ଆଉଟ୍ଲୁକ୍ ସ୍ପିକ୍ ଆଉଟ୍ରେ ଧର୍ମେନ୍ଦ୍ର: ଏଥର ଭୋଟ୍ ମୋଦିକୈନ୍ଦ୍ରିକ

ଭୁବନେଶ୍ୱର,୩ା୩(ବ୍ୟୁରୋ): ୨୦୦୯ ଓ ୨୦୧୪ ନିର୍ବାଚନ ଭିନ୍ନ ଥିଲା । ହେଲେ ୨୦୧୯ ଭୋଟ୍ ପୂରାପୂରି ଭିନ୍ନ ହେବ । ଗତ ଦୁଇଟି ଯାକ ନିର୍ବାଚନରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ କୈନ୍ଦ୍ରିକ ଭୋଟ୍ ହୋଇଥିଲା । କିନ୍ତୁ, ଏଥର ନିର୍ବାଚନ ପ୍ରଧାନମନ୍ତ୍ରୀ ଓ ମୋଦି କୈନ୍ଦ୍ରିକ ହେବାକୁ ଯାଉଛି । ମୋଦିଙ୍କ ନେତୃତ୍ୱକୁ ସମର୍ଥନ କରି ଉଭୟ ଦିଲ୍ଲୀ ଓ ରାଜ୍ୟରେ ଡବଲ୍ ଇଞ୍ଜିନ ସରକାର ପାଇଁ ଲୋକେ ଭୋଟ୍ ଦେବେ । ଓଡ଼ିଶାରେ ମୋଦିଙ୍କ ଆଦର୍ଶର ସରକାର ଗଠନ ହେବ, ତାହା ସ୍ପଷ୍ଟ ଜଣାପଡ଼ୁଛି । ଆଉଟ୍ ଲୁକ୍ ସ୍ପିକ୍ ଆଉଟ୍ କାର୍ଯ୍ୟକ୍ରମରେ ଏଭଳି ଦମ୍ଭୋକ୍ତି ବାଢ଼ିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ର କହିଛନ୍ତି, ପ୍ରଧାନମନ୍ତ୍ରର ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଆଜି ଆକାଶ ଛୁଇଁଛି । ମୋଦିଙ୍କ ଫୋକସ୍ରେ ଯେଉଁ ୫ ରାଜ୍ୟ ରହିଛି, ସେଥିରେ ଓଡ଼ିଶା ସବୁଠୁ ଉପରେ ରହିଛି । ଓଡ଼ିଶା ଆଜି ମୋଦିଙ୍କ ବିକାଶର ପ୍ରୟୋଗଶାଳା ହୋଇଛି । ଓଡ଼ିଶାର ବିକାଶ ପାଇଁ ମୋଦି ସରକାର ବ୍ୟାପକ ଅନୁଦାନ ଦେଇ ଚାଲିଛନ୍ତି । ମାତ୍ର ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରାଇ ଦେଉନାହାନ୍ତି । ଜବାବ ମାଗିଲେ ବି ଉତ୍ତର ଦେଉନାହାନ୍ତି । ମୋଦିଙ୍କ ଲୋକପ୍ରିୟତାକୁ ଇର୍ଷା କରି ରାଜ୍ୟ ସରକାର କେନ୍ଦ୍ର ଦେଉଥିବା ପ୍ରକଳ୍ପକୁ ଅଟକାଉଛନ୍ତି । ଲୋକେ ଏହାର ଜବାବ ଦେବେ । ଏଥର ନିର୍ବାଚନ ମୋଦି ଓ ପ୍ରଧାନମନ୍ତ୍ରୀ କୈନ୍ଦ୍ରିକ ନିର୍ବାଚନ ହେଉଥିବାରୁ ଏହାର ଫାଇଦା ବିଜେପିକୁ ମିଳିବ । ଓଡ଼ିଶାର ମତଦାତା ମୋଦିଙ୍କ ନେତୃତ୍ୱକୁ ସମର୍ଥନ କରି ଭୋଟ୍ ଦେବେ । ଆଉଟ୍ ଲୁକ୍ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ସହ ଆଲୋଚନାବେଳେ ଏହି ମତ ରଖିଛନ୍ତି ଧର୍ମେନ୍ଦ୍ର ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ସମ୍ପର୍କରେ ଧର୍ମେନ୍ଦ୍ର କହିଛନ୍ତି, ୧୯ ବର୍ଷର ଶାସନ ଗୋଟିଏ ରାଜ୍ୟ ପାଇଁ ଲମ୍ବା ସମୟ । ମାତ୍ର ଏବେ ବି ରାଜ୍ୟରେ ଅପପୁଷ୍ଟି ପିଛା ଛାଡ଼ୁନି । ୩୦ ଜିଲ୍ଲାରୁ ୨୦ଟି ଜିଲ୍ଲାରେ ଶିଶୁମାନଙ୍କର ପୁଷ୍ଟିହୀନତା ଓ ରକ୍ତହୀନତା ସ୍ଥିତି ଆଫ୍ରିକୀୟ ଦେଶମାନଙ୍କଠାରୁ ବି ଖରାପ । ୨୦୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନକୁ ଶହେ ବର୍ଷ ପୂରିବ । ଆଜି ଜନ୍ମ ହେଉଥିବା ପିଲାକୁ ସେତେବେଳେ ୧୮ ବର୍ଷ ବୟସ ହେବ । ଏଭଳି ଶକ୍ତିହୀନ ପିଲାଙ୍କୁ ନେଇ ରାଜ୍ୟର ଭବିଷ୍ୟତ କେମିତି ମଜବୁତ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟରେ ଶାସନ ବୋଲି କିଛି ନାହିଁ । କେବଳ ପ୍ରଚାର ସର୍ବସ୍ୱ । ରାଜ୍ୟରେ ୩୦ ଲକ୍ଷ ଲୋକଙ୍କର ନିଜସ୍ୱ ଘର ନାହିଁ । ପ୍ରାୟ ୨୦ ଲକ୍ଷ ଲୋକଙ୍କର ନିଜସ୍ୱ ଜମି ନାହିଁ । ଜିଲ୍ଲାପାଳମାନେ ଭୂମିହୀନଙ୍କୁ ଜମି ଦେବା ପାଇଁ କ୍ଷମତାପ୍ରାପ୍ତ । ଭୂମିହୀନ ଲୋକଙ୍କୁ ଘରଡିହ ମିଳୁନାହିଁ । ଅପରପକ୍ଷରେ ସରକାର କେବଳ ‘ଜାଗା’ ଯୋଜନାର ପ୍ରଚାର ଚଳାଇଛନ୍ତି ।
ଆଗାମୀ ସମ୍ଭାବନା ଉପରେ ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାର ଲୋକଙ୍କ ପାଖରେ ବୁଦ୍ଧିମତା, କୌଶଳ ଓ ସାହସ ରହିଛି । ଏହି କ୍ଷମତା ବଳରେ ଓଡ଼ିଶାକୁ ଆଗେଇବ । ଏକବିଂଶ ଶତାବ୍ଦୀରେ ଭାରତ ହିଁ ବିକାଶର ନେତୃତ୍ୱ ନେବ । ଆଉ ଭାରତର ପ୍ରଗତିର କେନ୍ଦ୍ର ବିନ୍ଦୁ ଓଡ଼ିଶା ରହିବ ।