ଉହାନ ନୁହେଁ ଆମେରିକାର ଏକ ଲ୍ୟାବ୍ରୁ ଲିକ୍ ହୋଇଛି କରୋନା ଭାଇରସ୍, ଏହି ଅର୍ଥଶାସ୍ତ୍ରୀଙ୍କ ସୂଚନା ପରେ ତଦନ୍ତ ଦାବି କଲା ଚୀନ୍

ନୂଆଦିଲ୍ଲୀ,୬।୭: ସାରା ବିଶ୍ବ ପାଇଁ ବିପଦ ସୃଷ୍ଟି କରିଥିବା କରୋନା ଭାଇରସ୍ ଏବେ ବି ଅନେକ ଦେଶରେ ସକ୍ରିୟ ରହିଛି। ବିଶ୍ବ ମହାମାରୀ ପାଲଟିଥିବା କରୋନାର ଉତ୍ପତ୍ତି ସମ୍ପର୍କରେ ଦୁଇ ବର୍ଷ ପରେ ମଧ୍ୟ ସ୍ପଷ୍ଟ ହୋଇନି। କୋଭିଡ୍-୧୯ର ଉତ୍ପତ୍ତିକୁ ନେଇ ଆରମ୍ଭରୁ ଭିନ୍ନ ଭିନ୍ନ ଦାବି କରାଯାଉଛି, କିନ୍ତୁ ଏବେ କରୋନାର ଉତ୍ପତ୍ତିକୁ ନେଇ ଆମେରିକାର ଅର୍ଥଶାସ୍ତ୍ରୀ ଯେଉଁ ଦାବି କରିଛନ୍ତି ତାହା ଆମେରିକାର ନିଦ ଉଡାଇ ଦେଇଛନ୍ତି। ଆମେରିକାର ଅର୍ଥଶାସ୍ତ୍ରୀ ଜେଫରି ସେସ୍ ଦାବି କରିଛନ୍ତି, କୋଭିଡ୍-୧୯ ଭାଇରସ୍ ଉତ୍ପତ୍ତି ଚୀନ୍ନ୍ର ଉହାନ୍ ଲ୍ୟାବ୍ ନୁହେଁ ଆମେରିକାର ଏକ ଲ୍ୟାବ୍ରୁ ହୋଇଛି।
ଡେଲି ମେଲ୍ରେ ପ୍ରକାଶିତ ଏକ ଖବର ଅନୁସାରେ, ଜେଫରି ସେସ୍ କରୋନା ମହାମାରୀର ଉତ୍ପତ୍ତିକୁ ନେଇ ଦୁଇ ବର୍ଷ ପର୍ଯ୍ୟନ୍ତ ଚାଲିଥିବା ଯାଞ୍ଚ ଦଳର ନେତୃତ୍ବ ନେଇଥିଲେ। ରିପୋର୍ଟରେ କୁହାଯାଇଛି ଜେଫରି ସେସ୍ ଏହି ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ ଯେ, କରୋନା ଭାଇରସ୍ ଚୀନ୍ର ଉହାନ ଲ୍ୟାବ୍ରୁ ନୁହେଁ, ବଂର ଆମେରିକାର ବାୟୋଟେକ୍ନୋଲୋଜି ଲ୍ୟାବ୍ର ପରିଣାମ ଥିଲା। ରିପୋର୍ଟରେ କୁହାଯାଇଛି , ସେସଙ୍କ ଦାବି ଉପରେ ଯାଞ୍ଚ କରିବାକୁ ଚୀନ୍ ଦାବି କରିଛି।
ଉଲ୍ଲେଖନୀୟ ଯେ, ଆମେରିକାର ଅର୍ଥଶାସ୍ତ୍ରୀ ଜେଫରି ସେସ୍ ସ୍ପାନିଶ୍ ବିଶ୍ବକରଣ ଥିକ-ଟ୍ୟାଙ୍କ ଗେଟ୍ ସେଣ୍ଟର ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଁଞ୍ଚିଥିଲେ। ସେଠାରେ ସେ କହିଥିଲେ, ମୁଁ କରୋନା ଭାଇରସ୍ ଉପରେ ଦୁଇ ବର୍ଷ ପର୍ଯ୍ୟନ୍ତ ଲାନସେଣ୍ଟ ପାଇଁ ଏକ କମିଶନ୍ର ଅଧ୍ୟକ୍ଷତା କରିଛି। ସେ କହିଛନ୍ତି, ମୋର ପୁରା ବିଶ୍ବାସ ରହିଛି କରୋନା ଭାଇରସ୍ ଆମେରିକାର ଲ୍ୟାବ୍ରୁ ବାହାରିଛି। ମୁଁ ଦୁଇ ବର୍ଷ ଧରି ରିସର୍ଚ୍ଚ କରିବା ପରେ ଏହା ଉଲ୍ଲେଖ କରିଛି।
ଅନ୍ୟପକ୍ଷେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅଧ୍ୟକ୍ଷ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ ଗତ ମାସ କହିଥିଲେ ଯେ, କୋଭିଡ୍ ଲ୍ୟାବ୍ ଲିକ୍ ଥିଓରିକୁ ଆଗକୁ ଯାଞ୍ଚ କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି, ଏହି କଥାର ଯାଞ୍ଚ ହେବା ଦରକାର ଯେ, ଏହି ମହାମାରୀର ଜନ୍ମ କେଉଁଠି ଓ କିପରି ହୋଇଛି। ଏହାଦ୍ବାରା ଭବିଷ୍ୟତରେ ଏଭଳି ବିପଦ ସହିତ ଲଢେଇ କରିବା ପୂର୍ବରୁ ସୁରକ୍ଷାତ୍ମକ ପଦକ୍ଷେପ ଉଠାଇ ହେବ।