PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ନାବାଳିକାଙ୍କୁ ଦୁଷ୍କର୍ମ ଓ ଯୌନ ନିର୍ଯାତନା ମାମଲା, ଭିନ୍ନକ୍ଷମ ବୃଦ୍ଧଙ୍କୁ ୫ବର୍ଷ ଜେଲ ଦଣ୍ଡ ସହ ୧୦ ହଜାର ଜୋରିମାନା

ବ୍ରହ୍ମପୁର,୧୮ା୧୧: ନାବାଳିକାଙ୍କୁ ଦୁଷ୍କର୍ମ ସହ ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ରମ୍ଭା ଥାନା ଅନ୍ତର୍ଗତ ଏକ ଗ୍ରାମର ଭାସ୍କର ନାହାକଙ୍କୁ ପୋକ୍ସ୍ ଫାଷ୍ଟ ଟ୍ରାକ୍ କୋର୍ଟ ଜଜ୍ ଜଷ୍ଟିସ୍ ଗଣେଶ୍ୱର ପତି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ନଥିବା ଦର୍ଶାଇ ଦୁଷ୍କର୍ମ ମାମଲାରେ ଖଲାସ କରିଛନ୍ତି । ତେବେ ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗରେ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ଏହା ସହ ଅଭିଯୁକ୍ତ ଭାସ୍କର ନାହାକଙ୍କୁ ୧୦ ହଜାର ଟଙ୍କା ଜରିମାନାର ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଆଉ ୩ ମାସ ଜେଲ ଦଣ୍ଡର ଆଦେଶ ରହିଛି ।

ସୂଚନାଯୋଗ୍ୟ ଯେ, ରମ୍ଭାଥାନା ଅନ୍ତର୍ଗତ ଏକ ଗ୍ରାମରେ ଭିନ୍ନକ୍ଷମ ଭାସ୍କର ରହୁଛନ୍ତି । ସେ ତାଙ୍କ ଘରକୁ ପାଣି ଆଣିବା ପାଇଁ ତାଙ୍କ ଘର ନିକଟରେ ଥିବା ଏକ ନାବାଳିକାଙ୍କୁ କହିଥିଲେ । ଏପରିକି ନାବାଳିକାଙ୍କୁ ଦୁଇଟି ଖାଲି ପାଣି ବୋତଲ ମଧ୍ୟ ଦେଇଥିଲେ । ଏହି ସମୟରେ ନାବାଳିକାଙ୍କ ପରିବାର ଲୋକେ ଘର କାମରେ ବ୍ୟସ୍ଥ ରହିଥିବା ବେଳେ ନାବାଳିକା ପାଣି ଭର୍ତି କରି ଭାସ୍କରଙ୍କୁ ଦେଇଥିଲେ । ଭାସ୍କାର ନାବାଳିକାଙ୍କୁ ଉକ୍ତ ପାଣି ବୋତଲ ତାଙ୍କ ଘର ଭିତରେ ରଖିବା ପାଇଁ କହିଥିଲେ । ନାବାଳିକା ଜଣକ ଘର ଭିତରକୁ ଯିବା ମାତ୍ରେ ଭିନ୍ନକ୍ଷମ ଭାସ୍କର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ପରେ ନାବାଳିକାଙ୍କ ଚିତ୍କାର ଶୁଣି ତାଙ୍କ ପରିବାର ଲୋକେ ଭାସ୍କରଙ୍କ ଘରକୁ ଯାଇ ନାବାଳିକାଙ୍କୁ ଉଦ୍ଧାର କରିଥିଲେ ।

ପରେ ଏ ନେଇ ଥାନାରେ ମାମଲା ହୋଇଥିଲା । ନାବାଳିକାଙ୍କ ପରିବାର ଲୋକେ ତାଙ୍କ ଝିଅଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଭାସ୍କରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ଏହି ମାମଲାର ବିଚାରଣା ଚାଲିଥିବା ବେଳେ ତଦନ୍ତ ଅଧିକାରୀ ଚାର୍ଜସିଟ ଦାଖଲ କରିଥିଲେ । ସେଥିରେ ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଉଲ୍ଳେଖ ରହିଥିଲା । ମାମଲାର ବିଚାରଣା ଚାଲିଥିବା ବେଳେ ମୋଟ ୧୮ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିଲା । ବିଚାରଣା ବେଳେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ କୌଣସି ପ୍ରମାଣ ମିଳିନଥିବା ଯୋଗୁଁ ଉକ୍ତ ମାମଲାରେ ଭାସ୍କରଙ୍କୁ ଜଜ୍ ଜଷ୍ଟିସ୍ ପତି ନିର୍ଦ୍ଦୋଷ କରିଥିବା ବେଳେ ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ମାମଲାରେ ଭାସ୍କରଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନାର ଆଦେଶ ଶୁଣାଇଛନ୍ତି । ଗିରଫ ପରଠାରୁ ଅଭିଯୁକ୍ତ ଜଣକ ଜେଲରେ ରହିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପୋକ୍ସ କୋର୍ଟ ପିପି ମୋହନ ସିଂହାରୀ ମକଦ୍ଦମା ପରିଚାଳନା କରୁଥିଲେ ।