିତାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସିଧାସଳଖ ତଦାରଖ କରିବ ।