କଟକ,୨୨/୧୦: ସମ୍ଭାବ୍ୟ ବାତ୍ୟା ମୁକାବିଲା ନିମନ୍ତେ ଏସ୍‌ସିବି ମେଡିକାଲ୍‌କୁ ସଜାଗ କରାଯାଇଛି । ଜରୁରୀକାଳୀନ ସ୍ଥିତିର  ମୁକାବିଲା ପାଇଁ ଡାକ୍ତର, ନର୍ସିଂ ଷ୍ଟାଫ୍‌,  ଫାର୍ମାସିଷ୍ଟ, ଟେକ୍ନିସିଆନ୍‌ଙ୍କ ସମେତ ସମସ୍ତ  ସ୍ୱାସ୍ଥ୍ୟ କର୍ମୀ ୨୪ ଘଣ୍ଟା ସଜାଗ ରହିବାକୁ ନିର୍ଦ୍ଦେଶ  ଦିଆଯାଇଛି । ଏଥିପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌  ରୁମ୍‌ ଖୋଲାଯାଇଛି । ବିଦ୍ୟୁତ ସରବରାହ,  ଜଳ ଯୋଗାଣ ଆଦିରେ ଯେପରି ବିଭ୍ରାଟ  ନହେବ ତା ଉପରେ ଗୁରୁତ୍ୱ ଦିଆଯାଇଛି ।  

ବିକଳ୍ପ ପଦକ୍ଷେପ ସୂରୂପ ବିଭିନ୍ନ ୱାର୍ଡ,  ଆଉଟ୍‌ଡୋର, ଓଟି, ଆଶୁଚିକିତ୍ସା କେନ୍ଦ୍ର,  ନିଦାନ କେନ୍ଦ୍ର ଆଦିକୁ ସଂଯୋଗ ହୋଇଥିବା  ଡିଜି ସେଟ୍‌ଗୁଡ଼ିକୁ ପ୍ରସ୍ତୁତି ରଖିବାକୁ ଦାୟିତ୍ୱରେ  ଥିବା ଅଧିକାରୀମାନଙ୍କୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ  ଦେଇଛନ୍ତି । ହସ୍ପିଟାଲର ବିଭିନ୍ନ ୱାର୍ଡରେ  ଆବଶ୍ୟକ ମୁତାବକ ଔଷଧ, ଇଞ୍ଜେକସନ୍‌,  ହାଲୋଜେନ ବଟିକା, ସାଲାଇନ୍‌, ଓଆରଏସ୍‌  ମହଜୁଦ୍‌ ରଖିବାକୁ ମେଡିକାଲ ଷ୍ଟୋର୍‌  ଫାର୍ମାସୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ବାତ୍ୟା ମୁକାବିଲା ପାଇଁ ଏସ୍‌ସିବି ଅଧ୍ୟକ୍ଷ  ପ୍ରଫେସର ଡାକ୍ତର ଲୁସି ଦାସଙ୍କ ଅଧ୍ୟକ୍ଷତାରେ  ମେଡିକାଲ କଲେଜ୍‌ର ସମ୍ମିଳନୀ କକ୍ଷରେ  ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।  

ବାତ୍ୟା ସମୟରେ ସ୍ୱାସ୍ଥ୍ୟ ସେବାରେ ଯେପରି  କୌଣସି ବ୍ୟାହତ ନହେବ ସେଥିଲାଗି ବିଭିନ୍ନ  ବିଭାଗୀୟ ମୁଖ୍ୟ ପ୍ରଫେସରଙ୍କ ଏନେଇ  ଆଲୋଚନା ହୋଇଥିଲା । ହସ୍ପିଟାଲରେ ୨୪  ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । କଣ୍ଟ୍ରୋଲ  ରୁମ ସହ ଯୋଗାଯୋଗ ଲାଗି ୦୬୭୧- ୨୪୨୨୦୩୨/୨୯୯୨୮୦୦ ନମ୍ବର ଜାରି  କରାଯାଇଛି । ଏଥିସହ ଆମ୍ୱୁଲାନ୍ସଗୁଡିକୁ ମଧ୍ୟ  ପ୍ରସ୍ତୁତ ରଖାଯାଇଛି । ରୋଗୀ, କାର୍ଯ୍ୟରତ ଡାକ୍ତର  ଓ ଅନ୍ୟ କର୍ମଚାରୀମାନଙ୍କ ଖାଦ୍ୟ ପାଇଁ ସ୍ୱତନ୍ତ୍ର  ବନ୍ଦୋବସ୍ତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି  ନିଆଯାଇଛି । 

ସେହିପରି ରୋଗୀ ସମ୍ପର୍କୀୟମାନେ  କିପରି ସୁରକ୍ଷିତ ରହିବେ ସେନେଇ ମଧ୍ୟ  ଆବଶ୍ୟକ ବ୍ୟବସ୍ଥା କରାଇବା ପାଇଁ ହସ୍ପିଟାଲ ମ୍ୟାନେଜରମାନଙ୍କୁ ନିର୍ଦେଶ ଦିଆଯାଇଛି ।  ବୈଠକରେ ଡାକ୍ତରଖାନା ପ୍ରଶାସନିକ  ଅଧିକାରୀ ଡ. ଅବିନାଶ ରାଉତଙ୍କ ସମେତ  ସମସ୍ତ ବିଭାଗୀୟ ମୁଖ୍ୟ, ହସ୍ପିଟାଲ ମ୍ୟାନେଜର,  ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ୍‌, ମେଡିକାଲ ଷ୍ଟୋର  ଅଫିସରଙ୍କ ସମେତ ପୂର୍ତ୍ତ, ଜିଇଡି ଅଧିକାରୀଙ୍କ  ସହ ଆଉଟ୍‌ସୋର୍ସିଂ ସଂସ୍ଥାର କର୍ତ୍ତୃପକ୍ଷ ଉପସ୍ଥିତ  ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।