ମନ୍ଦିରରେ ଲାଗୁହେଲା ସ୍ୱତନ୍ତ୍ର ଡ୍ରେସ୍ କୋଡ୍, ଚିରା ଜିନ୍ସ ପିନ୍ଧିଥିଲେ ପ୍ରବେଶ ମନା

ମୁମ୍ୱାଇ, ୨୭।୫: ମନ୍ଦିରରେ ପୋଷାକ ପରିଧାନ ଉପରେ ଲାଗୁହେଲା କଟକଣା । ମହାରାଷ୍ଟ୍ରର କିଛି ମନ୍ଦିରରେ ସ୍ୱତନ୍ତ୍ର ଡ୍ରେସ୍ କୋଡ୍ ଲାଗୁ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ମହାରାଷ୍ଟ୍ର ମନ୍ଦିର ମହାସଂଘ ପକ୍ଷରୁ ନାଗପୁରର ୪ଟି ମନ୍ଦିରରେ ଏହି ଡ୍ରେସ୍ କୋଡ୍ ଲାଗୁ ହୋଇଥିବା ସୂଚନା । ମନ୍ଦିରର ପବିତ୍ରତା ବଜାୟ ରଖିବା ପାଇଁ ଏଭଳି ଡ୍ରେସ୍ କୋଡ୍ ଲାଗୁ କରାଯାଇଛି । ଏହି ମନ୍ଦିରମାନଙ୍କରେ ଛୋଟ ପୋଷାକ କିମ୍ୱା ଚିରା ଜିନ୍ସ ପିନ୍ଧି ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ମହାସଂଘ ଅନୁଯାୟୀ, ମନ୍ଦିର, ଗୁରୁଦ୍ୱାର, ଚର୍ଚ୍ଚ, ମସଜିଦ୍ ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନରେ ଚିରା ଜିନ୍ସ, ଅର୍ଦ୍ଦନଗ୍ନ ପୋଷାକ, ଉତ୍ତେଜକ ବସ୍ତ୍ର, ଅଶ୍ଳୀଳ ପୋଷାକ ପରିଧାନ କରି ମନ୍ଦିରକୁ ପ୍ରବେଶ ନିଷେଧ ।
ଏହା ବ୍ୟତୀତ ଯଦି କୌଣସି ବ୍ୟକ୍ତି ବା ମହିଳା ନିୟମ ଉଲଙ୍ଘନ କରି ଏଭଳି ପୋଷାକ ପରିଧାନ କରି ଆସନ୍ତି ତେବେ ତାଙ୍କ ପାଇଁ କିଛି ନିୟମ ବାଧ୍ୟତାମୂଳକ । ମହିଳାଙ୍କୁ ଓଢ଼ଣୀ ଓ ପୁରୁଷଙ୍କୁ ଧୋତି ପରିଧାନ କରିବାକୁ ଦିଆଯିବ । ଏଥିସହ ଏ ବାବଦରେ ପ୍ରଚାର ପ୍ରସାର କରିବା ଲାଗି ମହାସଂଘ ନିର୍ଦ୍ଦେଶ ଜାରି କରିଛି । ଖୁବ୍ ଶୀଘ୍ର ରାଜ୍ୟର ୩୦୦ ମନ୍ଦିରରେ ଡ୍ରେସ୍ କୋଡ୍ ଲାଗୁ କରାଯିବ । ଚିରା ଜିନ୍ସ, ସ୍କର୍ଟ ଭଳି ପୋଷାକ ଉପରେ ପ୍ରତିବନ୍ଧକ ଲଗାଯିବ । ବର୍ତ୍ତମାନ ନାଗପୁରର ଧନ୍ତୋଲି ଶ୍ରୀ ଗୋପାଳ କୃଷ୍ଣ ମନ୍ଦିର, ଶ୍ରୀ ସଙ୍କଟ ମୋଚାନ୍ ପଞ୍ଚମୁଚି ହନୁମାନ ମନ୍ଦିର ବେଲୋରୀ, ବୃହସ୍ପତି ମନ୍ଦିର କାନୋଲି ବାରା, ଦୁର୍ଗା ମନ୍ଦିର ହିଲଟପ୍ ମହାରାଷ୍ଟ୍ର ମନ୍ଦିର ଫେଡେରେସନର ମତକୁ ଦୃଷ୍ଟିରେ ରଖି ଏହି ଗାଇଡଲାଇନ ଜାରି କରାଯାଇଛି ।