ନୂଆଦିଲ୍ଲୀ ୦୯/୦୬: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଚକିତ ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ୪୫ ବର୍ଷୀୟ ମହିଳା ନିଜର ବ୍ରେନ୍ ଟ୍ୟୁମର ସର୍ଜରି ସମୟରେ ପ୍ରିୟ ଅଭିନେତା ପୱନ କଲ୍ୟାଣଙ୍କ ଫିଲ୍ମ ‘ଓଜି’ ଦେଖିଛନ୍ତି । ଡିଭିସି ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର୍ରେ ଏହି ଅପରେସନ୍ ହୋଇଛି । ଡାକ୍ତର ମହିଳାଙ୍କ ମସ୍ତିଷ୍କରୁ ସଫଳତାପୂର୍ବକ ଟ୍ୟୁମର ବାହାର କରିଛନ୍ତି । ଏହି ପ୍ରକ୍ରିୟା ସମୟରେ ମହିଳା ଚାହିଁଥିଲେ ଏବଂ ଡାକ୍ତରଙ୍କ ସହ କଥା ହେଉଥିଲେ ।

କୋଟେଶ୍ୱରମ୍ମା ନାମ୍ନୀ ଏହି ମହିଳା ବାରମ୍ବାର ଅଚେତ୍ ହେବା ଯୋଗୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏମ୍‌ଆରଆଇ ସ୍କାନ୍‌ରୁ ଜଣାପଡ଼ିଲା ତାଙ୍କ ମସ୍ତିଷ୍କରେ ଏକ ଟ୍ୟୁମର ଅଛି, ଯାହା ଶରୀରର ଗତିବିଧି ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ନାୟବିକ କାର୍ଯ୍ୟକୁ ନିୟନ୍ତ୍ରିତ କରୁଥିବା ମସ୍ତିଷ୍କର ଅତି ସମ୍ବେଦନଶୀଳ ଅଂଶ ନିକଟରେ ଥିଲା । ଏହାର ଜଟିଳ ସ୍ଥିତିକୁ ଦେଖି ଡାକ୍ତର ଜାଗ୍ରତ ଅବସ୍ଥାରେ ମହିଳାଙ୍କର ସ୍ୱତନ୍ତ୍ର ସର୍ଜରି କରିବାକୁ ନିଷ୍ପତ୍ତି ନେଲେ ।

​​​​​​​

ଏଥିରେ ରୋଗୀକୁ ସମ୍ପୂର୍ଣ୍ଣ ଅଚେତ୍ କରାଯାଏ ନାହିଁ, ଯାହା ଦ୍ୱାରା ଡାକ୍ତର ଅପରେସନ୍ ସମୟରେ ମସ୍ତିଷ୍କ ଗତିବିଧି ଉପରେ ନଜର ରଖିପାରନ୍ତି ଏବଂ କୌଣସି ଗମ୍ଭୀର ବିପଦର ଆଶଙ୍କା ଦୂର ହୋଇପାରେ । ଅପରେସନ୍ ସମୟରେ ଡାକ୍ତର ଜାଣିବାକୁ ପାଇଲେ ଯେ କୋଟେଶ୍ୱରମ୍ମା ଅଭିନେତା ଓ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କର ଜଣେ ବଡ଼ ପ୍ରଶଂସକ । ତାଙ୍କୁ ଶାନ୍ତ ଓ ସହଜ ସ୍ଥିତିରେ ରଖିବା ପାଇଁ ସେମାନେ ସର୍ଜରି ସମୟରେ ତାଙ୍କ ପସନ୍ଦର ଫିଲ୍ମ ‘ଓଜି’ ଦେଖାଇଲେ । ଫିଲ୍ମ ଦେଖିବା ସମୟରେ କୋଟେଶ୍ୱରମ୍ମା ଲଗାତାର ଡାକ୍ତରଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ । ବେଳେବେଳେ ହାତ-ଗୋଡ଼ ହଲାଇବାକୁ ଏବଂ ସାଧାରଣ ନିର୍ଦ୍ଦେଶ ପାଳନ କରିବାକୁ ଡାକ୍ତର ତାଙ୍କୁ କହୁଥିଲେ । ଏହି ମାମଲା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି ।

ଆହୁରି ପଢ଼ନ୍ତୁ...Solar Storm: ମାଡ଼ିଆସୁଛି ଭୟଙ୍କର ସୌରଝଡ଼, ଭାରତରେ ଦିଶିବ ଅଦ୍ଭୁତ ଆଲୋକ