ନୋଟ୍ ବନ୍ଦୀ, ଜିଏସ୍ଟି ପ୍ରଭାବକୁ ଭୁଲିଗଲେଣି: ଆହୁରି ସଂସ୍କାର ଚାହୁଁଛନ୍ତି ଜନତା

www.patrika.com
ନୂଆଦିଲ୍ଲୀ,୨୩ା୧(ଏଜେନ୍ସି): ମୋଦି ସରକାର କ୍ଷମତାକୁ ଆସିବା ପରେ ଅନେକ ସଂସ୍କାର ଆଣିଥିଲେ । ତନ୍ମଧ୍ୟରୁ ଦୁଇଟି ବଡ଼ ସଂସ୍କାର ଥିଲା ନୋଟ୍ ବନ୍ଦୀ ଏବଂ ଜିଏସ୍ଟି । ଅର୍ଥନୀତି ଓ ଲୋକଙ୍କ ଜୀବନଜୀବିକା ସହ ଏହାର ପ୍ର୍ରତ୍ୟକ୍ଷ ପ୍ରଭାବ ରହିଥିଲା । ଜିଏସ୍ଟି ଯଦିଓ ଅର୍ଥନୀତିକୁ ବିଳମ୍ବରେ ସମୃଦ୍ଧ କରିଛି, ନୋଟ୍ ବନ୍ଦୀ କିନ୍ତୁ ଅନେକ ସମସ୍ୟା ସୃଷ୍ଟି କରିଥିଲା । ଏହାକୁ ନେଇ ମୋଦି ସରକାରଙ୍କ ଅଡୁଆ ବି ବଢ଼ିଥିଲା । କିନ୍ତୁ ଦେଶର ଜନତା ସେହି ସମସ୍ୟାକୁ ସମ୍ପୂର୍ଣ୍ଣ ଭାବେ ଭୁଲିଗଲେଣି । ବରଂ ଆଗକୁ କେନ୍ଦ୍ର ସରକାର ଆହୁରି ସଂସ୍କାର ଆଣିବା ଆବଶ୍ୟକ ବୋଲି ଲୋକମାନେ ଚାହୁଁଛନ୍ତି ।
କେନ୍ଦ୍ର ଅନ୍ତରୀଣ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ୍ ଫେବ୍ରୁଆରୀ ୧ରେ ବଜେଟ୍ ଆଗତ କରିବାକୁ ଯାଉଛନ୍ତି । କିନ୍ତୁ ଯଦି ଗୋୟଲ୍ ପୂର୍ଣ୍ଣକାଳୀନ ବଜେଟ୍ ଆଗତ କରିଥାନ୍ତେ, ତେବେ ବିନା ଦ୍ୱିଧାରେ ଅନେକ ସଂସ୍କାର ଘୋଷଣା କରିପାରିଥାନ୍ତେ । ଜିଏସ୍ଟି ଓ ନୋଟ୍ ବନ୍ଦୀକୁ ନେଇ ଲୋକମାନଙ୍କ ମନରେ କ’ଣ ରହିଛି, ତାହା ଚିନ୍ତା ନକରି ସଂସ୍କାର ପ୍ରକ୍ରିୟା ଜାରି ରଖିପାରିଥାନ୍ତେ । କାରଣ ଲୋକମାନେ ହିଁ ଏବେ ସଂସ୍କାର ଚାହୁଁଛନ୍ତି ବୋଲି ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ।
ସର୍ଭେରେ ଭାଗନେଇଥିବା ମୋଟ ୧୦,୫୦୬ ଲୋକଙ୍କ ମଧ୍ୟରୁ ୭୮% ଅଧିକ ‘ଅର୍ଥନୈତିକ ସଂସ୍କାର’କୁ ହଁ ବୋଲି ଜବାବ ରଖିଛନ୍ତି । ୧୯% ଲୋକ ଦର୍ଶାଇଛନ୍ତି ଯେ ସରକାର ଆହୁରି ଅଧିକ ସଂସ୍କାର ନ ଆଣି ବର୍ତ୍ତମାନ ପ୍ରଚଳିତ ସଂସ୍କାରକୁ କିଭଳି ଭଲ ଭାବେ କାର୍ଯ୍ୟକାରୀ କରାଯାଇ ପାରିବ, ତାହା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ୩% ଲୋକ ଏ ବାବଦରେ କୌଣସି ନିଷ୍ପତ୍ତି ନେଇପାରି ନାହାନ୍ତି ।
୨୦୧୯ ସାଧାରଣ ନିର୍ବାଚନ ପରେ କେନ୍ଦ୍ରରେ ଯେଉଁ ଦଳ ସରକାର ଗଢ଼ନ୍ତୁ ନା କାହିଁକି, ଅର୍ଥନୀତିକୁ ଆଗକୁ ନେବା ପାଇଁ ସଂସ୍କାର ଉପରେ ମନୋନିବେଶ କରିବା ଆବଶ୍ୟକ ବୋଲି ଅଧିକାଂଶ ଜବାବଦାତା କହିଛନ୍ତି । ଚଳିତବର୍ଷ ମଧ୍ୟଭାଗରେ କ୍ଷମତାକୁ ଆସିବାକୁ ଥିବା ନୂଆ ସରକାରଠାରୁ କ’ଣ ଆଶା କରୁଛ ବୋଲି ପ୍ରଶ୍ନର ଉତ୍ତରରେ ୪୭% ଦର୍ଶାଇଛନ୍ତି ଯେ ସଂସ୍କାର ଉପରେ ସରକାର ଧ୍ୟାନ ଦେବା ଆବଶ୍ୟକ । ସେହିଭଳି ନୂଆ ସରକାର ଅଧିକ ନିଯୁକ୍ତି ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେବା ଉଚିତ ହେବ ବୋଲି ୩୫% କହିଛନ୍ତି । ୧୬% ଦର୍ଶାଇଛନ୍ତି ଯେ ସରକାର ବ୍ୟବସାୟ ଓ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଯୋଗାଇବା ଆବଶ୍ୟକ । ଅନ୍ୟପକ୍ଷରେ ସରକାର କୃଷି ଋଣ ଛାଡ଼ କରିବା ଆବଶ୍ୟକ ବୋଲି ମାତ୍ର ୨% କହିଛନ୍ତି ।