ମାଲକାନଗିରି : ମାଥିଲି ନାଗରିକ ମଞ୍ଚ ତରଫରୁ ସହିଦ ଲକ୍ଷ୍ମଣ ନାୟକ କଲ୍ୟାଣ ମଣ୍ଡପ ଠାରେ ବିଶ୍ୱ ଶାନ୍ତି ଓ ସୁରକ୍ଷାରେ ଭାରତର ଭୂମିକା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା ଯୋଗ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ମାଥିଲି ବ୍ଲକ ବିଡ଼ିଓ ହୃଷିକେଶ ଗଣ୍ଡ, ମାଥିଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଶୀଭୂଷଣ ମିଶ୍ର , ମାଥିଲି ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ , ସଦର ପଞ୍ଚାୟତ ସରପଞ୍ଚ କାନାମ ରାଜୁ ନାୟକ , ମାଥିଲି ବ୍ଲକ ଯୋନ-୨ର ଜିଲ୍ଲା ପରିଷଦ ସଭ୍ୟ ହିରଣ୍ୟ ମୁଦୁଲି ଓ ବରିଷ୍ଠ ନାଗରିକ ଶିବ ପ୍ରସାଦ ପରିଛା ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ। ମାଥିଲି ନାଗରିକ ମଞ୍ଚର ଆବାହକ କୁନାଲ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିଲେ। ଅତିଥିମାନେ ଭାରତ ମାତାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ସହିତ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଭାରତ ମାତାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେବା ପରେ ପ୍ରଥମେ ଭାରତ ମାତାଙ୍କ ସଙ୍ଗୀତ ଗାନ କରାଯାଇଥିଲା। ପରେ ପରେ ମାଥିଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କୁନି କୁନି ଛାତ୍ରଛାତ୍ରୀ ମାନେ ଏକ ସୁନ୍ଦର ଦେଶାତ୍ମବୋଧକ ସଙ୍ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ।
ଏହା ପରେ ମାଥିଲି ଉତ୍କଳମଣି ଗୋପବନ୍ଧୁ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀ ମାନେ ଭ୍ରୁଣ ହତ୍ୟା ରୋକିବା ପାଇଁ ନାଟକ ମାଧ୍ୟମରେ ଏକ ସମାଜକୁ ସଚେତନତା ବାର୍ତ୍ତା ଦେଇଥିଲେ। ତତ୍ପରେ ମଞ୍ଚାସୀନ ଅତିଥିମାନେ ବିଶ୍ୱ ଶାନ୍ତିରେ ଭାରତର ଭୂମିକା ଉପରେ ବିସ୍ତୃତ ଭାବେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇ ଥିଲେ।
ସେଠାରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ସୁନ୍ଦର କଳା ପଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଥିଲା। ଏହି ଅବସରରେ ସାମ୍ବାଦିକ ଏମ ଡି ଆକବର, ରାଜୀବ ବେହେରା ଓ ନିର୍ଭୀକ ଓ ନିରବଚ୍ଛିନ୍ନ ଭାବେ ମାଥିଲି ଅଞ୍ଚଳରେ ଖବର ପ୍ରସାରଣ କରୁଥିବା ସାମ୍ବାଦିକ ବାସୁଦେବ ଜେନାଙ୍କୁ ମୁଖ୍ୟ ଅତିଥି ବିଧାୟକ ଶ୍ରୀଯୁକ୍ତ ବାକାଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ମାଥିଲି ଅଞ୍ଚଳର ଶହ ଶହ ଜନସମାଗମ ଦେଖିବାକୁ ମିଳିଥିଲା।