ଦେଶରେ ଏବେ ବି ଶେଷ ହୋଇନି କରୋନା ସଂକ୍ରମଣ, ମହାରାଷ୍ଟ୍ର ଏବଂ ଦିଲ୍ଲୀ ସମେତ ୮ଟି ରାଜ୍ୟରେ ବୃଦ୍ଧି ପାଉଛି ମାମଲା : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲାରେ ପୁଣି ବୃଦ୍ଧି ଆସିଛି । ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି (ଗୁରୁବାର) ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ ଦୃଢ ଭାବରେ କହିଛନ୍ତି ଯେ, କରୋନା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଗତ ସପ୍ତାହର ତଥ୍ୟ ଅନୁଯାୟୀ ବିଶ୍ବରେ ପ୍ରତିଦିନ ୯୩୯୭୭ ମାମଲା ଆସୁଛି । ଆମେରିକାରେ ୧୯%, ଋଷରେ ୧୨.୬%, ଚାଇନାରେ ୮.୩%, ଦକ୍ଷିଣ କୋରିଆରେ ୮% ଏବଂ ଭାରତରେ ୧% ମାମଲା ରିପୋର୍ଟ କରାଯାଉଛି । କରୋନା ମାମଲା ସମ୍ପର୍କରେ ସେ କହିଛନ୍ତି ଯେ ବିଶ୍ୱରେ ୬ଟି ଲହର ଆସିଛି ଏବଂ ଆମେ ନିଜେ ଭାରତରେ ତିନୋଟି ଲହର ଦେଖିଛୁ । ଏହା ପୂର୍ବରୁ ଗତକାଲି (ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଏବଂ ଋତୁକାଳୀନ ସ୍ୱାଇନ୍ ଫ୍ଲୁ ଉପରେ ଏକ ବୈଠକ କରିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, ଭାରତରେ ଦୈନିକ ହାରାହାରି ୯୬୬ଟି ମାମଲା ରିପୋର୍ଟ କରାଯାଉଛି । ପଜିଟିଭିଟି ହାର ଫେବୃଆରୀ ଦ୍ୱିତୀୟ ସପ୍ତାହରେ ୦.୦୯ ପ୍ରତିଶତ ଥିଲା, ଯାହା ବର୍ତ୍ତମାନ ୧ % ହୋଇଯାଇଛି । ଫେବୃଆରୀରେ ହାରାହାରି ପରୀକ୍ଷା ସଂଖ୍ୟା ୧ ଲକ୍ଷ ଥିଲା । ଯାହା ପରେ ହ୍ରାସ ପାଇଥିଲା । ହେଲେ ବର୍ତ୍ତମାନ ଦୈନିକ ୧ ଲକ୍ଷ ପରୀକ୍ଷା କରାଯାଉଛି । ମହାରାଷ୍ଟ୍ର, ଗୁଜୁରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ଏବଂ ରାଜସ୍ଥାନ ୮ ଟି ରାଜ୍ୟରେ ସର୍ବାଧିକ ସଂଖ୍ୟକ ମାମଲା ରିପୋର୍ଟ ହେଉଛି । ଏହି ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ଯେଉଁଠାରେ ଅଧିକ ମାମଲା ଅଛି, ସେଠାରେ ଅଧିକ ପରୀକ୍ଷା କରାଯାଉ । ବର୍ତ୍ତମାନ ଦେଶରେ କେବଳ ଓମିକ୍ରନ୍ ଭାରିଆଣ୍ଟ ରହିଛି । ବୁଷ୍ଟର ଡୋଜ ବିଷୟରେ ସେ କହିଛନ୍ତି ଯେ କେବଳ ୨୭% ଲୋକ ବୁଷ୍ଟର ଡୋଜ ନେଇଛନ୍ତି । ଏହାକୁ ବୃଦ୍ଧି କରିବା ଆବଶ୍ୟକ ।