ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଏବେ ପ୍ରଦୂଷଣ ପାଇଁ ଅଶନିଃଶ୍ବାସୀ ହୋଇପଡ଼ିଛି । ରାଜ୍ୟରେ ଗ୍ରାପ୍-୩ ନିୟମ ଲାଗୁ ହୋଇଛି । ଏଥିପାଇଁ ରାଜ୍ୟ ସରକାର ଅନେକ କଟକଣା ଲାଗୁ କରିଛନ୍ତି । ପ୍ରଦୂଷଣ କମ୍ କରିବା ଲାଗି ବିଶେଷ କରି ଗାଡ଼ିକୁ ନେଇ ନିୟମ ହୋଇଛି । ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନଥିବା ଗାଡ଼ିଗୁଡ଼ିକ ଉପରେ ଜରିମାନା ଲାଗୁଛି । ଶୁକ୍ରବାର ଦିଲ୍ଲୀ ଟ୍ରାଫିକ ପୋଲିସ ୫୫୦ ଗାଡ଼ି ଉପରେ ଜରିମାନା ଲଗାଇଛି । ବିଏସ୍ ୩ ପେଟ୍ରୋଲ ଏବଂ ବିଏସ୍-୪ ଡିଜେଲ୍ ଗାଡ଼ି ଉପରେ ମୋଟ ୧ କୋଟି ଟଙ୍କା ଫାଇନ୍ ଲାଗିଥିବା ଜଣାପଡ଼ିଛି ।
ଏହି ସବୁ ଗାଡ଼ି ଉପରେ ବ୍ୟାନ୍ ଲାଗିଛି । ସେହିଭଳି ଟ୍ରାଫିକ୍ ପୋଲିସ ପିୟୁସି ସାର୍ଟିଫିକେଟ ନଥିବା ଗାଡ଼ିଗୁଡ଼ିକ ପାଖରୁ ୪.୮ କୋଟି ଟଙ୍କାର ଚାଲାଣ ଜାରି କରିଛି । ମୋଟର ସାଇକେଲରେ ପିୟୁସି ନଥିବାରୁ ୧୦ ହଜାର ଟଙ୍କା ଲେଖାଏଁ ଫାଇନ୍ ଆଦାୟ ହୋଇଛି । ବ୍ୟାନ୍ ହୋଇଥିବା ବିଏସ୍ ୩ ପେଟ୍ରୋଲ ଏବଂ ବିଏସ୍-୪ ଡିଜେଲ୍ ଗାଡ଼ି ଉପରେ ୨୦ ହଜାର କୋଟି ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛି ଟ୍ରାଫିକ ପୋଲିସ ।
ଜଣେ ବରିଷ୍ଠ ପୋଲିସ ଅଧିକାରୀ ଅନୁସାରେ, ୨୯୩ଟି ବିଏସ୍-୩ ଏବଂ ବିଏସ-୪ ଗାଡ଼ିର ଚାଲାଣ କଟାଯାଇଛି । ଦିଲ୍ଲୀ ସହରରେ ୬୩ଟି ଚାଲାଣ ହୋଇଥିବା ବେଳେ ପୂର୍ବ ଏବଂ ଦକ୍ଷିଣ ଦିଲ୍ଲୀରେ ଯଥାକ୍ରମେ ୭୩ ଏବଂ ୧୨୧ଟି ଚାଲାଣ କଟାଯାଇଥିବା ଜଣାପଡ଼ିଛି । ଟ୍ରାଫିକ୍ ଡିସିପି ରାଜୀବ କୁମାର ରାଓ୍ବାଲ କହିଛନ୍ତି, ପ୍ରାୟ ୩୦୦୦ ଗାଡ଼ିକୁ ଚେକ୍ କରାଯାଇଛି । ଅନ୍ତରାଜ୍ୟ ବସ୍ଗୁଡ଼ିକୁ ଯାଞ୍ଚ କରାଯାଇଛି । ଯେଉଁ ସବୁ ଗାଡ଼ିକୁ ଦିଲ୍ଲୀରେ ପ୍ରବେଶ ପାଇଁ ଅନୁମତି ନାହିଁ ସେଗୁଡ଼ିକୁ ଫେରାଇ ଦିଆଯାଇଛି । ୩୦୦ରୁ ଅଧିକ ଏଭଳି ଗାଡ଼ିଗୁଡ଼ିକୁ ଫେରାଇ ଦିଆଯାଇଛି ବୋଲି ଡିସିପି କହିଛନ୍ତି । ଭୟଙ୍କର ପ୍ରଦୂଷଣରେ ରୁନ୍ଧି ହେଉଥିବା ଦିଲ୍ଲୀରେ ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ ରହିଛି ।