ଭୁବନେଶ୍ୱର,୧୭/୧୦: ଦୀପାବଳି ପୂର୍ବରୁ ସୁନା  ଉପରମୁହାଁ । ରେକର୍ଡ ସ୍ତରରେ ପହଞ୍ଚିଯାଇଛି ହଳିଦିଆ  ଧାତୁ । ରାଜଧାନୀ ଭୁବେଶ୍ୱରରେ ୧୦ ଗ୍ରାମ ପିଛା ୨୪  କ୍ୟାରେଟ୍‌ ସୁନା ଦର ୭୭,୮୯୦ ଟଙ୍କା ଛୁଇଁଛି । ସେହିଭଳି  ୨୨ କ୍ୟାରେଟ୍‌ ସୁନା ଦାମ ୭୧,୪୦୦ ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି । ଉଭୟ ଦରରେ ଯଥାକ୍ରମେ ୪୯୦ ଟଙ୍କା ଏବଂ  ୪୫୦ ଟଙ୍କା ବୃଦ୍ଧି ପାଇଛି ।   

ଚଳିତ ବର୍ଷ ଏଯାବତ୍‌ ସୁନା ୧୩,୦୦୦ ଟଙ୍କାରୁ ଅଧିକ  ମହଙ୍ଗା ହୋଇଗଲାଣି । ବର୍ଷ ଶେଷ ସୁଦ୍ଧା ଏହା ୮୦,୦୦୦  ଟଙ୍କା ଛୁଇଁବା ନେଇ ଆକଳନ କରିଛନ୍ତି ବଜାର ବିଶେଷଜ୍ଞ । ସାଧାରଣତଃ ଭୁ-ରାଜନୈତିକ ଅସ୍ଥିରତାବେଳେ ସୁନାରେ  ନିବେଶ ବଢ଼ିଥାଏ । ଚାହିଦା ବଢ଼ିବା ସହ ଏହି ଧାତୁ  ମହଙ୍ଗା ହୁଏ । ପୁଞ୍ଜି ବଜାରରେ ଅସ୍ଥିରତାବେଳେ  ସୁନାକୁ ନିବେଶର ସୁରକ୍ଷିତ ମାଧ୍ୟମ ଭାବେ ଗଣନା  କରିଥାନ୍ତି ନିବେଶକ । ଆଜି କିଲୋଗ୍ରାମ ପିଛା ରୁପା  ଦର ୧,୦୩,୦୦୦ ଟଙ୍କାରେ ସ୍ଥିର ରହିଥିବା ଜଣାପଡ଼ିଛି ।